ହେଡଲାଇନସ୍:

ଥିଲେ ଦିଅ - ନଥିଲେ ନିଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାୟାଧର ନାୟକ

ହାଡ଼ଭଙ୍ଗା ଶୀତ । କେବଳ ଆପଣ ଥରୁନାହାନ୍ତି - କମ୍ପୁଛି ସାରା ଓଡ଼ିଶା । ଫୁଲବାଣୀ, କନ୍ଧମାଳ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବରଫ ପଡୁଛି । ଆଗକୁ ଶୀତ କେତେଦିନ ରହିବ କହିହେଉନି । ଜଳବାୟୁ, ପରିବେଶ ବିଗିଡ଼ି ଯାଇଛି । ପ୍ରକୃତିର ଅଭିଶାପ ଆମ ସମସ୍ତଙ୍କ ଉପରେ । ଏ ଅଭିଶାପକୁ ଆମେ କ'ଣ ଆଶୀର୍ବାଦରେ ପରିଣତ କରିପାରିବା ନାହିଁ ? 

ଆସନ୍ତୁ ... ସେମାନଙ୍କ ପାଇଁ ଆମେ ସବୁ ହେବା ଶୀତଋତୁର ମିତ । ପଥପ୍ରାନ୍ତରଠାରୁ ଆରମ୍ଭ କରି ଅନାଥାଳୟର ପରିସର ପର୍ଯ୍ୟନ୍ତ ସେମାନେ ଆମ ପୃଥିବୀର ଏକ ସ୍ନେହବଂଚିତ ସମାଜ । ଆମଠୁ ଲୋଡୁଛନ୍ତି ଅଳ୍ପଟିକେ କୁସୁମଆଦର ..... । ତାଙ୍କପାଇଁ ଯତ୍ନ  ସହକାରେ ଯୋଗାଇଦିଅନ୍ତୁ ଶୀତବସ୍ତ୍ର...., ଘରବାହାରେ ଗୋଟେ ଗୋଟେ ଶୀତପୀଡ଼ିତ ସଂସାର ଆପଣମାନଙ୍କ ଆନ୍ତରିକତା ଅପେକ୍ଷାରେ.... 

