ହେଡଲାଇନସ୍:

ପିଆରଏମ ସରକାରୀ ମେଡ଼ିକାଲ କଲେଜ : ପୁଣି ଚିକିତ୍ସାରେ ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାରରେ ପୁଣି ଥରେ ଚିକିତ୍ସାରେ ଅବହେଳା କାରଣରୁ ନାବାଳିକାର ମୃତ୍ ହୋଇଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ହସପିଟାଲ ପରିସରରେ ଆଜି ଉତ୍ତେଜନା ଦେଖା ଦେଇଥିଲା । ମୃତ ନାବାଳିକାର ପରିବାର ବର୍ଗ ହସପିଟାଲର ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ । ଏଥିରେ ସାମିଲ ହୋଇଥିଲେ ଭଞ୍ଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ରାକେଶ ବେହେରା, ଜ୍ୟୋତି ରଞ୍ଜନ ପୃଷ୍ଟି, ଆଶିଷ କୁମାର ବାରିକ, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ କର୍ମକର୍ତ୍ତାମାନେ । ଖବରପାଇ ବାରିପଦା ସଦର ଏସଡ଼ିପିଓ କେ. ପି. ପଟ୍ଟନାୟକ ଓ ବାରିପଦା ଟାଉନଥାନା ଅଧିକାରୀ ଅଶୋକ ନାୟକ ସଦଳବଳେ ହସପିଟାଲ ପରିସରରେ ପହଁଞ୍ଚି ଧାରଣାରେ ବସିଥିବା ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ନ୍ୟାୟ ପାଇବା ନିମନ୍ତେ ମୃତ ନାବାଳିକାର ମାମୁଁ ସଞ୍ଜିତ ପାତ୍ର ହସପିଟାଲର ଡ଼ାକ୍ତର ଓ ନର୍ସମାନଙ୍କ ବିରୋଧରେ ବାରିପଦା ଟାଉନଥାନା ଅଧିକାରୀ ଶ୍ରୀନାୟକଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।
                       ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ଚାନ୍ଦୁଆ ଥାନା ଅନ୍ତର୍ଗତ ଚାଲୁଣିଆ ଗ୍ରାମର ବୀରେନ୍ଦ୍ର ପାତ୍ରଙ୍କ ୧୬ ବର୍ଷିୟା ନାବାଳିକା ଝିଅ ରଞ୍ଜିତା ପାତ୍ରଙ୍କ ଗତ ଜୁନ ୮ ଅପରାହ୍ନରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାରର ସଦସ୍ୟମାନେ ଚିକିତ୍ସା ଯୋଗାଇଦେବା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଅପରାହ୍ନ ସାଢେ଼ ୫ରେ ଭର୍ତ୍ତି କରାଇଥିଲେ । କିନ୍ତୁ, ରୋଗୀକୁ ଡ଼ାକ୍ତର  ଅଥବା ଷ୍ଟାଫ ନର୍ସ ସଠିକ୍ ଭାବେ କେୟାର ନେଇନଥିଲେ । ଫଳରେ ରଞ୍ଜିତାର ପେଟ ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଲା ଓ ଯନ୍ତ୍ରଣାରେ ଛଟପଟ ହୋଇ ଚିକ୍ରାର କରିବାରେ ଲାଗିଲା । ରାତି ପ୍ରାୟ ସାଢେ଼ ୧୦ ସମୟରେ ରୋଗୀର ଯନ୍ତ୍ରଣା ଦେଖି ମାମୁଁ ସଞ୍ଜୀବ ପାତ୍ର ଡ଼ିଉଟି ରୁମକୁ ଧାଇଁ ସେଠାରେ ଉପସ୍ଥିତ ଥିବା ଡ଼ାକ୍ତର ଓ ଷ୍ଟାଫ ନର୍ସକୁ ରୋଗୀ ଦେଖିବା ନିମନ୍ତେ ଆକୁଳ ନିବେଦନ ଜଣାଇଥିଲେ । ବାରମ୍ବାର ଗୁହାରୀ ଜଣାଇବା ପରେ ସେମାନେ ଆସି ଏକ ଇଞ୍ଜେକସନ ରୋଗୀକୁ ଫୋଡ଼ି ରୋଗୀର ଆଟେଣ୍ଡେଣ୍ଟମାନଙ୍କ ଉପରେ ବିରକ୍ତ ହୋଇ ଫେରିଯାଇଥିଲେ । କିନ୍ତୁ, ରୋଗୀର ପେଟ ଯନ୍ତ୍ରଣା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିବାରୁ ମାମୁଁ ସଞ୍ଜୀବ ପୁଣି ଥରେ ଡ଼ାକ୍ତର ଡ଼ାକିବା ନିମନ୍ତେ ଡ଼ିଉଟି ରୁମରେ ପହଁଞ୍ଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀ ମଧ୍ୟରୁ ଜଣେ ମୋବାଇଲରେ କାହା ସହିତ ବାର୍ତ୍ତାଳାପ କରୁଥିବା ବେଳେ ଅନ୍ୟଜଣେ ମୋବାଇଲରେ ଫେସବୁକରେ ବ୍ୟସ୍ତ ରହିଥିଲେ । ରୋଗୀର ଅବସ୍ଥା ଦେଖିବାକୁ ଆସିନଥିଲେ । ଡ଼ାକ୍ତର ଆସିଲେ ଦେଖିବାକୁ ଯିବେ ବୋଲି ଉତ୍ତର ଦେଇ ପୁଣି ଫୋନରେ ମାତି ଯାଇଥିଲେ । ପ୍ରାୟ ୪୫ ମିନିଟ ପରେ ଡ଼ାକ୍ତର ଆସି ରୋଗୀ ରଞ୍ଜିତାକୁ ପରୀକ୍ଷା କରିବା ବେଳକୁ ତାର ମୃତୁ୍ୟ ହୋଇସାରିଥିଲା । କିନ୍ତୁ, ଡ଼ାକ୍ତର ବାବୁ ଜଣକ ରୋଗୀ ପାଗଳ, ବିଷ ପିଇଛି ଓ ଅଭିନୟ କରୁଛି ବୋଲିି ଆକ୍ଷେପ କରିଥିଲେ ବୋଲି ମୃତ ରଞ୍ଜିତାର ମାମୁଁ ସଞ୍ଜୀବଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ବାରିପଦା ଟାଉନ ଥାନା ପକ୍ଷରୁ ସେହି ସମୟରେ ଡ଼ିଉଟିରେ ରହିଥିବା ଜଣେ ଡ଼ାକ୍ତର ଓ ଦୁଇ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନାମରେ କେଶ ନଂ ୧୩୧/୨୦୧୯, ଅଣ୍ଡର ସେକସନ ୨୮୪/ ୩୦୪(ଏ)/୩୪ ଆଇପିସିରେ ମାମଲା ରୁଜୁ ହୋଇଥିବାର ଜଣାପଡ଼ିଛି । ଭଞ୍ଜସେନା କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀସିଂଙ୍କ କହିବା ଅନୁସାରେ, ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାରେ ଚିକିତ୍ସାରେ ଅବହେଳା କାରଣରୁ ରୋଗୀ ମୃତୁ୍ୟ ଭଳି ସଙ୍ଗୀନ ଅଭିଯୋଗ ବାରମ୍ବାର ହୋଇଆସୁଥିବା ବେଳେ ଡ଼ାକ୍ତର ଓ ଷ୍ଟାଫ ନର୍ସମାନଙ୍କ କ୍ଷେତ୍ରରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ । ଆଜିର ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇଛି ଭଞ୍ଜସେନା । ହସପିଟାଲ ମ୍ୟାନେଜର ଓ ସୁପାରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରାଯାଇଛି । ଥାନାରେ କେଶ ସହିତ ହସପିଟାଲ ପକ୍ଷରୁ ଏକ କମିଟି ଏହାର ତଦନ୍ତ କରିବା ପରେ ଦୋଷୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦି, କୌଣସି ହସପିଟାଲ କର୍ତ୍ତୃପକ୍ଷ କାର୍ଯାନୁଷ୍ଠାନ  ଗ୍ରହଣ ନକରନ୍ତି, ତେବେ ଭଞ୍ଜସେନା ଆଗାମୀ ଦିନରେ ଏହାକୁ ନେଇ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀସିଂ ।

0
0
0
s2sdefault