ହେଡଲାଇନସ୍:

ଟିଟିଲାଗଡ଼ ପୋଲିସକୁ ବଡ଼ ସଫଳତା: ଚୋର ଗ୍ୟାଙ୍ଗକୁ କାବୁ କଲା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • 20 ବାଇକ,10 ମୋବାଇଲ ସହ ସୁନା ଲକେଟ ଉଦ୍ଧାର

  • ଦୁଇଜଣ ନିଜ ବାଇକ ଫେରିପାଇ ପୋଲିସ କୁ ଦେଲେ ଧନ୍ୟବାଦ

ଟିଟିଲାଗଡ଼/ରଶ୍ମିରେଖା ମହାପାତ୍ର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏକ ଘଟଣା ଟିଟିଲାଗଡ଼ ଅଞ୍ଚଳ ରେ ଦେଖିବାକୁ ମିଳିଛି l ଏକ ଲୁଟ କରୁଥିବା ଘଟଣା ର ଭିଡିଓ କୁ ଯାଞ୍ଚ କରି ତଦନ୍ତ କୁ ବ୍ୟାପକ କରିଥିବା ବେଳେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ ଠାରୁ ପୋଲିସ ଉଦ୍ଧାର କରିଛି 20 ଗୋଟି ଚୋରା ମୋଟର ସାଇକେଲ l ଏମିତି କି ଦଶ ଗୋଟି ମୋବାଇଲ ଫୋନ ସାଙ୍ଗକୁ କିଛି ସୁନା ଗହଣା ଏବଂ ଏକ ଛୁରୀ ଵି ଜବତ କରିଛି ପୋଲିସ l ଯାହାକୁ ନେଇ ଏବେ ଟିଟିଲାଗଡ଼ ପୋଲିସ କୁ ସବୁ ମହଳ ରୁ ପ୍ରଶଂସା ର ସୁଅ ଛୁଟୁଛି l ଚୋରି ହୋଇଥିବା ବାଇକ ମଧ୍ୟରୁ ଦୁଇ ଗୋଟି ନୂଆ ବାଇକ ମଧ୍ୟ ରହିଛି l ଆଉ ଉକ୍ତ ବାଇକ ର ମାଲିକ ଗାଡି ଫେରିପାଇ ଏବେ ପୋଲିସ କୁ ଧନ୍ୟବାଦ ଜଣାଇଛି l
ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଟିଟିଲାଗଡ଼ ପୋଲିସ ପାଖରେ ଏକ ଲୁଟ ର ଅଭିଯୋଗ ଆସିଥିଲା l ଜଣେ ଦୁର୍ବୁର୍ତ୍ତ ମୁଖା ପିନ୍ଧି ଟିଟିଲାଗଡ଼ ସଇଁତଲା ମୁଖ୍ୟ ରାସ୍ତାରେ ବିଜୟ କୁମାର ପ୍ରଧାନ ନାମକ ଜଣେ ଡ୍ରାଇଭର କୁ ଛୁରୀ ଦେଖାଇ ଲୁଟ କରୁଥିବା ବେଳେ ସେହି ବାଟରେ ଆଉ ଏକ ଡ୍ରାଇଭର ଯାଉଥିବା ସମୟରେ ଲୁଟେରା ସହ ଯୁକ୍ତି ତର୍କ କରିବା ଏବଂ ସମସ୍ତ ଘଟଣା କୁ ମୋବାଇଲ ରେ ରେକର୍ଡ କରିବା ହିଁ ଏହି ଚୋରି ଘଟଣା ର ଗୁମର ଖୋଲିଥିଲା l ପୋଲିସ ଏହି ଘଟଣାରେ ମୁକୁନ୍ଦ ବାଗ କୁ ଥାନା କୁ ଆଣି ପଚରା ଉଚରା କରିବା ପରେ ଗୋଟାଏ ପରେ ଗୋଟାଏ ଗ୍ୟାଙ୍ଗ ର ତାଲିକା ପୋଲିସ ହାତରେ ଲାଗିଥିଲା l ଜଣ ଜଣ କରି ଗ୍ୟାଙ୍ଗ ର ସଦସ୍ୟ ମାନଙ୍କୁ ପୋଲିସ କାବୁ କରିବା ସହ ସେମାନଙ୍କ ଠାରୁ ଅନେକ ଗୁଡିଏ ଚୋରା ବାଇକ ଠାବ କରିଥିଲା l ବାଲାଙ୍ଗୀର ଜିଲ୍ଲା, ନୂଆପଡା ଜିଲ୍ଲା, କଳାହାଣ୍ଡି ଜିଲ୍ଲା ତଥା ସୋନପୁର ଅଞ୍ଚଳ ରୁ ବାଇକ ମାନ ଚୋରି କରି ବେଶ ଆରାମ ରେ ଫେରାର ମାରୁଥିଲେ ଲୁଟେରା l ତେବେ ଏହି ଘଟଣାରେ ପୋଲିସ ଦଶ ଗୋଟି ମୋବାଇଲ ଫୋନ, ସୁନା ର ଏକ ଲକେଟ, ଏକ ଛୁରୀ ଵି ଜବତ କରିଛି l ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ ମୁକୁନ୍ଦ ବାଗ ସମେତ ଅନ୍ୟ 6 ଜଣ ଙ୍କୁ ଵି ଗିରଫ କରିଛି l ଏହି ଗ୍ୟାଙ୍ଗ ର ସଦସ୍ୟ ମାନଙ୍କ ମଧ୍ୟରେ ଟିଟିଲାଗଡ଼ ଥାନା ମିନାପାଳି ଗାଁ ର ବିକ୍ରମ ସୁନା ଙ୍କ ପୁଅ ସଞ୍ଜୟ ସୁନା, କାପସୀଭଟା ଗାଁ ର ହୃଷୀ ବିଭାର ଙ୍କ ପୁଅ ବିକାଶ ବିଭାର, କତରକେଳା ଗାଁ ର ପ୍ରହଲ୍ଲାଦ ନାଗ ଙ୍କ ପୁଅ ନରେଶ ନାଗ, ରାମ ବଚନ ନାଗ ଙ୍କ ପୁଅ ସୁନୀଲ ନାଗ, ଟିଟିଲାଗଡ଼ ବହିଦାର କୁନୁ ବାଗ ଙ୍କ ପୁଅ ସୁଭାସ ବାଗ, ସିନ୍ଧେକେଲା ଥାନା ଅଧିନସ୍ଥ କୁରଲୁଭଟା ଗାଁ ଅବଧାନ ଦୀପ ଙ୍କ ପୁଅ ବିଭୁତି ଦୀପ ସମେତ ପଡା ଖଜୁରପଡା ର ଭଗବାନ ବାରିକ ଙ୍କ ପୁଅ ବବଲୁ ବାରିକ କୁ ଗିରଫ କରିଛି ପୋଲିସ l