ଆପଣଙ୍କ ପାଖରେ ବଳକା ପୁରୁଣା ଶୀତବସ୍ତ୍ର ଓ ପୁରୁଣା ଲୁଗା, ପ୍ୟାଣ୍ଟ୍, ସାର୍ଟ, ଶାଢ଼ି, ପିଲାଙ୍କ ଡ୍ରେସ୍ ଥିବ, ହୁଏତ କାହାକୁ ଦେଇପାରୁନଥିବେ, ଆମ ପାଖକୁ ପଠାଇଦେଲେ ଆମେ ବ୍ୟାସନଗର, ସୁକିନ୍ଦା, ଦୈତାରୀ, ବଉଳା ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଅସହାୟ ଓ ଗରିବ ଲୋକମାନେ ଯେଉଁମାନେ ଶୀତରେ ଥରୁଛନ୍ତି, ସେମାନଙ୍କୁ ଡାକି ଦେଇଦେବୁ, କିମ୍ବା ସେ ଅଂଚଳକୁ ଯାଇ ବାଣ୍ଟିଦେବୁ । ବେଶି ଲୁଗାପଟା ଜମାହେଲେ ଫୁଲବାଣୀ, କନ୍ଧମାଳ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜକୁ ଆଜାଦୀ ଠେଙ୍ଗାବାହିନୀ ଯାଇ ବାଣ୍ଟି ଦେଇଆସିବେ । ରେଲୱେ ଷ୍ଟେସନ୍, ବସ୍ ଷ୍ଟାଣ୍ଡରେ ରାତ୍ରିଯାପନ କରୁଥିବା ବୁଢାବୁଢୀ, ରୋଗୀ ଏବଂ ଗାଈ, ଛେଳି ଜଗାଳି, ନିସହାୟ ବୁଢାବୁଢ଼ୀମାନଙ୍କୁ ସାକ୍ଷାତ କରି ଆପଣଙ୍କ ମହତ ଦାନ ଶୀତବସ୍ତ୍ର ଗୁଡ଼ିକୁ ଦେଇଆସିବୁ । ଯାହାଙ୍କ ପାଖରେ ବଳକା ଅଛି ଦିଅନ୍ତୁ - ଯାହାଙ୍କ ପାଖରେ ନାହିଁ ସେମାନେ ନିଅନ୍ତୁ । ଯାହା ଦେବେ ଶ୍ରଦ୍ଧାରେ ଦେବେ - ବାଧ୍ୟବାଧ୍ୟକତା ନୁହେଁ । ନୂଆବର୍ଷ ଆରମ୍ଭରୁ ଯାଜପୁରରୋଡ଼ ଇନ୍ଦିରା ଆଶ୍ରମରେ ଶୀତବସ୍ତ୍ରଦାତାମାନେ ଆଣି ଦେଇଯାଉଛନ୍ତି । ଖୁବ୍ ଶୀଘ୍ର ଅନ୍ୟ ସହର ବିଶେଷ କରି ଭୁବନେଶ୍ୱରରେ ପୁରୁଣା / ନୂଆ ବସ୍ତ୍ର ଜମାଦେବା ପାଇଁ ଠିକଣା ଜଣାଇ ଦିଆଯିବା କିମ୍ବା ଆପଣମାନେ ମୋ ଫୋନ୍ ନମ୍ବରରେ ଯୋଗାଯୋଗ କଲେ ମୁଁ ଆପଣମାନଙ୍କୁ ସ୍ଥାନ ଓ ସମୟ ଜଣାଇଦେବି ।

ବଣିକ ଭାଇମାନଙ୍କୁ ଅନୁରୋଧ - ସେମାନେ ଚାହିଁଲେ ନୂଆ ବସ୍ତ୍ର ଶୀତ ପୀଡ଼ିତମାନଙ୍କୁ ସିଧାସଳଖ ଯୋଗାଇ ଦେବାକୁ ଆଗେଇ ଆସନ୍ତୁ । ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ଓ ୨୦୧୮ ନୂଆ ବର୍ଷରେ ଯାଜପୁର-ବରୀର ଶିଳ୍ପୋଦ୍ୟୋଗୀ ସୌମ୍ୟରଞ୍ଜନ ସାମଲ ପ୍ରାୟ ୫ ଲକ୍ଷ ଟଙ୍କାର ନୂତନ ଶୀତବସ୍ତ୍ର ମୋ ଜରିଆରେ ସୁକିନ୍ଦା, ଦୈତାରୀ, ବଉଳା ଅଞ୍ଚଳର ଅସହାୟ ଲୋକଙ୍କୁ ଦାନ କରିବାକୁ ଯୋଗାଇ ଦେଇଥିଲେ ।

