ବାରିପଦା,(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ତଥା ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଳ ଗ୍ରାମରେ ଗୋଟିଏ ପରିବାରର ୨ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏବଂ ଅନ୍ୟ ଜଣେ ବୃଦ୍ଧଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ମେ ୨୨ ବୁଧବାର ସକାଳେ ଦେଖିବାକୁ ମିଳିଥିଲା । ଖବର ପାଇ ବାରିପଦା ସଦର ଏସ୍ଡିପିଓ କେ.ପି. ପଟ୍ଟନାୟକ ଓ ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ସଦଳବଳେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଧରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ଗ୍ରାମର ଶ୍ୟାମ ମାର୍ଣ୍ଡି(୬୦) ଜଣେ ମାନସିକ ବିକୃତ ବ୍ୟକ୍ତି। ତାଙ୍କର ପ୍ରଥମ ସ୍ତ୍ରୀ ଫୁଲମଣି ଓ ଦ୍ଵିତୀୟ ସ୍ତ୍ରୀ ସାଲଖୋ। ମଙ୍ଗଳବାର ବିଳମ୍ବିତ ରାତିରେ ଫୁଲମଣି ଓ ସାଲଖୋ ଭିନ୍ନ କୋଠରୀରେ ଶୋଇଥିବା ବେଳେ ଶ୍ୟାମ ଏକ ହାତୁଡିରେ ବାଡେଇ ଉଭୟଙ୍କୁ ମାରି ହତ୍ୟା କରିଥିଲେ। ପରେ ଶ୍ୟାମ ଘର ସମ୍ମୁଖରେ ଥିବା ଏକ ଛୋଟ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଶ୍ୟାମଙ୍କ ଶଳା ସୁନାରାମ ମୁର୍ମୁଙ୍କ ନିକଟରୁ ବୁଧବାର ସକାଳେ ଲିଖିତ ଅଭିଯୋଗ ହେବା ପରେ ବାରିପଦା ସଦର ଥାନାରେ କେସ୍ ନଂ. ୪୮/୧୯ରେ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ୍ ସରକାରୀ ମେଡିକାଲ କଲେଜକୁ ପଠାଇଦେଇଛି । ଏଥି ସହିତ ଘଟଣା ଉପରେ ତଦନ୍ତ ଜାରି ରହିଛି ବୋଲି ଏସ୍ଡିପିଓ ଶ୍ରୀପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ଧର୍ମାନ୍ତରୀକରଣକୁ ନେଇ ଘଟିଥିବାର ସନ୍ଦେହ କରାଯାଉଛି । ଶ୍ୟାମ ପ୍ରାୟ ୩ ମାସ ପୂର୍ବେ ଖ୍ରୀଷ୍ଟିଆନ ଧର୍ମକୁ ଅସ୍ପନେଇ ନେଇଥିବାର ଜଣାପଡିଛି ।
ପାରିପାର୍ଶିକ ଅବସ୍ଥା ଅନୁଧ୍ୟାନ କଲେ ଅନେକ କିଛି ସୂଚନା ମିଳୁଛି । ଘଟଣାଟି ମେ ୨୧ ବୁଧୁବାର ରାତି ପ୍ରାୟ ୧୧ରୁ ସାଢ଼େ୧୧ ମଧ୍ୟରେ ଘଟିଥିବା ବେଳେ ପଡ଼ୋଶୀମାନେ ଜାଣି ପସରିଲେ ନାହିଁ କିପରି । ଜଣେ ୬୦/୬୫ ବର୍ଷର ବୃଦ୍ଧ ଘର ଭିତର କୋଠରୀରେ ଓ ଘର ବାହାର ପିଣ୍ଡାରେ ଦୁଇ ଜଣଙ୍କୁ ହାତୁଡ଼ିରେ ବାଡେଇ ହତ୍ୟା କରିବାକୁ କଣ ସେମାନେ ଅପେକ୍ଷା କରି ରହିଥିଲେ । ଏହାର ପ୍ରତିରୋଧ କରିବା ସହ ଚିତ୍କାର ଓ ପାଟି କରିନଥିଲେ । ଏହି ଚିତ୍କାର କିମ୍ବା ପାଟିତୁଣ୍ଡକୁ ରାତିରେ ମାତ୍ର ୨୦ ଫୁଟ ବ୍ୟବଧାନରେ ବସବାସ କରୁଥିବା ପଡ଼ୋଶୀ ଜାଣି ପାଟିଲେ ନାହିଁ କିପରି । ପୁଣି ଦୌଡ଼ି ଲଗାଇ ଏକ ଛୋଟ ଗଛରେ ଆତ୍ମହତ୍ୟା କରିବା ଏବଂ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ୟାମର ଦୌଡ଼ି ସହ ମାଟିରେ ଆଣ୍ଠୋଇବା ଅବସ୍ଥାରେ ଝୁଲି ରହିବା ସହ ଶବର କେତେକ ଅବସ୍ଥା ସନ୍ଦେହ ଘେରକୁ ଟାଣି ହୋଇ ଆସୁଛି । ତେବେ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚାଲୁ ରହିଛି । ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ବୋଲି ଏସଡିପିଓ ଶ୍ରୀପଟ୍ଟନାୟକ କହିଛନ୍ତି ।