(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍ର ପୂର୍ବତନ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା ଓ ତାଙ୍କର ଜଣେ ସହଯୋଗୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥିରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଗତକାଲି ରାତିରେ ରାଷ୍ଟ୍ରପତି ଓ ତାଙ୍କର ସହଯୋଗୀମାନେ ଏକ ସ୍କର୍ପିଓରେ କଣ୍ଟାବାଞ୍ଜିରୁ ଭୁବନେଶ୍ୱର ଯାଉଥିବା ବେଳେ ସିଆଲଜୁରୀ ଓ ଖାରି ମଝିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ହାଇୱାଟି ସ୍କର୍ପିଓର ବାମ ପାଖରେ ଧକ୍କା ଦେଇଥିଲା। ତେଣୁ ସମ୍ମୁଖ ସିଟ୍ରେ ବସିଥିବା ରାଷ୍ଟ୍ରପତି ଓ ତାଙ୍କ ପଛରେ ବସିଥିବା ଧର୍ମ ଯାଦବଙ୍କ ମୃତ୍ୟୁ ହୋଇଥିଲା | ବଲାଙ୍ଗୀର ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରାତି ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ଏକ ଢାବାରେ ଖାଇ ଅଳ୍ପ ଦୂର ଯାଇଥିବା ବେଳେ ହାଇୱା ଧକ୍କା ଦେଇଥିଲା। । ରାଷ୍ଚ୍ରପତିଙ୍କୁ ତୁରନ୍ତ ବଲାଙ୍ଗୀର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ୩ ଜଣ ସହଯୋଗୀଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ରାଷ୍ଚ୍ରପତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସଂପର୍କୀୟମାନେ ଅଭିଯୋଗ କରିବା ସହିତ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ରାଜନୀତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଆଶଙ୍କା କରୁଛନ୍ତି।