ମୁଖ୍ୟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ
ବରଗଡ :- ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ କୋକନରା ଗ୍ରାମରେ ହୋଇଥିବା ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ନାବାଳକ ର ମୃତଦେହ ପାଇକମାଲ ମଝି ଛକରେ ରଖି ପାଇକମାଲ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ମୃତ ନାବାଳକ ର ପିତା ଜଣେ ଦିନ ମଜୁରିଆ । ସ୍ୱାମୀ ସ୍ତ୍ରୀ ଉଭୟ ମଜୁରୀ କରିବା ପାଇଁ ଯାଇଥିବା ବେଳେ ସନ୍ଧ୍ୟା ସମୟରେ ମୃତ ନାବାଳକ ଜଣକ ମିକ୍ସଚର କିଣିବା ପାଇଁ ଯାଇଥିଲା । ଏହି ସମୟରେ ଏକ ଦ୍ରୁତଗାମୀ ପିକଅପ ନାବାଳକ କୁ ଦଳି ଦେଇଥିଲା । ମୃତ ନାବାଳକ ର ଗରିବ ପରିବାର କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସାଧାରଣ ଜନତା ସନ୍ଧ୍ୟା ସମୟରୁ ପାଇକମାଲ ମୁଖ୍ୟ ଛକରେ ନାବାଳକ ର ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ର ପ୍ରାୟ ତିନି ଘଣ୍ଟା ପରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ଭୋଇ ଘଟଣା ସ୍ଥଳକୁ ପହଞ୍ଚି ଥିଲେ । କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ କୋଣସି ପ୍ରକାର ସମାଧାନ ହୋଇ ପାରିନଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଲୋକଙ୍କ କହିବା ମୁତାବକ ଦୁର୍ଘଟଣା ଘଟାଇଥିବା ଗାଡିର ଆବଶ୍ୟକ କାଗଜ ପତ୍ର ନଥିଲା । ତେଣୁ ଲୋକଙ୍କ ମନରେ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହେଉଛି ।