ମେଲଛାମୁଣ୍ଡା(ମନୋଜ ଭୋଇ)- ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । ପରିବେଶବିତ ଗଣ ପରିବେଶର ବିପର୍ଯ୍ୟୟର କାରଣ ଜଙ୍ଗଲ ଧ୍ୱଂସ ହେବାକୁ ଠଅରାଉଛନ୍ତି । ଏଥି ପାଇଁ ସରକାର ତତ୍ପରତା ଦେଖାଇଛନ୍ତି । ଜଙ୍ଗଲ ସୁରକ୍ଷା ତଥା ନୂତନ ଜଙ୍ଗଲ ସୃଷ୍ଟି ପାଇଁ କଡା କଡି ଆଇନ ତିଆରି ସହ ବନ ବିଭାଗ ଜରିଆରେ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି। ମାତ୍ର ସରକାରଙ୍କ ଆଇନ କାନୁନ ସବୁକୁ ବରଗଡ ଜିଲ୍ଳା ଘେଁସ ରେଂଜର ବନ କର୍ମଚାରୀ ଗଣ ଫାଇଲର ନାଲି ଫିତା ତଳେ ବାନ୍ଧିଦେଇ ନିଜ ସୁବିଧା ଅନୁସାରେ କାମ କରୁଥିବା ଅଭିଯୋଗ ହେଉଛି । ଏହି ରେଂଜ ଅଂଚଲର ବିଭିନ୍ନ ଜଙ୍ଗଲରେ କେତେ ବେଳେ ଶହ ଶହ ସଂଖ୍ୟାରେ ଗଛ କଟିଯାଉଛି ତ କେତେ ବେଳେ ବନ୍ୟ ଜନ୍ତୁଙ୍କ ଜୀବନ ଅତି ସହଜରେ ଶିକାରୀଙ୍କ ହାତରେ ଚାଲିଯାଉଥିବା ଅନେକ ଦୃଷ୍ଟାନ୍ତ ରହିଛି । ବର୍ତମାନ ଏହିପରି ଏକ ଚିନ୍ତାଜନକ ଘଟଣା ଲୋକଲୋଚନ ଆସିଯାଇଛି । ଘଟଣାଟି ଘଟିଛି ଦିପ୍ତିପୁର ସେକସନ ଅଧିନସ୍ତ ଚକାଖଲିଆ ଜଙ୍ଗଲରେ । ଚକାଖଲିଆ ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ଶହ ଶହ ସଂଖ୍ୟାରେ ଗଛ କଟିଯାଇଛି । ବନ ବିଭାଗ ଠୋସ କିଛି ପଦକ୍ଷେପ ନେଇ ନ ଥିବାରୁ ବୁଦ୍ଧିଜୀବିଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ଚକାଖଲିଆ ଗ୍ରାମରେ ୩ଜଣ ଜଗୁଆଲି, ଘଟଣା ସ୍ଥଲରୁ ୨କି,ମି ଦୂରତାରେ ବନ ରକ୍ଷୀ ଏବଂ ୫କି.ମି ଦୂରରେ ବନପାଳଙ୍କ ବାସ ସ୍ଥାନ ଥିବା ସତ୍ୱେ ଦିବା ଲୋକରେ ଶହ ଶହ ଗଛ କଟାଯିବା ଘଟଣା ବନ କର୍ମଚାରୀଙ୍କ ଭୂମିକା ସଂନେ୍ଦହ ଘେରକୁ ଟାଣି ହୋଇଯାଉଛି । ବନ କର୍ମଚାରୀମାନେ ରିତି ମତ ଗଛ ମାଫିଆଙ୍କ ସହ ହାତ ମିଳାଇ ଗଛ ଚାଲାଣ କରୁଥିବା ବୁଦ୍ଧୀଜୀବି ମାନେ ଅଭିଯୋଗ କରୁଛନ୍ତି । ଚକାଖଲିଆ ଘଟଣାକୁ ବନ କର୍ମଚାରୀମାନେ ଚପାଇ ଦେବାକୁ ଉଦ୍ୟମ କରୁଥିଲେ ମାତ୍ର ବୁଦ୍ଧିଜୀବିଙ୍କ ହସ୍ତକ୍ଷେପ ପରେ ଗଛ ସବୁକୁ ଜବତ କରି ଦିପ୍ତିପୁର ସ୍ଥିତ କାଠ ଗୋଦାମରେ ଜମା ଦେଇଛନ୍ତି । କିଛି ଗଛ ଘଟଣା ସ୍ଥଳରୁ ଜବତ ହୋଇଥିବା ବେଳେ ବହୁତ ପରିମାଣର ଗଛ ସ୍ଥାନାନ୍ତର ହୋଇ ଚାଲାଣ ହେବା ଅପେକ୍ଷାରେ ଥିବା ବିଜୁ ଏକ୍ସପ୍ରେସ େଓ ରାସ୍ତାର ଶହେ ମିଟର ଦୂରରୁ ଉଦ୍ଧାର ହୋଇଛି । ଘଟଣା ସ୍ଥଳରୁ ରାଜ ରାସ୍ତା କଡକୁ ଟ୍ରାକ୍ଟର ଯୋଗେ ଗଛ ସବୁ ଆସିଥିବା ଖବର ବନ ରକ୍ଷୀଙ୍କ ପାଖରେ ଥିଲେ ମଧ୍ୟ ଘଟଣାକୁ ଚପାଇ ଦେବା ବିଷୟକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି । ଘଟଣାର ପାଂଚ ଦିନ ବିତିଯାଇଥିଲେ ମଧ୍ୟ ବନ ବିଭାଗ ତରଫରୁ ଗଛ ଚୋରା ରାକେଟର ପର୍ଦ୍ଦାଫାଶ କିମ୍ବା ଗଛ ମାଫିଆ ମାନଙ୍କୁ ଗିରଫ କରିବାରେ ଘେଁସ ରେଂଜ ବନ ବିଭାଗ ବିଫଳ ହୋଇଥିବାରୁ ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି । ବିଭାଗିୟ ଉଚ୍ଚ କତୃପକ୍ଷ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରେକେଟରେ ସାମିଲ ଥିବା କାଠ ମାଫିଆ ଏବଂ ଅସାଧୁ ବନ କର୍ମଚାରୀଙ୍କ ମୁଖା ଖୋଲିବା ପାଇଁ ବୁଦ୍ଧିଜୀବି ମହଳରେ ଦାବୀ ହେଉଛି । ଏ ସଂପର୍କରେ ବନରକ୍ଷୀ ଦିପ୍ତିବାଲା ତାଣ୍ଡିକୁ ବାରମ୍ବାର ଫୋନ କରାଯାଇଥିଲା ମାତ୍ର ଫୋନ କାଟିଦେଇଥିବା ବେଳେ ବନପାଲ ପୂର୍ଣ୍ଣଚନ୍ଦ୍ର ଦୋରା କଟା ଯାଇଥିବା ଗଛ ସବୁକୁ ଦୁଇଟି ସ୍ଥାନରୁ ଜବତ କରାଯାଇଥିବା ପ୍ରକାଶ କରିଥିଲେ । ରେଂଜର ରେବତୀ ରମଣ ଯୋଷୀଙ୍କ ପଚରାଯିବାରୁ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ତିନି ବର୍ଷ ପୂର୍ବେ ଏହି ବନ କର୍ମଚାରୀଙ୍କ ଦାୟିତ୍ୱରେ ଥିବା ଲମ୍ବରଜୁନା ଗାଁ ମୁଣ୍ଡ ରାସ୍ତା କଡରୁ ହଜାର ସଂଖ୍ୟାରେ ଗଛ କଟିଯାଇଥିଲା ମାତ୍ର ସେହି ଘଟଣାର ମଧ୍ୟ ଅଦ୍ୟାବଧି ପର୍ଦାଫାସ ହୋଇ ପାରିନାହିଁ ।