ବାରିପଦା(ଦିଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଶାମାଖୁଣ୍ଟା ବ୍ଲକର ବାଉଁଶବିଲା ଗ୍ରାମପଞ୍ଚାୟତର ଦାଡ଼ଦୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟ ୨୦୦୭ ମସିହାରେ ପ୍ରତିÂା ହୋଇଥିବା ସମୟରୁ କରୁଣା କର ବାରିକ ବିଦ୍ୟାଳୟରେ ପ୍ରଥମେ ଶିକ୍ଷା ସହାୟକ ପରବର୍ତ୍ତି ସମୟରେ ନିୟମିତ ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ପଦବୀରେ କାର୍ଯ୍ୟକରି ଆସୁଥିବା ବେଳେ କେତେକ ଗ୍ରାମବାସୀମାନଙ୍କ ଲିଖିତ ଅଭିଯୋଗ ଏବଂ କରୁଣାକର ବାରିକଙ୍କ ଉକ୍ତ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଜଣାଇବା ପରେ ଅନ୍ୟ ଏକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇ ଦିଆଯାଇଛି । କିନ୍ତୁ କେତେକ ଗ୍ରାମବାସୀ କରୁଣାକର ବାରିକଙ୍କ ବଦଳି ଦାବି କରି ଶିକ୍ଷା ବିଭାଗର ପଦାଧିକାରୀମାନଙ୍କ ନିକଟରେ ଲିଖିତ ଅଭିଯୋଗ ଫର୍ଦ୍ଧ ଦାଖଲ କରିଥିବା ବେଳେ ଅନ୍ୟ କେତେକ ଗ୍ରାମବାସୀ ତାଙ୍କ ଡେପୁଟେସନକୁ ବାତିଲ କରାଇ ଦାଡ଼ଦୁଡ଼ ସ୍କୁଲକୁ ଫେରାଇ ଆଣିବା ଦାବିରେ ଜୁଲାଇ ୧୬ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ଖୋଲିବା ପୂର୍ବାରୁ ବିଦ୍ୟାଳୟର ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ କରୁଣାକର ବାରିକଙ୍କ ବଦଳିକୁ ନେଇ ଆରମ୍ଭ ହୋଇଥିବା ଡ୍ରାମାରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀମାନେ ଅସ୍ତ୍ର ହୋଇଥିଲେ । ସେମାନଙ୍କୁ ବିଦ୍ୟାଳୟ ସମ୍ମୁଖ ବରଗଛ ମୂଳରେ କିଛି ସମୟ ବସିବାକୁ ପଡ଼ିଥିଲା । କ୍ଲଷ୍ଟର ସିଆରସିସି ଧୀରେନ୍ଦ୍ର ଭଞ୍ଜଦେଓଙ୍କ କହିବା ଅନୁସାରେ କେତେକ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଆଧାରରେ ଶାମାଖୁଣ୍ଟା ବିଇଓ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୁଣାକର ବାରିକଙ୍କୁ ବଦଳି କରିଛନ୍ତି । ବିଦ୍ୟାଳୟରେ ତାଲା ପକାଯାଇଥିବା ଖବର ପାଇ ଆସି ପହଁଞ୍ଚିଛନ୍ତି । ଏଥି ସହିତ ଫାଟକରେ ତାଲା ପକାଇଥିବା ଛାତ୍ର ଅଭିଭାବକମାନଙ୍କ ସହ ଆଲୋଚନା କରିବା ପରେ ବିଦ୍ୟାଳୟରୁ ତାଲା ଖୋଲାଯାଇଛି । ଛାତ୍ରଛାତ୍ରୀମାନେ ଶ୍ରେଣୀ କୋଠରୀକୁ ଯାଇଛନ୍ତି । ସାତ ଦିନ ମଧ୍ୟରେ ସେମାନଙ୍କ ଅଭିଯୋଗଗୁଡ଼ିକ ଲିଖିତ ଭାବେ ଜଣାଇବା ପରେ ଦାବି ଉପରେ ପଦକ୍ଷେପ ନିଆଯିବ ବୋଲି