ଜଗତସିଂହପୁର(ରମେଶ ମହାନ୍ତି)-କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ବିଦ୍ୟାଳୟ ପରିସରରେ ଜନୈକା ୭ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯିବାକୁ ପଡିଛି। ସୂଚନାନୁଯାୟୀ କାଠକୋଟ ପଞ୍ଚାୟତ ବାଣସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିପକ ମହାପାତ୍ର(୪୫)ନାମକ ଶିକ୍ଷକ ଜନୈକ ୭ମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଥିବା ଏକ ଗୃହକୁ ଏକାନ୍ତରେ ଡାକି ନେଇ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।
ଛାତ୍ରୀ ଜଣକ ବିଦ୍ୟାଳୟରୁ ଘରକୁ ଯାଇ ଘଟଣା ସମ୍ପର୍କରେ ଘର ଲୋକଙ୍କୁ ଜଣାଇବା ପରେ ଛାତ୍ରୀଙ୍କ ଅଭିଭାବକଙ୍କ ସହ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉକ୍ତ ଶିକ୍ଷକକୁ ଉତ୍ତମ ମଧ୍ୟମ ଦେଇ ବିଦ୍ୟାଳୟରେ ଅଟକ ରଖିବା ଖବର କୌଣସି ସୂତ୍ରରୁ କୁଜଙ୍ଗ ପୋଲିସ ପାଇବା ପରେ ତୁରନ୍ତ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକକୁ ଉଦ୍ଧାର କରି କୁଜଙ୍ଗ ଥାନାକୁ ନେଇ ପଚରା ଉଚରା କରିଥିଲେ ବୋଲି କୁହାଯାଉଛି।ଏନେଇ ଛାତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୧୪୫/୧୯ରେ ଏକ ମାମଲା ରୁଜୁ କରି ଶନିବାର ଦିନ ଅଭିଯୁକ୍ତ ଶିକ୍ଷକକୁ କୋର୍ଟ ଚାଲାଣ କରିଥିଲେ।କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ଯିବାକୁ ପଡିଛି ବୋଲି ଜଣାପଡିଛି।ଅଭିଯୁକ୍ତ ଶିକ୍ଷକ ଜଣକ ଆଗରୁ ମଧ୍ୟ ଅନେକ ଛାତ୍ରୀଙ୍କୁ ଏଭଳି ଅସଦାଚରଣ କରିଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।ଉକ୍ତ ଶିକ୍ଷକଙ୍କ ଘର ଗୋବର୍ଦ୍ଧନପୁର ଅଞ୍ଚଳରେ ବୋଲି କୁହାଯାଉଛି।