ହେଡଲାଇନସ୍:

ନର୍ସଙ୍କ ସାମୂହିକ କାର୍ଯ୍ୟବନ୍ଦରେ ରୋଗୀସେବା ଠପ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

. ଅସହାୟ ଡାକ୍ତରଖାନା କର୍ତ୍ତୃପକ୍ଷ-ପ୍ରଶାସନିକ ମୁଖ୍ୟ 

.ଅର୍ଥ ଆଦାୟକୁ ବୈଧ ସହ ପ୍ରତି ବିଭାଗରେ ରେଟ୍ ଚାର୍ଟ ଲଗାଇବାକୁ ପ୍ରସ୍ତାବ

ବାଲେଶ୍ୱର(ଉଜ୍ଜ୍ୱଳ କର ): ବେଆଇନ୍ ଅର୍ଥ ଆଦାୟକୁ ନେଇ ନିକଟ ଅତୀତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ପରିବାର ଓ ନର୍ସଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ କ୍ରମଶଃ ଜଟିଳ ହେବାରେ ଲାଗିଛି । ଏହି ଗଣ୍ଡଗୋଳକୁ ନେଇ ରୁଜୁ ମାମାଲରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ନର୍ସମାନେ ଗତ ୧୦ ତାରିଖ ଭଳି ଆଜି ହଠାତ କାର୍ଯ୍ୟବନ୍ଦ ସହ ଧାରଣାରେ ବସି ରହିବା ଫଳରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୫ ଘଣ୍ଟାଧରି ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଥିଲା । ସକାଳେ ଡାକ୍ତରମାନଙ୍କର ୱାର୍ଡ ପରିଦର୍ଶନ ପରେ ପରେ ନର୍ସମାନେ ସାମୂହିକ ଭାବେ କାର୍ଯ୍ୟବନ୍ଦ ସହ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ୱାର୍ଡ ଭିଜିଟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରୋଗୀଙ୍କ ଇଂଜେକ୍ସନ କିମ୍ବା ସାଲାଇନ୍ ଦେବାକୁ ନର୍ସମାନେ ତିଳେମାତ୍ର ଅପେକ୍ଷା କରି ନଥିଲେ । ଫଳରେ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିବା ଲକ୍ଷ୍ୟ କରାଯାଇଥିଲା । ଏମିତିକି ଡାକ୍ତରଖାନା ନିକଟସ୍ଥ ପାଥୋଲାବରୁ  କର୍ମଚାରୀଙ୍କ ସହାୟତାରେ କେତେକ ରୋଗୀଙ୍କୁ ପରିବାର ଲୋକେ ସାମୟିକ ଚିକିତ୍ସା  କରାଇଥିବା ଦେଖିବାକୁ ମିଳିଥିଲା । ତେବେ ଜିଦରେ  ଅଟଳ ନର୍ସମାନଙ୍କ ଯୋଗୁଁ ଡାକ୍ତରଖାନାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଉଡାଵର୍ଗ  ପ୍ରକାଶ ସହ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ ନର୍ସମାନଙ୍କ ଏଭଳି ଆନ୍ଦୋଳନ  ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ନର୍ସମାନେ ଏଥିରୁ ତୁରନ୍ତ ନିବୃତ ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ହେବ ବୋଲି ସେ ଚେତାବନୀ ଦେଇଥିଲେ । ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଉପ-ଜିଲ୍ଲାପାଳ ଓ ସିଡିଏମଓ ନର୍ସମାନଙ୍କ ସହ ଦୀର୍ଘ ସମୟ ଆଲୋଚନା  ପରେ ସେମାନେ ଆନ୍ଦୋଳନରୁ କ୍ଷାନ୍ତ ହୋଇଥିଲେ । ଶିଶୁ ଜନ୍ମପରେ ପ୍ରସୂତିଙ୍କ ପରିବାରଠାରୁ ଅର୍ଥ ଆଦାୟକୁ ନେଇ ଗତ ଦଶ ତାରିଖରେ ମୁଖ୍ୟ ଚିକିତ୍ସାଳୟ  ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା । ଧାର୍ଯ୍ୟ ଅର୍ଥ ନଦେବାରୁ ପ୍ରସୂତିଙ୍କ ସମ୍ପର୍କୀୟଙ୍କୁ ନର୍ସଙ୍କ ଠେଲାପେଲା କରିବା ଓ ଏଥିରେ ଉତ୍ତ୍ୟକ୍ତ ହୋଇ ଡାକ୍ତରଖାନାର ଅନ୍ୟାନ୍ୟ ରୋଗୀ ପରିବାରମାନେ ମିଳିତଭାବେ ନର୍ସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେବେ ଏନେଇ ଉଭୟଙ୍କ ପକ୍ଷରୁ ଏତଲା ଗ୍ରହଣ ପୂର୍ବକ ପୁଲିସ ରୁଜୁ କରିଥିବା ପୃଥକ ପୃଥକ ଦୁଇଗୋଟି ମାମଲା ଏବେ ବିଚାରାଧୀନ ଅଛି । ମେଡିକାଲ କଲେଜକୁ  ରୂପାନ୍ତରିତ ହେବା ପରେ ମଧ୍ୟ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ବର୍ଦ୍ଧିତ ଦୌରାତ୍ମ୍ୟ ଏବେ ଜିଲ୍ଲାବାସୀଙ୍କ ପାଇଁ ଉଦବେଗର ବିଷୟ ହୋଇଛି । ଡାକ୍ତରଖାନାର ଅପରେସନ ଥିଏଟର ହେଉ କି ଲେବର ରୁମ୍, ପ୍ରତ୍ୟେକ ବିଭାଗରେ ରୋଗୀଙ୍କଠାରୁ ମୂଲଚାଲ ଧାରାରେ ଡାକ୍ତର, ନର୍ସ ଓ କର୍ମଚାରୀମାନେ ବେଆଇନ ଭାବେ ଅର୍ଥ ଆଦାୟ କରୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି  । ଏହି ବେଆଇନ୍ ଅର୍ଥ ଆଦାୟକୁ ଡାକ୍ତରଖାନା କର୍ତ୍ତୃପକ୍ଷ ରୋକିପାରୁ ନଥିବା ବେଳେ ଅନ୍ତତଃ ପକ୍ଷେ ଏହାକୁ ଆଇନ୍ ସିଦ୍ଧ କରିବାର ଆବଶ୍ୟକତା ରହିଛି ବୋଲି ଏବେ ସମସ୍ତେ ହୃଦବୋଧ କଲେଣିି । ଏନେଇ ପ୍ରତ୍ୟେକ ବିଭାଗରେ ରେଟ୍ ଚାର୍ଟ  ଲଗାଇ ଦେଲେ ତାହାକୁ ଦେଖି ରୋଗୀ ପରିବାର ଆଉ ଝଗଡ଼ାଝାଣ୍ଟି ନ କରି ଧାର୍ଯ୍ୟ ଅର୍ଥ ଆଗତୁରା ଦେଇ ପାରିବେ ବୋଲି କେତେକ ସମାଜସେବୀ ଆଜି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଏହି ଦିଗରେ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

 

0
0
0
s2sdefault