ବଡ଼ବିଲରେ ମାତିଲେ ଲୁଟେରା। ଘରେ ପଶି ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷ ଓ ସୁନା ଗହଣା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ/ ଚିତ୍ତରଞ୍ଜନ କର : ବଡ଼ବିଲରେ ପୁଣି ଲୁଟେରା ମାତିଛନ୍ତି। ଗତକାଲି ପଞ୍ଚବଟି ଆପାର୍ଟମେଂଟରେ ଏକ ଘରେ ପଶି ବନ୍ଧୁକ ମୁନରେ ୬ଲକ୍ଷ ଟଙ୍କା ଓ ସୁନାଚେନ୍ ଲୁଟିଛନ୍ତି ୨ ଦୃବୃର୍ତ୍ତ । ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ଏହି ଲୁଟ ଘଟଣା ଘଟିଥିବା କୁହାଯାଉଛି । ପଞ୍ଚବଟି ଆପାର୍ଟମେଣ୍ଟର ଏ' ବ୍ଲକର ୨ୟ ମହଲାରେ ଥିବା ବିନିତ ବଂଶଲଙ୍କ ଫ୍ଲାଟ୍ ନମ୍ବର ୨୦୨ରେ ଏହି ଲୁଟ ହୋଇଛି । ସିଦ୍ଧି ବିନାୟକ ଟ୍ରାନ୍ସପୋର୍ଟର ମାଲିକ ବିନିତ ବଂଶଲ ନିଜ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହ ଏକ ପାର୍ଟିରେ ଯୋଗ ଦେବାକୁ ଯାଇଥିବା ବେଳେ, ଘରେ ରହିଥିଲେ ବୃଦ୍ଧ ବାପା ମଦନ ଲାଲ ବଂଶଲ ଏବଂ ମାଆ ଅଙ୍ଗୁରି ଦେବୀ ।  କେହି ଜଣେ ଦରଜା ଠକ୍ ଠକ୍ କରି ଡ୍ରାଇଭର ପରିଚୟ ଦେଇଥିଲେ। ଏହାପରେ ଅଙ୍ଗୁରି ଦେବୀ ଦରଜା ଖୋଲି ଦେବା ମାତ୍ରେ ୨ଜଣ ଦୃବୃର୍ତ୍ତ ଅଙ୍ଗୁରି ଦେବୀଙ୍କୁ ଧକ୍କା ମାରି ଘର ଭିତରକୁ ଧସେଇ ପଶିଥିଲେ । କିଛି ବୁଝିବା ଆଗରୁ ଅଙ୍ଗୁରିଙ୍କ ମୁହଁରେ ମୁଥ ପରେ ମୁଥ ମାରି ଆକ୍ରମଣ ଆରମ୍ଭ କରିଦେଇଥିଲେ ଦୃବୃର୍ତ୍ତ।

ଆକ୍ରମଣର ଶିକାର ଅଙ୍ଗୁରିଙ୍କ ଚିତ୍କାର ଶୁଣି ଭିତର ଘରେ ଥିବା ବିନିତଙ୍କ ରୋଗିଣା ବାପା ମଦନଲାଲ ପାଟି କରିବା ଆରମ୍ଭ କରିବାରୁ ଦୃବୃର୍ତ୍ତ ମାନେ ସେଠାକୁ ଯାଇ ବନ୍ଧୁକ ଦେଖାଇ ଟଙ୍କା କେଉଁଠି ଅଛି ବୋଲି ଧମକ ଦେଇ କହିବାକୁ କହିଥିଲେ। ଏହାପରେ ସେହି ରୁମରେ ଥିବା ଆଲମୀରାରୁ ନଗଦ ୬ଲକ୍ଷ ଟଙ୍କା ଓ ୭୫ ହଜାର ଟଙ୍କାର ଗୋଟିଏ ଗୋଲ୍ଡ ଗିଫ୍ଟ କାର୍ଡ଼ ନେଇ ଯାଇଥିଲେ ଦୃବୃର୍ତ୍ତ । ଅଙ୍ଗୁରି ଦେବୀଙ୍କ ବେକରେ ଥିବା ସୁନା ଚେନଟିକୁ ମଧ୍ୟ ଲୁଟିନେଇ ଚାଲିଯାଇଥିଲେ ୨ ଦୃବୃର୍ତ୍ତ । ତେବେ ଗଲାବେଳେ ସେମାନେ ସାଙ୍ଗରେ ଆଣିଥିବା ଏକ ବନ୍ଧୁକକୁ ଟେବୁଲ ଉପରେ ଛାଡି ପଳାଇଥିଲେ । ବନ୍ଧୁକଟି ଏକ ହାତ ତିଆରି ଦେଶୀ ବନ୍ଧୁକ ବୋଲି ଅନୁମାନ କରାଯାଉଛି  । ଦୃବୃର୍ତ୍ତଙ୍କ ମାଡ଼ରେ ଆହତ ଅଙ୍ଗୁରି ଦେବୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଘଟଣାର ଖବର ପାଇ ବଡ଼ବିଲ ଏସଡିପିଓ ରାହୁଲ ଜୈନ, ଆଇଆଇସି ଅନୀଲ କୁମାର ପ୍ରଧାନ, ସବ ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।  ଆପାର୍ଟମେଂଟରେ ଲାଗିଥିବା ସିସିଟିଭି କ୍ୟାମେରା ଖରାପ ଥିବା ସୂଚନା ମିଳିଛି।

 

0
0
0
s2sdefault