ମେଲଛାମୁଣ୍ଡା ଅଂଚଳରେ ବଣୁଆ ଭାଲୁ ଆତଙ୍କ: ଠାବ କରିବାରେ ବନ ବିଭାଗ ବିଫଳ
ମେଲଛାମୁଣ୍ଡା( ମନୋଜ ଭୋଇ) କିଛି ଦିନ ହେବ ମେଲଛାମୁଣ୍ଡା ଅଂଚଳରେ ଏକ ବଣୁଆ ଭାଲୁ ଅଂଚଳବାସୀଙ୍କୁ ଆତଙ୍କିତ କରି ରଖିଛି । ଅଦ୍ୟାବଧି ୪ଜଣ ବ୍ୟକ୍ତି ବଣୁଆ ଭାଳୁର ଆକ୍ରମଣର ଶିକାର ହେବା ସହ ମରଣ ମୁହଁରୁ ଅଲ୍ପକେ ବଂଚିଯାଇଛନ୍ତି । ସପ୍ତାହ ବ୍ୟାପି ବଣୁଆ ଭାଲୁଟି ବିଭିନ୍ନ ସ୍ଥାନରେ ତାଣ୍ଡବ କରିଚାଲିଥିଲେ ମଧ୍ୟ ମେଲଛାମୁଣ୍ଡା ସେକସନ ଅଧିନରେ କାର୍ଯ୍ୟରତଥିବା ଡଜନ ଡଜନ ବନ କର୍ମଚାରୀ ଭାଲୁଟିର ଟେର ନ ପାଇପାରୁନାହାନ୍ତି । ବନ କର୍ମଚାରୀଙ୍କ ବିଫଳତାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରାପ୍ତସୂଚନାନୂସାରେ ମେଲଛାମୁଣ୍ଡା ସେକସନ ଅଧିନସ୍ତ ଦୁବୁଲାବାହାଲ ଗାଁ ମୁଣ୍ଡକୁ ଜଙ୍ଗଲରୁ ଏକ ବଣୁଆ ଭାଲୁ ଓହ୍ଳାଇ ଆସିଛି । ସକାଳ ୭ଟାରେ ଗ୍ରାମର ପୁରୁଷ ମହିଲା ମାନେ କେନ୍ଦୁପତ୍ର ତୋଳିବାକୁ ନିଜ ନିଜ କ୍ଷେତକୁ ଯିବା ସମୟରେ ଭାଲୁ ସହିତ ମୁହାଁମୁହିଁ ହୋଇଥିଲେ । ଅଚାନକ ଭାଲୁ ହାବୁଡରେ ପଡିଯିବା ଲୋକ ଭାଳୁର ଆକ୍ରମଣ ଶିକାର ହୋଇଥିବା ବେଳେ ଅନେକ ଲୋକ ଭାଳୁ ଦାଉରୁ ନିଜକୁ ବଂଚାଇବାକୁ ଯାଇ ତଳେ ପଡି ଖଣ୍ଡିଆ ଖାବରା ହୋଇଯାଇଛନ୍ତି । କାହାର ହାତ ଭାଙ୍ଗିଛି ତ କାହାର ଗୋଡ ଭାଙ୍ଗିଥିବା ବେଳେ ଜଣ ଜଣକୁ ଭାଳୁ ମୁନିଆ ନଖରେ ରାମ୍ପୁଡି ଦେଇଛି । ଦୁବୁଲାବାହାଲ ଗ୍ରାମର କୃପାସିନ୍ଧୁ ସାହୁଙ୍କ ହାତ ଭାଙ୍ଗିଥିବା ବେଳେ କୃଷ୍ଣ ଭୋଇ ଓ କ୍ଷିରେଶ୍ୱର ପଧାନଙ୍କ ଦେହରେ ରାମ୍ପୁଡା ଚିହ୍ନ ରହିଛି । ସେହିପରି ମେଲଛାମୁଣ୍ଡା ସାପ୍ତାହିକ ବଜାରରେ ଭୋରରୁ ଖମ୍ବ ପୋତୁଥିବା ମେଲଛାମୁଣ୍ଡା ଗ୍ରାମର ପ୍ରକାଶ କଲେତକୁ ରାମ୍ପୁଡି ଦେଇଥିବା ବେଳେ ଅନ୍ୟ ଜଣକୁ ଅଧ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବା ପାଇଁ ଗୋଡାଇଥିବାର ଦୃଷ୍ଟାନ୍ତ ରହିଛି । ଭାଳୁ ଆକ୍ରମଣର ପିଡାଠୁ ବନ ବିଭାଗ କର୍ମଚାରିଙ୍କ ଅସହଯୋଗ ପିଡିତ ବ୍ୟକ୍ତିଙ୍କୁ ଅଧିକ ବାଧକର ହେଉଥିବା ଅଭିଯୋଗ ହେଉଛି । କାରଣ ବନ କର୍ମଚାରିମାନେ ପିଡିତ ବ୍ୟକ୍ତିଙ୍କୁ ପ୍ରତକ୍ଷଭାବେ ସାହାର୍ଯ୍ୟ କରିବା ପରିବର୍ତେ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଦଉଡି ରିପୋଟ ଆଣିବା ପାଇଁ ହୁକୁମ ଚଳାଇବା ବେଡି ଉପରେ କୋରଡା ମାଡ ସଦୃଶ ହୋଉଥିବା ଅଭିଯୋଗ ହେଉଛି । କିଛି ପିଡିତ ବ୍ୟକ୍ତି ବିଭିନ୍ନ ଅଫିସକୁ ଦଉଡି ହଇରାଣ ହରକତ ହେବା ଅପେକ୍ଷା ଭାଗ୍ୟକୁ ଆଦରୀ ନେବାକୁ ଶ୍ରେୟ ମଣୁଥିବା ଦେଖିବାକୁ ମିଳୁଛି । ଯଦ୍ୱାରା ପିଡିତ ବ୍ୟକ୍ତି ବନ ବିଭାଗ ତରଫରୁ ସରକାରୀ ସାହର୍ଯ୍ୟ ପାଇବା ଏକ ପ୍ରକାର ପ୍ରହସନ ପାଲଟିଛି । ମେଲଛାମୁଣ୍ଡା ଅଂଚଳବାସୀ କିଛି ମାସ ପୂର୍ବେ ସପ୍ତାହ ବ୍ୟାପି ହାତୀ ଆତଙ୍କରେ ଆତଙ୍କିତ ଥିବା ବେଳେ ବର୍ତମାନ ଭାଲୁ ଆତଙ୍କରେ ଆତଙ୍କିତ ରହିଛନ୍ତି । ବନ୍ୟ ଜନ୍ତୁ ସବୁ ଖାଦ୍ୟ ଏବଂ ଜଳ ଅନ୍ୱେଷଣରେ ଜନବସତି ମୁହାଁ ହେଉଥିବା ସହିତ ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଘଟଣାକୁ ପ୍ରକୃତି ପ୍ରେମି ମାନେ ଘେଁସ ରେଂଜ ଅଂଚଳରେ ଦୃତ ଗତିରେ ଚାଲିଥିବା ଜଙ୍ଗଲ କ୍ଷୟକୁ ଦାୟୀ କରୁଛନ୍ତି । ଆହରୀ ମଧ୍ୟ ବନ୍ୟ ଜନ୍ତୁଙ୍କ ପାଇଁ ଜଙ୍ଗଲ ଉପରେ ପାଣିର ବ୍ୟବସ୍ଥା ପାଇଁ ବିଭାଗ ତରଫରୁ ନାମକୁ ମାତ୍ର ପୋଖରୀ ଖୋଲିବା ଘଟଣାକୁ ମଧ୍ୟ ପ୍ରକୃତି ପ୍ରେମିଗଣ ଦାୟୀ କରୁଛନ୍ତି । ଜନବସତି ମଧ୍ୟକୁ ପଶି ଆସୁଥିବା ବନ୍ୟ ଜନ୍ତୁଙ୍କୁ ଠାବ କରିବା ସହ ଜନସାଧାରଣଙ୍କ ଧନ ଜୀବନକୁ ରକ୍ଷା ପାଇଁ ବନ କର୍ମଚାରୀ ଆଗଭର ହୁଅନ୍ତୁ ନଚେତ ଆଗାମୀ ଦିନରେ ଜନସାଧାରଣଙ୍କ ରୋଷର ଶିକାର ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଘେଁସ ରେଂଜର ରେବତି ରମଣ ଯୋଷୀଙ୍କୁ ପଚରାଯିବାରୁ ବଣୁଆ ଭାଳୁକୁ ଠାବ କରିବା ପାଇଁ ଆମ ଷ୍ଟାପ ଲାଗିଛନ୍ତି ବୋଲି ପ୍ରକାଶ କରିଥିଲେ ।