ଏନେଇ ଟିଟିଲାଗଡ଼ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେବା ସହ ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା,ଏସ ଆଇ. ନରେନ୍ଦ୍ର ଛତ୍ରୀୟା, ଏସ ଆଇ.ଶିଶିର କୁମାର ଆଚାର୍ଯ୍ୟ, ଏ ଏସ ଆଇ.ସୁଭାଷ ଚନ୍ଦ୍ର ସାହୁ, ଏ ଏସ ଆଇ.କାର୍ତ୍ତିକ ପ୍ରଧାନ, ହାବିଲଦାର ଅରବିନ୍ଦ ଖମାରି, ସୁନୀଲଭୋଇ, ରାମଚନ୍ଦ୍ର ବଗର୍ତି,ଓଏପି ଏଫ ପିତାମ୍ବର ପୁଝାରୀ ପ୍ରମୁଖ ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି l ବଲାଙ୍ଗୀର ଏସ ପି ନିତିନ କୁଶଲକର ଙ୍କର ନିର୍ଦେଶ ମତେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିବା ବେଳେ ମୁଖ୍ୟ ମାଷ୍ଟରମାଇଣ୍ଡକୁ ଆବଶ୍ୟକ ପଡିଲେ ରିମାଣ୍ଡ ରେ ଆଣି ପଚରା ଉଚରା କରାଯିବ ବୋଳି ଏସ ଡ଼ି ପି ଓ ସୂଚନା ଦେଇଛନ୍ତି l ତେବେ ଆଜି ବେଲପଡା ଗାଁ ର ଦେବାର୍ଚନ ନାଗ ଏବଂ ସୋନପୁର ଡୁଙ୍ଗୁରିପାଲି ଅଞ୍ଚଲ ରୁ ଚୋରି ହୋଇଥିବା ନୂଆ ବାଇକ ଗାଡି ମାଲିକ ଫେରି ପାଇଥିବାରୁ ଟିଟିଲାଗଡ଼ ପୋଲିସ କୁ ବେଶ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି |

0
0
0
s2sdefault