ଭଞ୍ଜନଗର,. ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ହାତୀର ଶୁକ୍ରବାର ବ୍ୟବଚ୍ଛେଦ କରାଯାଇଛି।ଏହି ସମୟରେ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା କାରଣରୁ ତାର ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତ ଅଣ୍ଡିରା ହାତୀଟିର ବୟସ ପ୍ରାୟ ୨୦ବର୍ଷ ହେବ ଏବଂ ଶିକାରୀ ମାନେ ତାର ଦାନ୍ତ କାଟି ନେଇ ଯାଇଥିବା ବେଳେ ପୋଷ୍ଟ ମଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।ସୂଚନା ମୁତାବକ ଗୁରୁବାର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଦୁର୍ଗନ୍ଧ ହେବାରୁ କିଛି ଲୋକ ସେଠାରେ ପହଞ୍ଚି ଏକ ହାତୀ ମରି ପଡିଥିବା ଦେଖିଥିଲେ।ଏସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ କିଛି ସାମ୍ବାଦିକ ପହଞ୍ଚି ଅନୁସନ୍ଧାନ କରିବାରୁ ସେଠାରୁ ଏକ ଗୁଳି ବିଦ୍ଧ ହାତୀର ଗଳିତ ମୃତ ଦେହ ଠାବ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ କର୍ମଚାରୀ ମାନେ ସନ୍ଧ୍ୟା ସମୟରେ ସେଠାରେ ପହଞ୍ଚି ମୃତ ହାତୀଟିକୁ ତରବରିଆ ଭାବେ ପୋତି ଦେବାକୁ ଉଦ୍ୟମ କରିଥିଲେ।ହେଲେ ସାମ୍ବାଦିକଙ୍କ ସାମ୍ନାରେ ତାହା ସମ୍ଭବ ହୋଇ ନଥିଲା।ଶେଷରେ ବାଧ୍ୟ ହୋଇ ଶୁକ୍ରବାର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିଲା। ଡ଼ିଏଫଓ ସୁଦର୍ଶନ ବେହେରା,ଏସିଏଫ ବିକ୍ରମ ଦେବ ପଟ୍ଟନାୟକ, ରେଞ୍ଜର ବିମ୍ବାଧର ସାହୁ ଓ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟ ସମୟରେ ବହୁ ବନ କର୍ମଚାରୀ ନିଜ କ୍ଷେତ୍ରରେ ରହିବା ପରିବର୍ତ୍ତେ କାର୍ଯ୍ୟାଳୟ ରେ ସମୟ କଟାଉଥିବାରୁ ଶିକାରୀ ମାନେ ତାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି।
ଅଘଟଣ
ମୃତ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା ସୂଚନା
- Hits: 455