ହେଡଲାଇନସ୍:

ଟାର୍ଗେଟ ନାଁରେ ମଣ୍ଡିରୁ ଉଠୁନି ଧାନ : ତାତିଲେ ଚାଷୀ,ଘେରିଲେ ଯୋଗାଣ ଅଫିସ ଘେରିଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ ଦେଲେ ଆନ୍ଦୋଳନ ଚେତାବନୀ

ନୂଆପଡ଼ା,(ଅମିତ ପୁରୋହିତ): ଟାର୍ଗେଟ ନାଁରେ ମଣ୍ଡିରୁ ଧାନ ଉଠୁ ନାହିଁ । ଜିଲ୍ଲା ପ୍ରଶାସନ ଟାର୍ଗେନ ନଥିବା ଦର୍ଶାଇ ଧାନ କିଣୁ ନାହିଁ । ଅନ୍ୟପକ୍ଷେ ଆଉ ତିନି ଦିନ ପରେ ଚଳିତ ରବି ଋତୁ ଧାନ ସଂଗ୍ରହ ବନ୍ଦ ହୋଇଯିବ । ବର୍ଷା ଋତୁ ଆସି ଗଲାଣି । ଧାନ ସଂଗ୍ରହର ମାସେ ପରେ ବି ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ପ୍ରତିଦିନ ବର୍ଷାକୁ ଦେଖି ଚାଷୀଙ୍କ ମଧ୍ୟରେ ଭାଲେଣି ପଡି ଯାଇଛି । ଏଭଳି ସ୍ଥିତିରେ ଆଜି ଶତାଧିକ ଚାଷୀ ଯୋଗାଣ ଅଧିକାରୀ ଅଫିସ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ଚାଷୀ ଜିଲ୍ଲାପାଳଙ୍କୁ ତୁରନ୍ତ ଧାନ ଉଠାଇବାକୁ ଦାବୀ ଜଣାଇଥିଲେ । ତେବେ ମଣ୍ଡିରୁ ଧାନକୁ ତୁରନ୍ତ ଉଠାନଗଲେ ଆଂଦୋଳନକୁ ଓହ୍ଲାଇବାକୁ ଚାଷୀ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
              ଗତ ମଇ ୨୦ ତାରିଖରେ ଧାନ ମଣ୍ଡି ଉଦଘାଟନ ହୋଇଥିବା ବେଳେ ୨୭ ତାରିଖରୁ ଜିଲ୍ଲାରେ ବିଧିବଦ୍ଧ ଭାବେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନର ଆବଶ୍ୟକ ତଦାରଖ ଅଭାବରୁ ଯୋଗାଣ ବିଭାଗ, ଏଆରସିଏସ, ଆରଏମସି କର୍ମଚାରୀଙ୍କ ଖାମଖିଆଲି ନିତି ଯୋଗୁଁ ଧାନ ସଂଗ୍ରହ ଆରମ୍ଭରୁ ଅଚଳାବସ୍ଥା ଜାରି ରହିଛି । ମଣ୍ଡିରେ ମିଲର୍ସ ମାନେ ରାଜୁତି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ହାତ ବାରିଶି କରି ନିଜ ମନ ଇଚ୍ଛା ମଣ୍ଡିକୁ ପରିଚାଳିତ କରୁଛନ୍ତି । ଏବେ ଦିନ ବେଳା ପ୍ରଚଣ୍ଡ ଖରା ତାତି ଓ ସନ୍ଧ୍ୟାରେ କାଳ ବୈଶାଖି ଭୟରେ ଆତଙ୍କିତ ଅବସ୍ଥାରେ ଚାଷୀ ଧାନକୁ ଦିନ ରାତି ଜଗି ରହୁଛନ୍ତି । ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଚାଷୀ ବାରମ୍ବାର ଅଭିଯୋଗ କଲେ କର୍ଣ୍ଣପାତ କରୁନାହାନ୍ତି । ଚାଷୀ ମୁଣ୍ଡାର ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଧାନ ଫସଳ ଉପ୍ତାଦନ କଲେ ଓ ଏବେ ବିକ୍ରି ପାଇଁ ଚାଷୀ ବାରଦୁଆର ହୋଇ ହଇରାଣ ହରକତ ହେଉଛନ୍ତି । ଏଭଳି ସ୍ଥିତିରେ ଅନେକ ମଣ୍ଡିରେ ଚାଷୀ ବାଧ୍ୟ ହୋଇ ୫-୭ କେଜି କଟନୀ ଛଟନୀ ଦେବାକୁ ରାଜି ହୋଇ ଯାଉଛନ୍ତି । ତାରି ସତ୍ତେ୍ୱ ବି ସପ୍ତାହ ସପ୍ତାହ ଧରି ଧାନ ମଣ୍ଡିରେ ପଡିରହୁଛି । ଜିଲ୍ଲାରେ ଧାନର ଅଭାବି ବିକ୍ରିରେ ଚାଷୀ ହତାଶ ହୋଇ ପଡିଛନ୍ତି । ଆଉ ତିନି ପରେ ଧାନ ମଣ୍ଡି ବନ୍ଦ ହୋଇ ଯିବାର ସମ୍ଭବନା ରହିଛି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜି ଥିବାରୁ ବାଧ୍ୟ ହୋଇ ଚାଷୀ ଆନେ୍ଦାଳନ ମୁହାଁ ହେଉଛନ୍ତି ।
