ବାରିପଦା(ଦିଲ୍ଲୀପ ମହାନ୍ତି )- ଜଙ୍ଗଲଜାତ ଦ୍ରବ୍ୟ ଚୋରା ଚାଲାଣ ଉଦ୍ୟମରେ ବନ ବିଭାଗ ପକ୍ଷରୁ ଜବତ ହୋଇଥିବା ଗାଡ଼ି ସମ୍ପର୍କରେ ବନ ବିଭାଗକୁ ଖବର ଦେବା ସନ୍ଦେହରେ ବାଲେଶ୍ୱର ଜିଲ୍ଲା କମର୍ଦ୍ଧା ଅଞ୍ଚଳର ଏକ ଯୁବକକୁ ଡ଼ାକି ବାରିପଦା ଷ୍ଟେସନ ବଜାରରୁ ଅପହରଣ କରିବା ପରେ ମୁଣ୍ଡ ଜାମିନ ରଖି ଏକ ଲକ୍ଷ ଟଙ୍କା ନେବା ପରେ ମଧ୍ୟ ଯୁବକକୁ ନଛାଡ଼ି ଅଧିକ ଟଙ୍କା ଦାବି କରିଥିଲେ । ପୀଡିତ ଯୁବକର ଭଉଣୀ ଏ ବିଷୟରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ୨୧୭/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା । ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରଷୋତ୍ତମ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ୬ ଜଣିଆ ଟିମ ଗଠନ କରାଯାଇ ଅପହରଣକାରୀମାନଙ୍କୁ ଧରିବା ନିମନ୍ତେ ପୋଲିସ ପକ୍ଷରୁ ଜାଲ ବିଛାଯାଇଥିଲା । ଶେଷରେ ଅପହୃତ ହୋଇଥିବା ଯୁବକର ମୋବାଇଲ ଟ୍ରାକିଂ କରାଯାଇ ଆଜି ଅପହୃତ ଯୁବକକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଅପହରଣକାରୀମାନେ କୌଶଳ କ୍ରମେ ଖସିପଳାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାଲେଶ୍ୱର ଜିଲ୍ଲା କମର୍ଦ୍ଧା ଥାନା ଅନ୍ତର୍ଗତ କୁସୁଟି ଗ୍ରାମର ମନ୍ମୟ ଦାସ ଫାର୍ଟିଲାଜର ବ୍ୟବସାୟ କରୁଥିବା ସମୟରେ ବାରିପଦା ସହରର କେତେକ ଯୁବକ ସହ ବନ୍ଧୁତ୍ୱ ଗଢ଼ି ଉଠିଥିଲା । ବାରିପଦା ସହରର ଏହି ଯୁବକମାନେ ଜଙ୍ଗଲଜାତ ଦ୍ରବ୍ୟ ବାହାରକୁ ଚୋରାରେ ଚାଲାଣ କରିଆସୁଥିବା ସମୟରେ ଦିନେ ବନ ବିଭାଗର କର୍ମଚାରୀମାନେ ସେମାନଙ୍କ ଗାଡ଼ିକୁ ଜବତ କରିନେଇଥିଲେ । ଏଥି ନିମନ୍ତେ ସନେ୍ଦହ ହୋଇଥିଲା ମନ୍ମୟଙ୍କ ଉପରେ ଏବଂ ସେ ବନ ବିଭାଗକୁ ଖବର ଦେଇ ଗାଡ଼ିକୁ ଧରାଇ ଦେଇଥିବା ସନ୍ଦେହରେ ପ୍ରତିଶୋଧ ପରାୟଣ ହୋଇଉଠି ମନ୍ମୟକୁ ବାରିପଦା ଡକାଇବା ପରେ ଷ୍ଟେସନ ବଜାର ନିକଟରୁ ଗତ ୧୬ରୁ ଅପହରଣ କରିନେଇଥିଲେ । ଏଥି ସହିତ ମନ୍ମୟକୁ ମଧ୍ୟ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଜବତ ହୋଇଥିବା ଗାଡ଼ି ଓ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ଦାବି କରି ମୁଣ୍ଡ ଜାମିନ ରଖିଥିଲେ । ମନ୍ମୟର ପରିବାର ପକ୍ଷରୁ ଅପହରଣକାରୀମାନଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ସେମାନେ ଅଧିକ ଟଙ୍କା ଦାବି କରିଥିଲେ । ଏହି ଘଟଣାକୁ ନେଇ ମନ୍ମୟର ଭଉଣୀ ଦୀପାଞ୍ଜଳି ଦାସ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାରିପଦା ସଦର ଏସଡ଼ିପିଓ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ପୁଲିସ ଟିମ ମନ୍ନୟକୁ ଆହତ ଅବସ୍ଥାରେ ଆଜି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ତେବେ ପୁଲିସ ପକ୍ଷରୁ ଅପହରଣକାରୀମାନଙ୍କ ସମ୍ବନ୍ଧରେ ଖବର ସଂଗ୍ରହ ନିମନ୍ତେ ବାରମ୍ବାର ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । ତେବେ ଅଭିଯୁକ୍ତମାନଙ୍କ ମଧ୍ୟରେ ବାରିପଦା ସହରର ରାଜୁ ନାମକ ଏକ ଯୁବକ ସହ ଶୁଳିଆପଦା ଅଞ୍ଚଳର ରାଜେଶଙ୍କ ନାମ ରହିଛି । ପୁଲିସ ତଦନ୍ତ ଜାରି ରଖିଛି ଏବଂ ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବା ନିମନ୍ତେ ଆଶାବାଦୀ ରହିଥିବାର ଜଣାପଡ଼ିଛି ।