ହେଡଲାଇନସ୍:

୧ରୁ ୧୯ ବର୍ଷ ମଧ୍ୟରେ ୧, ୪୨, ୩୩, ୨୭୩ ପିଲାଙ୍କୁ ସେବନ କରାଯିବ କୃମିନାଶକ ଔଷଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତୀୟ କୃମିନାଶକ ଦିବସ ପାଇଁ ରାଜ୍ୟ ସମ୍ମନ୍ୱୟ କମିଟି ବୈଠକ 

ଭୁବନେଶ୍ୱର,୧୭ା୮-   ରାଜ୍ୟରେ ଜାତୀୟ କୃମିନାଶକ ଦିବସ ଆସନ୍ତା ସେପ୍ଟେମ୍ବର ମାସ ୨୬ ତାରିଖରେ ପାଳନ ହେବାକୁ ଯାଉଥିବା ବେଳେ ରାଜ୍ୟର ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ଏକ କୋଟି ୪୨ ଲକ୍ଷ ୩୩ ହଜାର ୨୭୩ ଜଣ ପିଲାଙ୍କୁ  କୃମିନାଶକ ଔଷଧ ଖାଇବାକୁ ଦିଆଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ରାଜ୍ୟ ସମ୍ମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ନିଆଁ ଯାଇଛି ।  ବୈଠକ ଅବସରରେ ଶ୍ରୀ ମେହେର୍ଦ୍ଦା କହିଥିଲେ ଯେ  ଶିଶୁମାନଙ୍କ ଉତମ ସ୍ୱାସ୍ଥ୍ୟ , ପୁଷ୍ଟିସାଧନ , ଶିକ୍ଷାପ୍ରତି ଆଗ୍ରହ ଏବଂ ସୁସ୍ଥ  ଜୀବନ ଯାପନ ନିମନ୍ତେ କୃମିନାଶକ ଔଷଧ ସେବନ ଜରୁରୀ । ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ , ଅଙ୍ଗନବାଡି କେନ୍ଦ୍ର ଏବଂ ଦୁର୍ଗମ ତଥା ଅପହଂଚ ଅଂଚଳମାନଙ୍କରେ ଏହି ଔଷଧ ବଂଟନ ଉପରେ ସଚିବ ବୈଠକରେ ଗୁରୁତ୍ୱ ଆରୋପ କରିଥିଲେ । 

ପ୍ରକାଶ ଥାଉକି ଚଳିତ ବର୍ଷ ଅପ୍ରେଲ ମାସରେ କୃମି ନାଶକ ଯୋଜନାରେ ୯୪,୦୧,୪୦୮ ଜଣ ପିଲାଙ୍କୁ  ଔଷଧ ଖୁଆଯାଇଥିଲା , ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୯୨.୫ ପ୍ରତିଶତ । ଏହି ସମୟରେ ମୋଟ ୨୪ ଟି ଜିଲ୍ଲା ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୯୬.୯୮ ପ୍ରତିଶତ ଶିଶୁଙ୍କୁ କୃମିନାଶକ ଔଷଧ ଦିଆଯାଇଥିବା ବେଳେ ପୁରୀ  ଜିଲ୍ଲାରେ ସର୍ବନିମ୍ନ ୮୩.୫ ପ୍ରତିଶତ ପିଲା ଏହି ଔଷଧ ଖାଇଥିଲେ । ଆସନ୍ତା ମାସ ୨୬ ତାରିଖରେ କୃମିନାଶକ ଦିବସ ଅବସରରେ ୨୭ ଟି ଜିଲ୍ଲାର ୧ ରୁ ୧୯ ବର୍ଷ ପିଲାଙ୍କୁ  ଏଥିରେ ସମିଲ କରାଯିବ । ଏଥିରେ ଅଙ୍ଗନବାଡି କେନ୍ଦ୍ର , ସରକାରୀ ଓ ଘରୋଇ ସ୍କୁଲ ସମେତ ଡିପ୍ଲୋମା ଏବଂ ଧନ୍ଦାମୂଳକ ତାଲିମ୍ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯିବ । ସେହି ଦିନ ୩୦ ଟି ଜିଲ୍ଲାର ୯ ମାସରୁ ୫ ବର୍ଷ  ବୟସର ୪୩,୬୨,୯୫୩ ଜଣଶିଶୁଙ୍କୁ ଭିଟାମିନ୍ ଏ ଖାଇବାକୁ ଦିଆଯିବ । 

ଏହି କାର୍ଯ୍ୟକ୍ରମ ଲାଗି ଏ.ଏନ୍.ଏମ୍ , ଅଙ୍ଗନବାଡି ଓ ଆଶା କର୍ମୀ , ନୋଡାଲ ଶିକ୍ଷକ ଓ ପଦାଧିକାରୀଙ୍କୁ  ତାଲିମ୍ ପ୍ରଦାନ  କରାଯିବ । କାର୍ଯ୍ୟକ୍ରମର ସଫଳତାଲାଗି ଲୋକଙ୍କୁ ସଚେତନ ଲାଗି ବିଭିନ୍ନ ପଦକ୍ଷେ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆ ଯାଇଥିଲା |  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ବୈଠକରେ ରାଜ୍ୟ ମେଡିକାଲ ନିଗମ  ପରିଚାଳନା ନିର୍ଦ୍ଦେଶିକା  ଅର୍ଚ୍ଚନା ପଟ୍ଟନାୟକ , ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ  ଡି.ପ୍ରଶାନ୍ତ  କୁମାର ରେଡ୍ଡୀ , ଡି.ଏମ୍.ଇ.ଟି ଡାଃ ସୋନାମାଲି ବାଗ୍ , ପରିବାର କଲ୍ୟାଣ ନିର୍ଦ୍ଦେଶକ  ଡାଃ ଲିଙ୍ଗରାଜ  ମିଶ୍ରଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା , ଓପେପା , ମହିଳା ଓ ଶିଶୁ ବିକାଶ  ବିଭାଗ ଏବଂ ୟୁନିସେଫର  ପଦାଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault