ଘଟଣା ପ୍ରଘଟ କରାଇଥିବା ଯୋଗୁ ଟାର୍ଗେଟରେ ଅଭିଯୋଗକାରି !!
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ଛାଡ଼କଟା ଆଶ୍ରମ ବିଦ୍ୟାଳୟ ପରେ ବର୍ତ୍ତମାନ କେନ୍ଦୁଆ ପ୍ରାଇମେରୀ ହଷ୍ଟେଲ ଅନ୍ତେବାସୀଙ୍କ ଦୁଃଖଦୁର୍ଦ୍ଧଶା ଓ ବିଭିନ୍ନ ସମସ୍ୟା ଲୋକଲୋଚନକୁ ଆସିଛି । ଆଜି ଉକ୍ତ ଛାତ୍ରାବାସରେ ରହୁଥିବା ୪୦ ଜଣ ଛାତ୍ରମାନଙ୍କ ମଧ୍ୟରୁ ୧୭ ଜଣ ଛାତ୍ର ନିଜର ଅଭିଯୋଗ ବାଢ଼ିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଛାତ୍ରମାନଙ୍କ ସହ କେନ୍ଦୁଆ ପଞ୍ଚାୟତ ସମିତି ସଦସ୍ୟା ମଲ୍ଲୀ ମାଝି, ମୟୂରଭଞ୍ଜ ଜିଲ୍ଲାପରିଷଦର ୪୯ ନମ୍ବର ଜୋନ ସଦସ୍ୟା ଗୀତା ହେମ୍ବ୍ରମ, ଛାତ୍ରାବାସର ସୁପରିଟେଣ୍ଡେଣ୍ଟ ତରୁଲତା ହରିଭକ୍ତା ବେହେରା ପ୍ରମୁଖ । ଖବରପାଇ ପହଁଞ୍ଚିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ ପହଁଞ୍ଚିଥିଲେ ମଧ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ମୁଖୀନ ହୋଇନପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ତତକ୍ଷଣାତ ପ୍ରସ୍ଥାନ କରିଥିଲେ । ଏହାପରେ ପହଁଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ ଆବୁଲୀ ସୁନାଲୀ ନରୱାନେ ଓ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଅତିରିକ୍ତ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରହି ପୁଲିସ ଦ୍ୱାରା ଡ଼କାଇ ପଠାଇଥିଲେ ଅଭିଯୋଗ କରିବାକୁ ଆସିଥିବା ଛାତ୍ରମାନଙ୍କୁ । ଏହି ସମୟରେ ଭିତରକୁ ଅନ୍ୟମାନଙ୍କୁ ପ୍ରବେଶ ନିମନ୍ତେ ଅନୁମତି ନଥିଲା । ପରବର୍ତ୍ତି ସମୟରେ ଭିତରକୁ ଡ଼କାଗଲା ଛାତ୍ରମାନଙ୍କ ନିକଟରେ ଉପସ୍ଥିତ ଥିବା ପିଏସ ମେମ୍ବର, ଜିଲ୍ଲାପରିଷଦ ସଦସ୍ୟା ପ୍ରମୁଖଙ୍କୁ । ଆଲୋଚନା ଶେଷ ହେବାପରେ ଉପଜିଲ୍ଲାପାଳଙ୍କ ସହିତ ସେମାନେ ବାହାରକୁ ବାହାରି ଆସିଥିଲେ । ଏହି ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଉପଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ନିକଟରୁ ଘଟଣା ଉପରେ ପ୍ରଶ୍ନ କରିବାରୁ ତଦନ୍ତ ଶେଷ ହେବା ପରେ ଯାହା କହିବେ, କାହାକୁ ଛଡ଼ାଯିବ ନାହିଁ । ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିଲେ ସେମାନଙ୍କୁ ଜେଲକୁ ପଠାଇଦିଆଯିବ ବୋଲି କହିଥିଲେ ଏବଂ ଛାତ୍ରମାନଙ୍କୁ ପୁଲିସ ସୁରକ୍ଷାରେ ୨ଟି ଗାଡ଼ିରେ ଛାତ୍ରାବାସରେ ସୁରକ୍ଷିତ ଭାବେ ପହଁଞ୍ଚାଇଦେବାର ବ୍ୟବସ୍ଥା କରିଥିଲେ । ଛାତ୍ରାବାସର ସୁପରୀଟେଣ୍ଡେଣ୍ଟ ଶ୍ରୀମତୀ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଥିଲେ ସେ କେନ୍ଦୁଆ ସରକାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟକରିବା ସହ ପ୍ରାଇମେରୀ ହଷ୍ଟେଲର ସୁପରୀଟେଣ୍ଡେଣ୍ଟ ଭାବେ ଦାୟିତ୍ୱରେ ଥିଲେ | ଛାତ୍ରମାନେ ସକାଳ ସମୟରେ ବିଦ୍ୟାଳୟର ହତା ଭିତରେ ସଫେଇ କରୁଥିବା ବେଳେ ପଞ୍ଚାୟତ ସମିତି ସଦସ୍ୟା ମଲ୍ଲୀ ମାଝି ପହଁଞ୍ଚି ଛାତ୍ରାବାସରେ ରହୁଥିବା ୪୦ ଜଣଙ୍କ ମଧ୍ୟରୁ ୧୭ ଜଣ ଅନ୍ତେବାସୀଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଭୁଲାଇ ବୁଝାଇ ଉଠାଇ ନେଇଆସିଥିଲେ । ସିସିଏଙ୍କ ନିକଟରୁ ଫୋନରେ ଏହି ସୂଚନା ପାଇଥିଲେ । ପିଲାମାନେ କେଉଁ କାରଣରୁ ଆସିଛନ୍ତି ଏବଂ ପିଏସ ମେମ୍ବର କେଉଁ କାରଣରୁ ଉଠାଇ ନେଇଆସିଛନ୍ତି, ସେବିଷୟରେ କିଛି ଜଣାନାହିଁ ବୋଲି କହିଥିଲେ । ପଞ୍ଚାୟତ ସମିତି ସଦସ୍ୟା ଶ୍ରୀମତୀ ମାଝି କୁହନ୍ତି, ଆଜି ଛାତ୍ରାବାସରେ ରହୁଥିବା ୪୦ ଛାତ୍ରମାନଙ୍କ ମଧ୍ୟରୁ ୧୭ ଜଣ ତାଙ୍କ ନିକଟରେ ପହଁଞ୍ଚି ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ନିମ୍ନମାନର ଖାଦ୍ୟ ଦିଆଯିବା ସହ ପିଟାମରା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଯିବେ ବୋଲି ବାହାରି ଆସିଛନ୍ତି ବୋଲି ଅଡ଼ିବସିଥିଲେ । ଫଳରେ ଛାତ୍ରମାନଙ୍କୁ ଏକାକୀ ଛାଡ଼ି ନପାରି ସେମାନଙ୍କ ସାଥୀରେ ଆସିବାକୁ ବାଧ୍ୟ ହୋଇଥିଲି । ଛାତ୍ରାବାସରେ ଏହି ସମସ୍ତ ସମସ୍ୟାଗୁଡ଼ିକୁ ନେଇ ବାରମ୍ବାର ଶାମାଖୁଣ୍ଟା ପଞ୍ଚାୟତ ସମିତି ବୈଠକରେ ପୂର୍ବରୁ ଉତ୍ଥାପନ କରାଯାଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରି ନାହିଁ । ଏଥି ସହିତ ୧୬ ମାସ ପୂର୍ବେ ସ୍ଥାନୀୟ ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ମଧ୍ୟ ଛାତ୍ରମାନଙ୍କ ସମସ୍ୟା ବିଷୟରେ ଦୃଷ୍ଟିଆକର୍ଷଣ କରାଇବା ପରେ ସେ ସରପ୍ରାଇଜ ଭିଜିଟ କରି ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ନିକଟରେ ସମୟର ଅଭାବ କାରଣରୁ ସାରପ୍ରାଇଜ ଭିଜିଟରେ ଯାଇପାରି ନାହାନ୍ତି ବୋଲି କହିଥିଲେ । ସେହିପରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସିଥିବା ଛାତ୍ରମାନେ ସେମାନଙ୍କୁ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ବେହେରା ପିଟାମରା କରିବା ସହ ରେଗିଂ ଓ ଧମକଚମକ ଦିଆଯାଉଛି, ଖାଇବାକୁ ଟିକିଏ ଟିକିଏ ଦିଆଯାଉଛି , ସେଥିରେ ପେଟ ଭର୍ତ୍ତି ହେଉନାହିଁ ବୋଲି କହିବା ସହିତ କାନ୍ଦି ପକାଇଥିବାର ଦେଖିବାକୁ ମିଳିଥିଲା । ମୟୂରଭଞ୍ଜ ଜିଲ୍ଲାପରିଷଦର ୪୯ ଜୋନ ସଦସ୍ୟା ଶ୍ରୀମତୀ ହେମ୍ବ୍ରମ ଆଜି ରୋମରେ ଥିବା ସମୟରେ କେନ୍ଦୁଆ ଛାତ୍ରାବାସରୁ ୧୭ ଜଣ ଛାତ୍ର ଚାଲିଚାଲି ପଳାଇ ଆସିଥିବାର ଖବର ପାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଘଟଣା କଣ ସେମାନଙ୍କ ନିକଟରୁ ବୁଝିବାପରେ ସେମାନଙ୍କୁ ସୁପାରିଟେଣ୍ଡେଣ୍ଟ ପିଟାମରା କରିବା ସହ ପାଣିଆ ଡ଼ାଲି ଓ ଠିକିଏ ଟିକିଏ ଖାଇବାକୁ ଦେଉଥିବାର ଜାଣିବାକୁ ପାଇଥିଲେ । ଏହି ସମସ୍ୟା ଆଜିର ନୁହେଁ । ଏହାକୁ ନେଇ ପଞ୍ଚାୟତ ସମିତି ବୈଠକରେ । ମଧ୍ୟ ପୂର୍ବରୁ ବାରମ୍ବାର ଆଲୋଚନା ହୋଇଛି ବୋଲି କହିଥିଲେ । ଛାତ୍ରମାନଙ୍କର ଏବଂ ପିଏସ ମେମ୍ବର, ଜିଲ୍ଲାପରିଷଦ ସଦସ୍ୟା ଉକ୍ତ ଅଭିଯୋଗ ଲୋକଲୋଚନକୁ ଆଣିବା ନିମନ୍ତେ ଉଦ୍ୟମ କରିଥିବା କାରଣରୁ ସେମାନଙ୍କ ବିରୋଧରେ ଜିଲ୍ଲାପ୍ରଶାସନ ପକ୍ଷରୁ ଓଲଟକିଳା ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ଅଭିଯୋଗ ହେଉଛି ।