ବଜ୍ରପାତ ଘଟି ଜଣେ ମୃତ ଜଣେ ଗୁରୁତର
ନୂଆପଡା, (ଅମିତ ପୁରୋହିତ) : ଅଦିନିଆ ବର୍ଷା ପବନ ଯୋଗୁଁ ଜିଲ୍ଲାର କୋମନା ବ୍ଲକରେ ବଜ୍ରପାତରେ ଜଣକର ମୃତୁ୍ୟ ଘଟିଥିବା ବେଳେ ପବନ ଯୋଗୁଁ ଗଛ ଡାଳ ପଡି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗାଁ ର ଜୟଦେବ ମାଝୀ (୪୫) ଓ କିର୍ତ୍ତନ ପ୍ରଧାନ (୪୦) ନିଜ ଜମିରେ କାମ କରୁଥିବା ବେଳେ ହଠାତ ଘଡଘଡି ସହ ବର୍ଷା ହେବାରୁ ନିକଟସ୍ଥ ଏକ ବର ଗଛ ମୁଳେ ଆଶ୍ରୟ ନେଇଥିଲେ । ସେହିି ସମୟରେ ବଜ୍ରପାତ ଘଟିବାରୁ ଘଟଣା ସ୍ଥଳରେ ୨ ଜଣ ଅଚେତ ହୋଇପଡିଥିଲେ । ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ଡାକ୍ତର କିର୍ତ୍ତନ କୁ ମୃତ ଘୋଷଣା କରିଥିଲେ । ଗୁରୁତର ଜୟଦେବ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଠିକ ସେହିପରି ଧରମସାଗର ଗାଁ ର ଜଗମୋହନ ବାଗଙ୍କ ପୁଅ କ୍ରିଷ୍ନା (୫) ଘର ନିକଟସ୍ଥ ଜାମୁକୋଳି ଗଛ ନିକଟକୁ କୋଳି ଗୋଟାଇବାକୁ ଯାଇଥିବା ବେଳେ ଗଛର ଏକ ଡାଳ ଭାଙ୍ଗି ତା ଉପରେ ପଡିଥିଲା । ଫଳରେ ମୁଣ୍ଡର ପଛପଟେ ଶକ୍ତ ଆଘାତ ଲାଗିଥିଲା ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା । ଘଟଣା ଟି ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।