ସିଆରସିସି ଶ୍ରୀଭଞ୍ଜଦେଓ କହିଛନ୍ତି । ସେହିପରି ଶାମାଖୁଣ୍ଟା ବିଇଓ ଅଯୋଦ୍ଧା ନାଥ ମହାପାତ୍ରଙ୍କ କହିବା ଅନୁସାରେ ଦାଡ଼ଦୁଡ଼ ଗ୍ରାମବାସୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୁଣାକର ବାରିକ ଉଭୟଙ୍କ ଲିଖିତ ଅଭିଯୋଗ ହସ୍ତଗତ ହେବା ପରେ ପ୍ରଧାନଶିକ୍ଷକ କରୁଣାକରଙ୍କୁ ବିଦ୍ୟାଳୟରୁ ଅନ୍ୟତ୍ର କାମଚଳା ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ପଠାଇ ଦିଆଯାଇଛି । ବିଶେଷ କରି ପ୍ରଧାନଶିକ୍ଷକ ଶ୍ରୀବାରିକ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାର ଦର୍ଶାଇ ଅନ୍ୟତ୍ର ବଦଳି ନିମନ୍ତେ ଲିଖିତ ଜଣାଇଥିଲେ । ସେହିପରି ଗ୍ରାମବାସୀମାନେ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଇବା ନିମନ୍ତେ ଲିଖିତ ଦାବି ଜଣାଇଥିଲେ , ନଚେତ ଭବିଷ୍ୟତରେ ଅସୁବିଧା ହେବ ବୋଲି ଚେତାବନୀ ଦେଇଥିଲେ । ଏଣେ ଆଜି କେତେକ ଛାତ୍ର ଅଭିଭାବକ ଡେପୁଟେସନରେ ପଠାଇ ଦିଆଯାଇଥିବା ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ଦାବି କରି ଫାଟକରେ ତାଲା ପକାଇ ଦେଇଛନ୍ତି । ଗ୍ରାମବାସୀ ତଥା ଛାତ୍ର ଅଭିଭାବକମାନଙ୍କ ସହ ଆଲୋଚନା କରିବା ପରେ ଗ୍ରାମର ଉଭୟ ପକ୍ଷ ବସି ନିଜ ନିଜ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଇବାକୁ ପରାମର୍ଶ ଦେଈନ୍ତି ବୋଲି ବିଇଓ ଶ୍ରୀମହାପାତ୍ର କହିଛନ୍ତି । ଏଠାରେ ପ୍ରଶ୍ନ ଉଠିଛି, ଯଦି କେତେକ ଛାତ୍ର ଅଭିଭାବକମାନଙ୍କ ଦାବି ଅନୁସାରେ ଯଦି ପ୍ରଧାନଶିକ୍ଷକ କରୁଣାକର ବାରିକଙ୍କୁ ଦାଡ଼ଦୁଡ଼ ବିଦ୍ୟାଳୟକୁ ଫେରାଇ ଅଣାଯାଏ ଏବଂ ଯିଦି ପ୍ରଧାନଶିକ୍ଷକ କରୁଣାକରଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ସତ୍ୟ ହୁଏ, ତେବେ ଏଥି ନିମନ୍ତେ କିଏ ଉତ୍ତରଦାୟୀ ହେବ । ପୁଣି, ବିଦ୍ୟାଳୟ ସ୍ଥାପନ ସମୟରୁ କରୁଣାକର ବାରିକ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିଆସୁଥିବା ବେଳେ ତାଙ୍କର ଅନ୍ୟତ୍ର ବଦଳି ଆଇନ ସମ୍ମତ । ତେବେ ଦେଖାଦେଇଥିବା ସମସ୍ୟା ଭିତରୁ ଶିକ୍ଷା ବିଭାଗ ଅଧିକାରୀ କିପରି ଭାବେ ସମାଧାନର ରାସ୍ତା ବାହାର କରାଇପାରୁଛନ୍ତି, ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ ।
ଅଘଟଣ
ପ୍ରଧାନଶିକ୍ଷକଙ୍କ ବଦଳି ବାତିଲକୁ ନେଇ ପାଲା :ଗ୍ରାମବାସୀ ପକାଇଲେ ସ୍କୁଲ ଫାଟକରେ ତାଲା
- Hits: 397