ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-୧ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବଡ଼ଭାଇ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଗ୍ରାମର ମିର୍ଜା ମୁର୍ମୁ(୩୯)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ଦଣ୍ଡ ବିଧି ଆଇନ ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅର୍ଥ ଅନାଦେୟରେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୪ ଅଗଷ୍ଟ ୧୨ ସକାଳ ପ୍ରାୟ ସାଢେ଼ ୬ ସମୟରେ ଗୁଞ୍ଜୁସାହି ପଞ୍ଚାୟତର ସମିତି ସଦସ୍ୟ ବାଇଧର ବିନ୍ଧାଣି ଗୁଞ୍ଜୁସାହି ଗ୍ରାମର ବାବଲୁ ମୁର୍ମୁକୁ କେହି ମାରି ଦେଇଥିବା ବିଷୟରେ କୁଅଁର ମୁର୍ମୁ ନିକଟରୁ ଜାଣିବାକୁ ପାଇ ଘଟଣାସ୍ଥଳକୁ ଦୌଡ଼ିଯାଇଥିଲା । ସେଠାରେ ବାବଲୁ ମୁର୍ମୁ ମରି ତଳେ ପଡ଼ିଥିବାର ଦେଖି ବାରିପଦା ସଦର ଥାନାକୁ ଜଣାଇଥିଲା । ଖବର ପାଇ ଥାନା ଅଧିକାରୀ ସଦଳବଳେ ଗୁଞ୍ଜୁସାହି ଗ୍ରାମରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ଏହି ସମୟରେ ହତ୍ୟାରେ ବ୍ୟବହୃତ କୁରାଢ଼ୀ ଓ ଏକ ଲୁହା ରଡ଼କୁ ମଧ୍ୟ ପୁଲିସ ଜବତ କରିଥିଲେ । ପୁଲିସ ପ୍ରାଥମିକ ତଦନ୍ତରୁ ମୃତ ବାବଲୁର ବଡ଼ ଭାଇ ମିର୍ଜା ମୁର୍ମୁର ସ୍ତ୍ରୀ ସହିତ ବାବଲୁ ଶାରିରୀକ ସମ୍ପର୍କ ରହିଥିବା ବିଷୟ ମିର୍ଜା ଜାଣିବାକୁ ପାଇବା ପରେ କ୍ରୋଧିତ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିବାର ଜାଣିବାକୁ ପାଇଥିଲେ । ଏହି ହତ୍ୟାମାମଲାକୁ ନେଇ ବାରିପଦା ସଦର ଥାନାରେ ୮୩/୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲାରେ ଥିବା ମୋଟ ୧୯ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଆଦାଲତ ପକ୍ଷରୁ ଆଜି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି କୃଷ୍ଣ ଚନ୍ଦ୍ର ଦାସ ପରିଚାଳନା କରିଥିଲେ ।