ହେଡଲାଇନସ୍:

କଟରା ଦୁରୁଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ :ଭୌତିକ କାରଣ ସନ୍ଦେହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚାୟତ ସ୍ଥିତ ଦୁରୁଦା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ସୂଚନାନୁଯାୟୀ ଦୁରୁଦା ଗ୍ରାମରେ ଶୁକ୍ରବାର ଦିନ ୧୧ଟା ସମୟରେ କୌଣସି କାରଣରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ପ୍ରଥମେ ନିହାର ରଞ୍ଜନ ସ୍ୱାଇଁ,ବଂଶିଧର ସ୍ୱାଇଁ,ନିରଞ୍ଜନ ସ୍ୱାଇଁଙ୍କ ଘରେ ନିଆଁ ଲାଗିଯାଇଥିଲା।ଖବରପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଏହି ଭୟାବହ ନିଆଁର ପ୍ରକୋପରେ ନିକଟରେ ଥିବା ତ୍ରିଲୋଚନ ସ୍ୱାଇଁ ଓ ଦେବେନ୍ଦ୍ର ସ୍ୱାଇଁଙ୍କ ଘରେ ନିଆଁ ଲାଗିଯାଇଥିଲା।ତ୍ରିଲୋଚନ ଓ ଦେବେନ୍ଦ୍ରଙ୍କ ଘର ଆଂଶିକ ପୋଡିଥିବା ବେଳେ ନିହାର ରଞ୍ଜନ,ବଂଶିଧର ଓ ନିରଞ୍ଜନଙ୍କ ଘର ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଥିଲା। ଦମକଳ ବାହିନୀ ନିଆଁକୁ ଲିଭାଇ ଘଟଣା ସ୍ଥଳରୁ ଫେରି ଅଧାବାଟରେ ହୋଇଥିବା ବେଳେ ପୂନର୍ବାର ସେହି ଗ୍ରାମରେ ଅଗ୍ନିକାଣ୍ଡ ଘଟିବା ଖବର ପାଇଥିଲେ।ଦମକଳ ବାହିନୀ ଅଧାବାଟରୁ ଫେରି ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଉକ୍ତ ଗ୍ରାମର ଗୌରିବାଳା ମଲ୍ଲଙ୍କ ଘର,ବିଶ୍ୱନାଥ ସ୍ୱାଇଁଙ୍କ ପାଳଗଦା,ସୁବାଶ ବେହେରାଙ୍କ ପାଳଗଦା ଓ ଘର,ନିମାଇଁ ଜେନାଙ୍କ ପମ୍ପହାଉସ୍ ଘରେ ନିଆଁ ଲାଗିଯାଇଥିଲା।ଏହି ଭୟାବହ ଅଗ୍ନିକାଣ୍ଡର ଖବର ପାଇ ଜଗତସିଂହପୁର ରୁ ମଧ୍ୟ ଦମକଳ ବାହିନୀ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସହଯୋଗ କରିଥିଲେ।ପରେ ରାଜସ୍ବ ନିରୀକ୍ଷକ ସୁଧାଂଶୁ ଶେଖର ଦାଶ,ରେଭେନ୍ୟୁ ସୁପରଭାଇଜର ମନୋଜ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ।ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନଥିଲେ ବି ଭୌତିକ କାରଣରୁ ଘଟିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।ଗ୍ରାମରେ ହନୁମାନ ଜିଉଙ୍କ ବାର୍ଷିକ ଉତ୍ସବରେ ଅଘଟଣ ଘଟିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।ପରେ ଏହି ଭୟାବହ ଅଗ୍ନିକାଣ୍ଡର ଖବର ପାଇ ତିର୍ତ୍ତୋଲ ବିଧାୟିକା,ପୂର୍ବତନ ବିଧାୟକ ରବିନ୍ଦ୍ର ନାଥ ଭୋଇ,ସ୍ଥାନୀୟ ସରପଞ୍ଚ ସିତିକଣ୍ଠ ସ୍ୱାଇଁ,ସମିତି ସଭ୍ୟ ବାଇଧର ବଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ।

 

0
0
0
s2sdefault