ବାଲେଶ୍ୱର,(ଉଜ୍ଜ୍ୱଳ କର ): ପ୍ରସୂତିଙ୍କ ପରିବାରଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ କରିବା ଓ କମ୍ ଅର୍ଥ ପାଇଁ ପ୍ରସୂତି ପରିବାରର ବୃଦ୍ଧାଙ୍କୁ ମାଡ଼ ମାରିବା ମାମଲାରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଅଭିଯୁକ୍ତ ନର୍ସକୁ ଆଜି ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି । ଗିରଫ ନର୍ସ ଜଣକ ହେଲେ ରୀତା ହାତୀ । ଗତ ୧୦ ତାରିଖରେ ଜନୈକ ପ୍ରସୂତିଙ୍କ ସମ୍ପର୍କୀୟ ବୃଦ୍ଧାଙ୍କଠାରୁ ଜବରଦସ୍ତ ଅର୍ଥ ଆଦାୟ କରି ବିବାଦ ଘେରକୁ ଚାଲି ଯାଇଥିଲେ । କମ୍ ଅର୍ଥ ଦେଇଥିବା ବୃଦ୍ଧାଙ୍କୁ ଶ୍ରୀମତୀ ହାତୀ ମାଡ଼ ମାରିବା ଦେଖି ଅନ୍ୟାନ୍ୟ ରୋଗୀ ପରିବାର ତାଙ୍କୁ ମିଳିତ ଭାବେ ଗୋଡେ଼ଇ ପିଟିଥିଲେ । ଏନେଇ ଦୁଇଗୋଟି ମାମଲା ରୁଜୁ ହୋଇଥିଲା । ତଦନ୍ତ ଶେଷ ପରେ ପୁଲିସ ଆଜି ଶ୍ରୀମତୀ ହାତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ନହେବା ପାଇଁ ଶ୍ରୀମତୀ ହାତୀ ଆହତର ଅଭିନୟ କରି ୧୦ ତାରିଖରୁ ଡାକ୍ତରଖାନାରେ ଏଡମିସନ ହୋଇ ରହିଥିଲେ । ଏମିତିକି ଡିସଚାର୍ଜ ହେବାର ନାଁ ଧରୁ ନଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ବି ତାଙ୍କୁ ସହଯୋଗ କରୁଥିଲେ ।