୨୪ ଘଣ୍ଟିଆ ନଜର ରଖିବାକୁ ଏସପି ନେଲେ ନିଆରା ପଦକ୍ଷେପ
ରାୟଗଡା (Saroj Kumar Sahu) – ରାୟଗଡା ସହରରେ ଗତ କିଛି ଦିନ ଧରି ମାତିଥିବା ଅପରାଧୀଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଅଂଟା ଭିଡିଲା ରାୟଗଡା ପୋଲିସ | ଅପରାଧୀଙ୍କ ଉପରେ କଡା ନଜର ରଖିବା ପାଇଁ ଏସପି ଡଃ ଶ୍ରବଣା ବିବେକ ଏମ ନେଇଛନ୍ତି ନିଆରା ପଦକ୍ଷେପ | ରାୟଗଡା ସହରବାସୀ କିପରି ନିରାପଦ ଓ ଭୟମୁକ୍ତ ଜୀବନ ଯାପନ ଅତିିବାହିତ କରିପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବା ବିଷୟରେ ରାୟଗଡା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣା ବିବେକ ଏମ ସୂଚନା ଦେଇଥିଲେ ।
ଏସପିଙ୍କ ସୂଚନା ଅନୁଯାୟୀ ସକାଳୁ ରାତି ୧୨ ଟା ଯାଏଁ ୨ ଗୋଟି ପୋଲିସ ପେଟ୍ରୋଲିଂ ଗାଡି ସହ ୩ ଗୋଟି ବାଇକ ସହରର ବିଭିନ୍ନ ଗଳି କନ୍ଦି ବୁଲି ଅପରାଧୀମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ କାମ କରିବେ । ରାୟଗଡା ସହରର ଜନସାଧାରଣ ବିଶେଷ କରି ବରିଷ୍ଠ ନାଗରିକ ମାନେ କିପରି ନିରାପଦ ଓ ଭୟମୁକ୍ତ ଜୀବନ ଯାପନ କରିପାରିବେ ସେଥିପାଇଁ ରାୟଗଡା ପୋଲିସ ସଜାଗ ରହିଛି । ଏସ.ପି ଡଃ ଶ୍ରବଣା ବିବେକ ଏମ ରାୟଗଡା ଜନସାଧାରଣଙ୍କୁ ରାୟଗଡା ପୋଲିସକୁ ସହଯୋଗ କରିବା ସହ ଯଦି କୌଣସି ସ୍ଥାନରେ ହିଂସା, ଗଣ୍ଡଗୋଳ, ଦୁର୍ଘଟଣା ତେବେ ରାୟଗଡା ପୋଲିସର ନୂତନ ଟୋଲ ଫ୍ରି ନଂ ୯୩୪୮୨୪୬୪୬୦ ରେ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି । ରାୟଗଡା ପୋଲିସର ଏଭଳି ଏକ ନିଆରା ପଦକ୍ଷେପ ପାଇଁ ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ନରିସଂହ ନାଥ ପାଢୀ, ସଦସ୍ୟ ବ୍ରଜମୋହନ ମାଦଳା, ଗଣେଶ୍ୱର ଭାରିମଲ୍ଲ ପ୍ରମୁଖ ସାଧୁବାଦ ଜଣାଇବାସହ ରାୟଗଡା ପୋଲିସ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବୁ ବୋଲି ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ.ପି ଭି.ଆର.ରାଓ, ଏସଡିପିଓ ତପନ କୁମାର ରଥ, ଆଇଆଇସି ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।