୧୭ ମାସ କନ୍ୟା ସନ୍ତାନକୁ ଦୁଷ୍କର୍ମ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ଖୁଣ୍ଟା ଥାନା ଅଞ୍ଚଳରେ ଏକ ଯୁବକ ୧୭ ମାସର କନ୍ୟା ସନ୍ତାନ ସହ ଦୁଷ୍କର୍ମ କରିଥିବା ବିଷୟକୁ ନେଇ ଥାନାରେ ଜୁଲାଇ ୫ରେ ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ପୁଲିସ ତାକୁ ଗିରଫ କରିବାରେ ବିଫଳ ହୋଇଛି । ପିଡ଼ିତା କନ୍ୟାର ଆଜି ଡ଼ାକ୍ତରୀ ପରୀକ୍ଷା ସହ ଚିକିତ୍ସା ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ କରାଯାଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜୁଲାଇ ୪ ଅପରାହ୍ନ ପ୍ରାୟ ୫ଟା ସମୟରେ ଖୁଣ୍ଟା ଥାନା ଅଞ୍ଚଳରେ ଏକ ୧୭ ମାସର କନ୍ୟା ତାର ବଡ଼ବାପା ସହ କୁକୁଡ଼ାକୁ ଚାଉଳ ଖାଇବାକୁ ଦେଉଥିଲା । ଏହି ସମୟରେ ଉକ୍ତ ଗ୍ରାମର ୨୮ ବର୍ଷର ଏକ ଯୁବକ ଆସି ପିଲାକୁ କାଖେଇ ନେଇଯାଇଥିଲା । କିଛି ସମୟ ପରେ ପିଲାର ମା ଆସି ଝିଅକୁ ଖୋଜିବାରୁ ତାର ଝିଆରୀଠାରୁ ଗ୍ରାମର ଏକ ଯୁବକ ନେଇଯାଇଥିବାର ଜାଣିବାକୁ ପାଇଥିଲେ । ମା ଉକ୍ତ ଯୁବକ ସହ ନିଜର ଝିଅକୁ ଗ୍ରାମରେ ଖୋଜାଖୋଜି କରି ନ ପାଇବାରୁ ନଦୀ କୂଳକୁ ଯାଇଥିଲେ । ଏହି ସମୟରେ ଏକ ପିଲାର କାନ୍ଦ ଶୁଣି ସେହି ଦିଗକୁ ଦୌଡ଼ିଯାଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ପିଲାର କାନ୍ଦ ବନ୍ଦ ହୋଇଯାଇଥିଲା ଏବଂ ଏକ ଅଜବ ଶବ୍ଦ ଶୁଣିବାକୁ ପାଇ ଗ୍ରାମର ଅନ୍ୟ ଦୁଇ ଜଣ ଯୁବକୁ ଶୀଘ୍ର ଦୌଡ଼ି ଆସିବାକୁ ଡ଼ାକ ପକାଇଥିଲା । ଯୁବକମାନେ ପହଁଞ୍ଚିବା ପରେ ଏକ ନିଛାଟିଆ ବୁଦା ଉହାଡ଼ରୁ ଯୁବକ ଜଣକ ଝିଅକୁ ଧରି ବାହାରକୁ ବାହାରି ଆସିଥିଲା । ଏହି ସମୟରେ ତାର ପାଟିରୁ ରକ୍ତ ମିଶା ଲାଳ ବାହାରିବା ସହ ଗୁପ୍ତାଙ୍ଗରେ କ୍ଷତ ଥିବାର ମା ଦେଖିବାକୁ ପାଇଥିଲେ । ଏବିଷୟରେ ଯୁବକକୁ ପ୍ରଶ୍ନ କରିବା ସଂଗେସଂଗେ ସେ ପିନ୍ଧିଥିବା ଚଡି କୁଆଡେ଼ ଗଲା ବୋଲି ପଚାରିବାରୁ ଯୁବକ ଜଣକ କିଛି ଜାଣି ନାହାନ୍ତି ଏବଂ ସେ ପିଲାକୁ ଆଣି ନାହାନ୍ତି ବୋଲି କହିଥିଲେ । ଏହାପରେ ଗ୍ରାମର ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଯୁବକ ଜଣକ ଝିଅକୁ କାଖେଇଥିବା ବିଷୟରେ କହିଥିଲେ । ମାତ୍ର ଅଭିଯୁକ୍ତ ଯୁବକ ଜଣକ ଝିଅର ମାଙ୍କୁ ଗାଳିଗୁଲଜ କରି ଗ୍ରାମର ଏକ ବ୍ୟକ୍ତିଙ୍କ ଘର ଭିତରେ ପଶିଯାଇଥିଲେ । ଘରର ମାଲିକ ଅଭିଯୁକ୍ତ ଯୁବକକୁ ସମର୍ଥନ କରି ଘରର ପଛ ଦ୍ୱାର ଦେଇ ତାକୁ ଫେରାର ହେବାରେ ସହାୟତା କରିଥିଲେ । ଉକ୍ତ ଘଟଣାକୁ ନେଇ ପିଡ଼ିତା କନ୍ୟାର ମା ଅଭିଯୁକ୍ତ ଯୁବକ ନାମରେ ଖୁଣ୍ଟା ଥାନାରେ ଜୁଲାଇ ୪ରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୁଲିସ ପିଡ଼ିତା କନ୍ୟାକୁ ଡ଼ାକ୍ତରୀ ପରୀକ୍ଷା ସହ ତାର ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ନେଇ ଆସିଥିଲେ ଏବଂ ବାରିପଦାରେ ଡ଼ାକ୍ତରୀ ପରୀକ୍ଷା ସହ ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ପିଡ଼ିତା କନ୍ୟା ସୁସ୍ଥ ରହିଥିବାର ଜଣାଡ଼ିଛି ।