ବାରିପଦା(ଅରବିନ୍ଦ ଦାସ)- ବାରିପଦା ସହର ଉପକଣ୍ଠ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର କାଠପାଳ ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଉଲଟି ପଡ଼ିବା ଫଳରେ ଡ୍ରାଇଭର ସହ ଗାଡ଼ି ଭିତରେ ଥିବା ଫାର୍ମାସିଷ୍ଟ ଆହତ ହୋଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ୧୦୮ ଆମ୍ବୁଲାନ୍ସ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକରୁ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜକୁ ରୋଗୀ ନେବା ନିମନ୍ତେ ଟିକିଏ ବିଳମ୍ବରେ ପହଁଞ୍ଚିଥିଲା । ସେତେବେଳକୁ ରୋଗୀକୁ ପରିବାର ଲୋକେ ଘରୋଇ ଗାଡ଼ିରେ ମେଡ଼ିକାଲକୁ ନେଇ ସାରିଥିଲେ | ଫଳରେ ୧୦୮ ଆମ୍ବୁଲାନ୍ସଟି କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରିଯାଉଥିବା ବେଳେ କାଠପାଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ମୟୂରଭଞ୍ଜ ଜିଲ୍ଲାରେ ମାଗଣାରେ ରୋଗୀମାନଙ୍କୁ ହସପିଟାଲକୁ ନେବା ନିମନ୍ତେ ସରକାର ଯୋଗାଇ ଦେଇଥିବା ୧୦୮ ଆମ୍ବୁଲାନ୍ସ ବାରମ୍ବାର ଦୁର୍ଘଟଣା ଗ୍ରସ୍ତ ହେଉଥିବାରୁ ଆମ୍ବୁଲାନ୍ସର ଡ୍ରାଇଭରର ଦକ୍ଷତା ଦିଗକୁ ଅଙ୍ଗୁଳି ନିଦେ୍ର୍ଧଶ କରାଉଛି । ଫଳରେ ୧୦୮ ଆମ୍ବୁଲାନ୍ସରେ ରୋଗୀ ନେବା ଉପରେ ଜିଲ୍ଲାବାସୀ ଆସ୍ଥା ହରାଇକୁ ବସିଛନ୍ତି । ତେଣୁ, ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଭବିଷ୍ୟତରେ ବଡ଼ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇ ଧନଜୀବନ ହାନୀ ପହଁଞ୍ଚାଇବା ପୂର୍ବରୁ ଏଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି ।