ବାଲେଶ୍ୱର(ଉଜ୍ଜ୍ୱଳ କର ): ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବେଲଦା ଓ ରୂପସା ମଧ୍ୟରେ ଓଭରହେଡ୍ ରେଳ ବିଦ୍ୟୁତ ତାର ଛିଣ୍ଡିପଡ଼ିବା ଯୋଗୁଁ ସୋମବାର ରାତିଠାରୁ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଏହି ତାର ଛିଣ୍ଡିବା ଯୋଗୁଁ ଗତକାଲି ରାତି ପ୍ରାୟ ୧ଟାଏଠାରୁ ଅପ୍ ଲାଇନର ସମସ୍ତ ଟ୍ରେନକୁ କର୍ତ୍ତୃପକ୍ଷ ବାତିଲ କରି ଦେଇଥିଲେ । ଧଉଳି ଏକ୍ସପ୍ରେସ, ଫଲକନାମା ଏକ୍ସପ୍ରେସ୍, ମାଡ୍ରାସ ମେଲ୍, ପୁରୀ ପାସେଞ୍ଜର ସମେତ ବହୁ ଦୂରଗାମୀ ଟ୍ରେନ୍ ଖଡ଼ଗପୁରଠାରେ ଅଟକି ରହିଥିଲା । ସେହିଭଳି ଅପ୍ ଲାଇନ୍ରେ ଆସିବାକୁ ଥିବା ଖଡ଼ଗପୁର-ଭଦ୍ରକ ପାସେଞ୍ଜର, ଖଡ଼ଗପୁର-ବାଲେଶ୍ୱର ପାସେଞ୍ଜର ଓ ବାଲେଶ୍ୱର-ଭଦ୍ରକ ସବାରୀ ଭଳି ଟ୍ରେନ ଗୁଡିକୁ ବାତିଲ କରାଯାଇଥିଲା । ଟ୍ରେନ୍ ଚଳାଚଳ ବ୍ୟାହତ ହେବା ଯୋଗୁଁ ଦୂରଦୂରାନ୍ତକୁ ଯାତ୍ରା ପାଇଁ ବହୁଯାତ୍ରୀ ସୋମବାର ରାତିରୁ ବାଲେଶ୍ୱର ଷ୍ଟେସନରେ ଅଟକି ରହି ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଟ୍ରେନ୍ ଚଳାଚଳ ବାବଦରେ ରେଳ କର୍ତ୍ତୃପକ୍ଷ କୌଣସି ନିର୍ଦ୍ଧିଷ୍ଟ ସୂଚନା ନଦେବା ଫଳରେ ଯାତ୍ରୀମାନେ ଘରକୁ ଫେରି ନପାରି ବାଲେଶ୍ୱର ଷ୍ଟେସନରେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ । ଏହାର ସୁଯୋଗରେ କେତେକ ଅସାମାଜିକ ବ୍ୟକ୍ତି ଯାତ୍ରୀମାନଙ୍କୁ ଜିନିଷପତ୍ର ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼କଥା ହେଲା ଚୋରି ସମ୍ପର୍କରେ ଯାତ୍ରୀମାନେ ସିସିଟିଭି ଫୁଟେଜ୍ ଦେଖିବା ପାଇଁ ଷ୍ଟେସନ ମ୍ୟାନେଜରଙ୍କୁ ଅନୁରୋଧ କରିଥିବା ବେଳେ ସମସ୍ତ ସିସିଟିଭି ଖରାପ ହୋଇ ଯାଇଥିବା ସେ ଦର୍ଶାଇଛନ୍ତି । ଏହାକୁ ନେଇ ଅପେକ୍ଷାରତ ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ମରାମତି କାର୍ଯ୍ୟ ପରେ ମଧ୍ୟାହ୍ନରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ଷ୍ଟେସନ ମ୍ୟାନେଜର ଭାଗବତ ଦାସ ସୂଚନା ଦେଇଛନ୍ତି ।