ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦ
ଭୁବନେଶ୍ୱର : ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା(୫୭)ଙ୍କର ଏକ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି। ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣା ଘଟିଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମତ୍ୟୁ ଘୋଷଣା କରିଥିଲେ। ତାଙ୍କର ଏ ଅକାଳ ବିୟୋଗରେ ସାମ୍ବାଦିକଜଗତରେ ଶୋକର ଛାୟା ଖେଳିଯାଇଛି ।
ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା ଦୈନିକ ଖବର କାଗଜ ‘ସମୟ’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ । ଆଜି ସେ ପୁରୀ ଯାଉଥିଲେ ଘୋଷଯାତ୍ରା ଅବସରରେ ଫଟୋ ଉଠାଇବା ପାଇଁ। ଭୋର ପ୍ରାୟ ୫ଟା ବେଳେ ସେ ବାଇକ୍ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ ରାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।"
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ "ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ଭାଇଙ୍କ ସହ ମୋର ଦୀର୍ଘ ଦିନର ସମ୍ପର୍କ ଥିଲା । ଜଣେ ବନ୍ଧୁ ଭାବରେ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଥିଲା । ରଥଯାତ୍ରା ଭଳି ଏକ ପବିତ୍ର ଦିନରେ ତାଙ୍କର ମୃତ୍ୟୁ ଖବରକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ ।
ଅଶୋକ ଭାଇଙ୍କର ଆତ୍ମିୟତା ସବୁଦିନ ପାଇଁ ମନେ ରହିବ । ପୁଣ୍ୟ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।"
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ରଥଯାତ୍ରା କଭରେଜ୍ ପାଇଁ ପୁରୀ ଯାଉଥିବା ବେଳେ ସାତସଙ୍ଖ ନିକଟରେ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ଏହା ଅତ୍ୟନ୍ତ ଦୁଃଖ ଦାୟକ । ଶ୍ରୀ ପଣ୍ଡାଙ୍କ ଅକାଳ ବିୟୋଗ ଗଣମାଧମର ଫଟୋ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ଇଶ୍ୱର ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କାମନା କରିବା ସହିତ ଗଭୀର ଦୁଃଖ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ନାୟକ ସମବେଦନା ଜଣାଇଛନ୍ତି ।
ସେହିପରି ରାଜ୍ୟସଭା ସାଂସଦ ତଥା ରାଜ୍ୟ ସରକାରଙ୍କ ପୂର୍ବତନ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଗଭୀର ଶୋକପ୍ରକାଶ କରିଛନ୍ତି। ଶ୍ରୀଯୁକ୍ତ ମଙ୍ଗରାଜ ତାଙ୍କ ଶୋକବର୍ତ୍ତରେ କହିଛନ୍ତି ‘ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।’