ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା ହୁଗୁଳା ଯାଇଥିବା କାରଣରୁ ସହରରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ସହରରେ ଜନସାଧାରଣଙ୍କ ଧନଜୀବନ ପ୍ରତି ବିପଦ ଦେଖା ଦେଇଛି । ତଥାପି ପୁଲିସ ବିଭାଗର ନିଦ ଭାଙ୍ଗୁନଥିବା ବେଳେ ଶନିବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ ପାଖାପାଖି ସଦା ଚଳଚଞ୍ଚଳ ଓ ବ୍ୟସ୍ତ ବହୁଳ ମଧୁବନ ମିନି ଷ୍ଟାଡ଼ିୟମ ପାଚେରୀ ପାଶ୍ୱର୍ରେ ଥିବା ଏକ କୁକୁଡ଼ା ମାଂସ ଦୋକାନ ନିକଟ ବାରିପଦା-ଉଦଳା ରାସ୍ତା ଉପରେ କେତେକ ଯୁବକ ନଳିନୀ ନାୟକ(୫୮) ନାମକ ଏକ ମହିଳାଙ୍କ ନିକଟରୁ ଅଭିନବ ଭାବେ ୧୮ ଗ୍ରାମ ଓଜନର ସୁନା ଚେନ ଲୁଟି ନେଇଥିବାର ଜଣାପଡ଼ିଛି । ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ହୁଡ଼କୋ କଲୋନୀର ମୀନକେତନ ମହାନ୍ତିଙ୍କ ଅଭିଯୋଗ ଆଧାରରେ ମେ ୧୧ ଶନିବାର ପୂର୍ବାହ୍ନରେ ତାଙ୍କ ସ୍ତ୍ରୀ ନଳିନୀ ମାଂସ ଆଣିବା ନିମନ୍ତେ ମଧୁବନ ମିନି ଷ୍ଟାଡ଼ିୟମ ନିକଟକୁ ଯାଇ ଫେରି ଆସିବା ସମୟରେ ରାସ୍ତା ପାଶ୍ୱର୍ରେ ଏକ ଗଛ ମୂଳ ବାଇକ ନିକଟରେ ଛିଡ଼ା ହୋଇଥିବା ୨ ଜଣ ଯୁବକ ମଧ୍ୟରୁ ଜଣେ ତାଙ୍କୁ ଡ଼ାକି ଜନୈକ ଶିକ୍ଷୟତ୍ରୀଙ୍କ ଠିକଣା ପଚାରିଥିଲା । ନଳିନୀ ଜାଣି ନାହାନ୍ତି ବୋଲି କହି ଫେରି ଆସୁଥିବା ସମୟରେ ପୁଣି ଥରେ ଡ଼ାକି ସୁନା ଚେନ ପିନ୍ଧି କାହିଁକି ବାହାରକୁ ଆସିଛନ୍ତି ବୋଲି ପ୍ରଶ୍ନ କରିବା ସଂଗେସଂଗେ ଖୋଲି ଦେବାକୁ କହିଥିଲେ । ଯୁବକ ଦୁଇ ଜଣଙ୍କ କଥା ନଶୁଣି ନଳିନୀ ସେଠାରୁ ପଳାଇ ଆସିବାକୁ ଉଦ୍ୟମ ଅକରୁଥିବା ବେଳେ ପୋଡ଼ାଅସ୍ତିଆ ଦିଗରୁ ଅନ୍ୟ ଏକ ଯୁବକ ବେକରେ ହାର ପକାଇ ଆସୁଥିବାର ଦେଖି ତାକୁ ଅଟକାଇ ହାର ଖୋଲି ଦେବାକୁ ପରାମର୍ଶ ଦେଇଥିଲେ ଏବଂ ସେ ହାର ଖୋଲି ଦୁଇ ଯୁବକ ମଧ୍ୟରେ ପୁଲିସ ଭଳି ଦେଖା ଯାଉଥିବା ଏକ ୬ ଫୁଟିଆ ସୁସ୍ଥ ସବଳ ଯୁବକକୁ ଧରାଇ ଦେଇଥିଲେ । ଉକ୍ତ ହାରକୁ ଏକ କାଗଜରେ ଗୋଡ଼ାଇ ପଥାଚାରୀ ଯୁବକକୁ ଦେଇ ପକେଟରେ ରଖି ଚାଲିଯିବାକୁ କହିବା ପରେ ଛିଡ଼ା ହୋଇଥିବା ନଳିନୀକୁ ପୁଣି ଥରେ ପିନ୍ଧିଥିବା ହାରକୁ ଖୋଲି ଦେବାକୁ ଆକଟ କରିବାପରେ ନଳିନୀ ସେମାନଙ୍କ କଥା ମାନି ହାରକୁ ବେକରୁ ଖୋଲି ଧରାଇ ଦେଇଥିଲେ । ଯୁବକଟି ହାରକୁ ନେଇ ଏକ କାଗଜରେ ଗୋଡ଼ାଇ ନଳିନୀର ଶାଢ଼ୀ ପଣତରେ ବାନ୍ଧି ଦେଇ ଘରକୁ ଚାଲି ଯିବାକୁ ପରାମର୍ଶ ଦେଇଥିଲେ । ଏହାପରେ ନଳିନୀ ଘରେ ପହଁଞ୍ଚି ତାଙ୍କ ସ୍ୱାମୀ ମୀନକେତନଙ୍କ ନିକଟରେ ଆଜିକାଲିର ପୁଲିସ କେତେ ଭଲ ସେ ବିଷୟରେ ବର୍ଣ୍ଣନା କରି ପଣତ କାନିକୁ ଫିଟାଇ କାଗଜ ପୁଡ଼ିଆ ଭିତରୁ ସୁନା ହାର ବଦଳରେ ୪ଟି ଗୁଡ଼ିପଥର ପାଇଥିଲା । ଉକ୍ତ ଠକେଇକୁ ନେଇ ନଳିନୀଙ୍କ ସ୍ୱାମୀ ମନକେତନ ବାରିପଦା ଟାଉନ ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଠକ ଯୁବକମାନଙ୍କୁ ଖୋଜିବା ବଦଳରେ ଲୁଟ ହୋଇଥିବା ହାର ମିଳିବାର ସମ୍ଭାବନା ନାହିଁ ବୋଲି ମୀନକେତନକୁ ପରାମର୍ଶ ଦେଇଥିଲେ । ତେବେ ପୂର୍ବରୁ ବାରିପଦା ସହରରେ ପୁଲିସର ପେଟ୍ରୋଲିଂ ଗାଡ଼ି ପଇଁତରା ମାରୁଥିବା ବେଳେ ବର୍ତ୍ତମାନ ଏହା ଦେଖିବାକୁ ମିଳୁ ନାହିଁ । ଯାହା ଅପରାଧୀ, ଚୋର, ଠକ ଆଦିଙ୍କୁ ସୁହାଇବାରେ ଲାଗିଛି । ଫଳରେ ସହରରେ ଚୋରୀ, ଛିନ୍ନତାଇ, ଠକେଇ, ହତ୍ୟା, ଚୋରା ମାରାତ୍ମକ ନିଶାଦ୍ରବ୍ୟ କାରବାର ଆଦି ଅପରାଧ ହାର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।