ଝିଅର ଜୀବନ ପାଇଁ ମା କରୁଛି ଗୁହାରି , କିଡନୀ ରୋଗ ଚିକିତ୍ସାରେ ଦାରିଦ୍ର୍ୟ ବୈରୀ
ବାଲେଶ୍ୱର(ଉଜ୍ଜ୍ୱଳ କର ): କିଡନୀ ରୋଗରେ ଆକ୍ରାନ୍ତ ୫ ବର୍ଷର ଶିଶୁକନ୍ୟାଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଗରିବ ପିତାମାତା । ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ଗ୍ରାମର ଦିନ ମଜୁରିଆ ଅକ୍ଷୟ ରଣାଙ୍କ ଶିଶୁ କନ୍ୟା କ୍ରିଷ୍ଣା ରଣା ଗତବର୍ଷ କିଡନୀ ରୋଗରେ ପୀଡ଼ିତ ହୋଇଥିଲେ । ତାଙ୍କୁ ଉଭୟ ପିତାମାତା ନିଜର ସୀମିତ ସମ୍ବଳରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ସମେତ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ଏହି ଚିକିତ୍ସାରେ ଘରର ସଂଚିତ ଅର୍ଥ, ଗହଣାଗଣ୍ଠି ସମେତ ଘରର ଆସବାପତ୍ର ମଧ୍ୟ ବିକ୍ରି ହୋଇଗଲା ପରେ ବି କ୍ରିଷ୍ଣାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ହୋଇପାରି ନଥିବା ପିତାମାତା ପ୍ରକାଶ କରିଛନ୍ତି । ଦିନ ମଜୁରୀଆ ଭାବେ କାର୍ଯ୍ୟ କରି ଗୁଜରାଣ ମେଣ୍ଟାଉଥିବା ପିତା ଅକ୍ଷୟଙ୍କ ପାଖରେ ସେମିତି ସମ୍ବଳ ବି ନାହିଁ କ୍ରିଷ୍ଣାଙ୍କୁ ଉନ୍ନତ ଚିକିତ୍ସା କରାଇବାକୁ । କ୍ରିଷ୍ଣାଙ୍କ ପାଇଁ ଆବଶ୍ୟକ ଗୋଟିଏ ଗୋଟିଏ ଇଂଜେକ୍ସନର ମୂଲ୍ୟ ୫ହଜାର ଟଙ୍କାରୁ ଅଧିକ ହୋଇଥିବା ବେଳେ ତାଙ୍କର ଚିକିତ୍ସା କରିବା ଗରିବ ବାପମାଆଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଛି । ତେବେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗକୁ ପାଥେୟ କରି ଦୀର୍ଘ ବର୍ଷେକାଳ କିଷ୍ଣାଙ୍କର ଚିକିତ୍ସା ଚାଲିଛି । ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ସରକାରୀ ସହାଯ୍ୟ ଯୋଗାଇ ଦେଲେ ତାଙ୍କର କନ୍ୟା କ୍ରିଷ୍ଣାଙ୍କର ଜୀବନ ରକ୍ଷା ହୋଇପାରନ୍ତା ବୋଲି ଉଭୟ ପିତାମାତା ଆଶା ପ୍ରକାଶ କରିଛନ୍ତି । ଏନେଇ ଏକ ନିବେଦନ ପତ୍ର ସେମାନେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।