କଳକାରଖାନା, ଖଣି ଖାଦାନ ମାଲିକମାନଙ୍କୁ ଅନୁରୋଧ, ଆପଣମାନଙ୍କ ଲାଭାଂଶରୁ ସରକାରୀ ନିର୍ଦ୍ଧାରିତ ବିକାଶ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଏହି ହାଡ଼ଭଙ୍ଗା ଜାଡ଼ରେ ଜଡ଼ ହୋଇ ଆସୁଥିବା ଦୁଃଖିନୀ ଓଡ଼ିଶା ଭୂଇଁର ସନ୍ତାନମାନଙ୍କୁ ଶୀତବସ୍ତ୍ର ଯୋଗାଇ ଦେଇ ଜୀବନ ସଞ୍ଚାର ଅଭିଯାନରେ ସାମିଲ ହୁଅନ୍ତୁ । ଆପଣମାନଙ୍କ ଅନୁଷ୍ଠାନର ଶ୍ରମିକ-କର୍ମଚାରୀ ଓ ଆଖପାଖ ଆଦିବାସୀ ଦଳିତ ଦୁର୍ଗତ ଲୋକମାନଙ୍କୁ ନିଜେ ନିଜେ ଆନ୍ତରିକ ସହାୟତାର ହାତ ବଢ଼ାଇ ଦିଅନ୍ତୁ । ଏଠାରେ ମନେ ପକାଇ ଦେଉଛି ଯେ, ଏହି ଅଳ୍ପଦିନ ତଳେ ପାତଞ୍ଜଳି ଯୋଗର ନବ ପ୍ରବର୍ତ୍ତକ ରାମଦେବ ବାବାଙ୍କୁ ମାନ୍ୟବର ହାଇକୋର୍ଟ ତାଙ୍କର ବ୍ୟବସାୟିକ ମୁନାଫାର ଏକ ନିର୍ଦ୍ଧିଷ୍ଟ ଅଂଶ ସ୍ଥାନୀୟ ଅଭାବଗ୍ରସ୍ତ ଜନତାଙ୍କ ସେବାରେ ସଦୁପଯୋଗ କରିବାକୁ ଆଦେଶ ଦେଇଛନ୍ତି ।

ରାଜ୍ୟର ୧୪୭ ଜଣ ଏମ୍.ଏଲ୍.ଏ.ଙ୍କୁ ମଧ୍ୟ ଏହି ପ୍ରାଣଘାତୀ ଶୀତସଙ୍କଟ ସମୟରେ ସହାୟତାକାମୀ ଜନତାଙ୍କ ଜୀବନ ରକ୍ଷା ନିମନ୍ତେ ଏକଜୁଟ୍ ହେବାକୁ ଆବେଦନ କରୁଛି । ଶାସକ ଦଳ, ବିରୋଧୀ ଦଳ ବା ସ୍ୱାଧୀନ ପ୍ରାର୍ଥିତ୍ୱରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିବା ସବୁ ବିଧାୟକଙ୍କୁ ଜନତାର ଦୁଆରରେ ବର୍ତ୍ତମାନ ଦଳମତ ନିର୍ବିଶେଷରେ ଏକାଠି ଠିଆ ହେବାର ସମୟ ଇଏ । ଗାଁ ଗହଳ, ସହର ବଜାରରେ ରାଜନୈତିକ କର୍ମପ୍ରବାହରେ ଜଡ଼ିତ ନେତା ଏବଂ ବିଭିନ୍ନ ସାମାଜିକ ସଙ୍ଗଠନମାନେ ଏହି ସମୟରେ ସହଯୋଗର ହାତ ବଢ଼ାଇ ଦେଇପାରିଲେ ଶୀତ ପୀଡ଼ିତ ଜନଗଣଙ୍କ ପାଇଁ ବସନ୍ତଋତୁ ଆଉ ଦୂରବର୍ତ୍ତୀ ହୋଇ ରହିଯିବ ନାହିଁ ।

ଏ ଶୀତରେ ଓଡ଼ିଶା ଥରୁ ପଛେ, କିନ୍ତୁ ହାରିନଯାଉ କଦାପି - ଏହାହିଁ ହେଉ ନୂଆବର୍ଷର ନିଆରାପଣ ଆମ ସମସ୍ତଙ୍କର । ଦୁଃଖୀ ଜନତାର ଶୁଖିଲା ଓଠରେ ଚେନାଏ ସ୍ମିତହସ ଫୁଟାଇବାପାଇଁ ଆସନ୍ତୁ ସମସ୍ତେ ହେବା ଶୀତଋତୁର ମିତ - ଗାଇଯିବା ଚିର ବସନ୍ତର ଉଷୁମ୍ ଗୀତ  ।

ଯାଜପୁରରୋଡ଼, ଯାଜପୁର

ମୋ : ୯୮୬୧୦୩୪୧୬୩

0
0
0
s2sdefault