    ଚଳିତ ବର୍ଷ ରବି ଜିଲ୍ଲାରେ ୨ ଲକ୍ଷ ୯୨ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାର ଲକ୍ଷ ରହିଥିଲା । ଗତ ୨୫ ତାରିଖ ଭିତରେ ଜିଲ୍ଲାରେ ୨ ଲକ୍ଷ ୬୬ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଛି । ଏବେ ଯେଉଁ ଚାଷୀଙ୍କୁ ଧାନ ବିକ୍ରି ଟୋକନ ମିଳିଛି, ସେହି ଧାନ ସଂଗ୍ରହ ହୋଇଗଲେ ଟାର୍ଗେଟ ପୁରଣ ହୋଇ ଯିବାର ସମ୍ଭାବନ ରହିଥିବା ଅଧିକାରୀ କହିଛନ୍ତି । ଅନ୍ୟ ପକ୍ଷେ ଏବେ ଜିଲ୍ଲାର ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ସଦର ବ୍ଲକ ପରକୋଡ ମଣ୍ଡି ୨୦ ହଜାରୁ ଉର୍ଦ୍ଧ ଧାନ ବିକ୍ରି ହେବାକୁ ବାକି ରହିଛି । ମଣ୍ଡିକୁ ମିଲର୍ସ ମଧ୍ୟ ଆସୁନଥିବାରୁ ଧାନ ସଂଗ୍ରହ ହୋଇ ପାରୁନାହିଁ । ଏବେ ମଣ୍ଡିରେ ପେକ୍ସ କର୍ମଚାରୀ ଟାର୍ଗେନ ଥିବା ବାହାନା କରି ଚାଷୀଙ୍କୁ ଟୋକନ ଦେଉନାହାନ୍ତି । ଅନ୍ୟପକ୍ଷେ ବହୁ କଷ୍ଟର ଅମଳ ଧାନ ବର୍ଷାରେ ଭିଜି ଯିବାର ଆଶଙ୍କା କରି ମଣ୍ଡିକୁ ଧାନ ଆଣୁ ନାହାନ୍ତି । ହଜାର ହଜାର ବସ୍ତା ଧାନକୁ ଚାଷୀ ଘରେ ଗଦାଇ ରଖିଛନ୍ତି । ଏହାର ପ୍ରତିବାଦରେ ପରକୋଡ ପେକ୍ସ ସଭାପତି ପ୍ରେମଲାଲ ନାଏକଙ୍କ ନେତୃତ୍ୱରେ ଦର୍ଲିନୂଆପଡ଼ା, ବଲୋଦା, ଜଙ୍ଗୁଲା, ବୁଢିପାଲି, ଜମୁଲି, ଅମଲିଦାଦର, ମହତମତରା ପ୍ରମୁଖ ଗାଁର ଶତାଧିକ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଆସିଥିଲେ । ସେଠାରେ ସିଏସଓ ଅଶୋକ ଦାସ ଓ ଏଆରସିଏସ ଲିଙ୍ଗରାଜ ନାଏକଙ୍କୁ ଘେରି ଯାଇଥିଲେ । ଧାନ ସଂଗ୍ରହ ପାଇଁ ଟାର୍ଗେଟ ନଥିବାରୁ ଧାନ ସଂଗ୍ରହ ହୋଇ ପାରୁନଥିବା ସିଏସଓ ରୋକଠୋକ ମନା କରି ଦେଇଥିଲେ । ଫଳରେ ଚାଷୀ ଅସନ୍ତୋଷ ପ୍ରକାଶ କରି ସିଏସଓ ଅଫିସ ଘେରାଉ କରିଥିଲେ । ଯୋଗାଣ ବିଭାଗ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ଚାଷୀ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କୁ ଭେଟି ମଣ୍ଡିରୁ ତୁରନ୍ତ ଧାନ ଉଠାଇବାକୁ ଦାବୀ କରିଥିଲେ । ଟାର୍ଗେଟ କମ ଅଛି ଓ ଆମେ ଟାର୍ଗେଟ ବୃଦ୍ଧି ପାଇଁ ସରକାରଙ୍କୁ ଜଣାଇଛୁ । ସେଠାରୁ ଟାର୍ଗେଟ ଆସିଲେ ସମସ୍ତ ଧାନ ଉଠାଯିବ । ଏବେ ଛୋଟ ଚାଷୀଙ୍କ ଧାନକୁ ତୁରନ୍ତ ଉଠାଇବାକୁ ସିଏସଓଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଷ ଦେଇଥିଲେ । ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇ ଚାଷୀ ଫେରି ଯାଇଛନ୍ତି । ସେହିପରି ଜଡ଼ାମୁଣ୍ଡା ମଣ୍ଡିରେ ୩୫୦୦ ବସ୍ତା ଓ ସାରାବଙ୍ଗ ପେକ୍ସ ଅଧିମ ଲାଂଜିମାର ମଣ୍ଡିରେ ୨ ହଜାର ବସ୍ତା ଧାନ ପଡି ରହିଛି । ଏହି ଉଭୟ ମଣ୍ଡିର ଚାଷୀ ତୁରନ୍ତ ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଥିଲେ । ବିଜେପି ବରିଷ୍ଠ  ନେତା ଚତୁର୍ଭୂଜ ଶର୍ମା, ଯୁବ ନେତା ରବି ମଙ୍ଗରାଜ, ଚାଷୀ ପ୍ରଦୀପ ମାଝି, କନକରାମ ସାହୁ, ରଘୁନାଥ ସାହୁ, ରୂପକୁମାର ମାଝି, ଚୁନୁଲାଲ ସାହୁ ପ୍ରମୁଖ ପରକୋଡ ମଣ୍ଡିର ଶତାଧିକ ଚାଷୀ ସମେତ ଜଡାମୁଣ୍ଡା ମଣ୍ଡିର ନିରାକାର ମାଝି, ସାରବଙ୍ଗ ମଣ୍ଡିର ବିନୟ ଦିକ୍ଷୀତ ପ୍ରମୂଖ ଉପସ୍ଥିତ ଥିଲେ ।

0
0
0
s2sdefault