ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଜାଳିଦେଲା ଆଖୁ କିଆରୀ
ମେଲଛାମୁଣ୍ଡା,(ମନୋଜ ଭୋଇ) : ଚାଷୀ କୂଳ ଆଖୁ ଚାଷରୁ ମୁହଁ ଫେରାଇ ନେଇଥିବା ବେଳେ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେଲମୁଣ୍ଡା ଗ୍ରାମର ଚାଷୀ ଭଗବାନ ସାହୁ ଆଖୁ ଚାଷକୁ ବଂଚାଇ ରଖିବା ସହ ଅଂଚଳ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ସେ ଚାଷକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ଆଖୁ ସବୁ ପାକଳ ହେଲା ପରେ ଅମଲ କରି କୌଣସି ସୁଗର ମିଲକୁ ଦେଇ ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ ସହ ବଡ ଝିଅର ବାହାଘର ଖର୍ଚ୍ଚ ଏବଂ ପୁଅର ପାଠ ପଢା ଖର୍ଚ୍ଚ ଅନାୟସରେ ତୁଲାଇ ନେବେ । ହେଳେ ସମୟ ତାଙ୍କର ସ୍ୱପ୍ନକୁ ଅଧୁରା ରଖିଦେଲା । ଅଚାନକ ଭାବେ ମଙ୍ଗଲବାର ମଧ୍ୟାହ୍ନ ସମୟରେ ନିଆଁ ଲାଗି ନିମିଷକରେ ତାଙ୍କର ଆଖୁ କିଆରିକି ପୋଡି ପାଉଁଶ କରିଦେଲା । କିଆରିରେ ଥିବା ସ୍ପିଙ୍କିଲର ପାଇବ ସହ ବୋର ଉଏଲ କେବୁଲ ସବୁ ମଧ୍ୟ ପୋଡି ନଷ୍ଟ ହୋଇଗଲା । ହାରାହାରୀ ୩ଲକ୍ଷଟଙ୍କାର ସଂପତି ନଷ୍ଟ ହୋଇଥିବାର ଅଭିଯୋଗ କରିଛନ୍ତି ଚାଷୀ ଭଗବାନ । ତାଙ୍କର ହୋଇଥିବା କ୍ଷତିକୁ ଦାୟୀ କରିଛନ୍ତି ବିଦ୍ୟୁତ ବିଭାଗକୁ । କାରଣ ତାଙ୍କର କ୍ଷେତ ଭିତରେ ମେଲଛାମୁଣ୍ଡାଗ୍ରୀଡର ଏକ ସର୍କିଟ ବସିଛି ଏବଂ ସେହି ସର୍କିଟ ଦେଇ ବେଲମୁଣ୍ଡା ଏବଂ ପଣ୍ଡରିପାଣି ଗ୍ରାମକୁ ବିଦ୍ୟୁତ ଯୋଗାଣ ଚାଲିଛି । ଏହି ସର୍କିଟକୁ ସ୍ଥାନନ୍ତର କରିବା ପାଇଁ ଚାଷୀ ଜଣକ ବିଦ୍ୟୁତ କର୍ମଚାରୀଙ୍କୁ ଅନେକ ଥର ଗୁହାରୀ କରିଥିଲେ | ମାତ୍ର ବିଦ୍ୟୁତ କର୍ମଚାରୀଗଣ ଚାଷୀର କଥାକୁ ଆଦୌ କର୍ଣ୍ଣପାତ କରି ନ ଥିବା ଚାଷୀ ଜଣକ ଅଭିଯୋଗ ଆଣିଛନ୍ତି । ଚାଷୀର କଥାମତେ ବିଦ୍ୟୁତ ସର୍କିଟର ଫ୍ୟୁଜରୁ ନିଆଁ ହୁଲା ପଡି ଆଖୁ ସବୁରେ ନିଆଁ ଲାଗିଛି । ଚାଷୀ ଜଣକ ଗରିବ ହୋଇଥିବାରୁ ବିଭିନ୍ନ ଲୋକଙ୍କ ପାଖରୁ ଧାର କରଜ ଆଣି ଚାଷଟି କରିଥିଲା । ଘଟଣାର ତଦନ୍ତ ସହ କ୍ଷତିପୂରଣ ପାଇଁ ପଦ୍ମପୁର ଉପଜିଲ୍ଳାପାଳ ଏବଂ ମେଲଛାମୁଣ୍ଡା ଗ୍ରୀଡରେ ଅଭିଯୋଗ କରିଛି । ସଂପୃକ୍ତ ବିଭାଗ ସବୁ କ୍ଷତିର ଯଦି ବିଚାର ନ କରେ ତେବେ ଆଗାମୀ ଦିନରେ କରଜ ବୋଝରେ ଜୀବନ ହାରିବା ପାଇଁ ବାଧ୍ୟ ହେବି ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଇଛି । ଏ ସଂପର୍କରେ ମେଲଛାମୁଣ୍ଡା ଗ୍ରିଡର ସେକସନ ଅଫିସରଙ୍କ ମୋବାଇଲ ନଂ ୯୪୩୭୨୬୨୪୨୩ ରେ ଯୋଗାଯୋଗ କରିବାରୁ ଫୋନ ଉଠାଇ ନ ଥିଲେ । ବର୍ତମାନ ହସ୍ତଶୂନ୍ୟ ହୋଇ ମୁଣ୍ଡରେ ହାତ ଦେଇ ଭଗବାନଙ୍କ ଭରସାରେ ବସିରହିଛ ଅସହାୟ ଚାଷୀ ଭଗବାନ ସାହୁ । ତାକୁ ତୁରନ୍ତ ସରକାରୀ ସହଯୋଗ ଯୋଗାଇଦେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।