ହେଡଲାଇନସ୍:

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଅରବିନ୍ଦ ଦାସ)- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ରବୀନ୍ଦ୍ର ବିନ୍ଧାଣି(୪୪) ଓ ରବୀନ୍ଦ୍ରର ପୁତୁରା ତଥା ଲକ୍ଷ୍ମୀଧର ବିନ୍ଧାଣିଙ୍କ ପୁଅ କାହ୍ନୁ ଓରଫ କୃଷ୍ଣଚନ୍ଦ୍ର ବିନ୍ଧାଣି(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ଏଥିସହିତ୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ  ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଉଭୟଙ୍କୁ ଆଇପିସି ଧାରା ୪୫୨/୩୪ରେ ୨ ବର୍ଷ ସଶ୍ରମ କାରାଦଣ୍ଡ, ୧ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୨ମାସ ସଶ୍ରମ କାରାଦଣ୍ଡ ଏବଂ ରବୀନ୍ଦ୍ର ବିନ୍ଧାଣିଙ୍କୁ ଆଇପିସି ଧାରା ୩୦୭ରେ ୫ ବର୍ଷ ସଶ୍ରମ କାରାଦଣ୍ଡ, ୧ହଜାର ଟଙ୍କା ଅର୍ଥଦଣ୍ଡ ଓ ଅନାଦେୟରେ ଅଧିକ ୨ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଏହି ସମସ୍ତ ଦଣ୍ଡ ବିଧାନ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଦର୍ଶାଯାଇଛି । ତେଣୁ ରବୀନ୍ଦ୍ର ଆଜୀବନ ଦଣ୍ଡ କଟାଇବା ସହ ୭ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ନଚେତ ୧୦ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ । ସେହିପରି କୃଷ୍ଣଚନ୍ଦ୍ର ୬ ହଜାର ଜୋରିମାନା ଟଙ୍କା ଜମା କରିନପାରିଲେ ଅଧିକ ୮ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୩ ସେପ୍ଟେମ୍ବର ୧୧ ରାତି ୯.୪୫ରେ ବେତନଟୀ ଥାନା ଅଧୀନରେ ଥିବା ଚାକୁଣ୍ଡାପଦା ଗ୍ରାମରେ ଧନେଶ୍ୱର ମହାନ୍ତଙ୍କ ଘରକୁ ତାଙ୍କର ଶଶ୍ୱୁର ରବୀନ୍ଦ୍ର ଓ ଶଶ୍ୱୁର ରବୀନ୍ଦ୍ରଙ୍କ ବଡ଼ଭାଇଙ୍କ ପୁଅ କାହ୍ନୁ ଆସି ପହଁଞ୍ଚିଥିଲେ । ଘରେ କୁଣିଆ ଆସିବାର ଦେଖି ଧନେଶ୍ୱରଙ୍କ ବାପା ରାସବିହାରୀ ମହାନ୍ତ ଓ ମା କୌଶଲ୍ୟା ମହାନ୍ତ ସେମାନଙ୍କ ସହ ଆଳାପ ଆଲୋଚନା ଆରମ୍ଭ କରିବାର ୫ ମିନିଟ ପରେ ଭୋକ ଲାଗୁଛି ବୋଲି କହି ମା କୌଶଲ୍ୟାଙ୍କୁ ଖାଇବାକୁ ମାଗିଥିଲେ । କୌଶଲ୍ୟା ଖାଇବାକୁ ଦେଉଥିବା ସମୟରେ ଶଶୁର ରବୀନ୍ଦ୍ର ପଛରୁ ଗୋଇଁଠା ମାରି ତଳେ ପକାଇ ଆଣିଥିବା ଭୁଜାଲିରେ ବେକକୁ ପଛରୁ ଆକ୍ରମଣ କରିଥିଲା । ବାପା ରାସବିହାରୀ  କୌଶଲ୍ୟାକୁ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ଆସିଥିବା ବେଳେ ତାଙ୍କର ବେକ, ମୁହଁ ଓ ଶରୀର ବିଭିନ୍ନ ସ୍ଥାନରେ ଭୁଜାଲିରେ ହାଣି ପକାଇଥିଲେ । ଧନେଶ୍ୱର ବାପା ଓ ମାଙ୍କୁ ଧରି ପଳାଇ ଯାଉଥିବା ବେଳେ ବାପା ରାସବିହାରୀ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଉକ୍ତ ଘଟଣାକୁ ନେଇ ଧନେଶ୍ୱର ମହାନ୍ତ ଅଭିଯୁକ୍ତଙ୍କ ନାମରେ ବେତନଟୀ ଥାନାରେ ଅଭିଯୋଗ କରିବା ପରେ ଥାନାରେ ୧୫୪/୨୦୧୩ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ମାମଲାରେ ଥିବା ମୋଟ ୨୪ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତ କରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରିଥିଲେ । 

 

0
0
0
s2sdefault