-
ସର୍ଗିପାଲିର ସ୍ନେହଲତା ଛତ୍ରୀଆ ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ୭ବର୍ଷ ପରେ ବି ଷ୍ଟାଟସ ରିପୋର୍ଟ ଚାର୍ଜସିଟ ଦାଖଲ ହୋଇନି\
-
ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟ ସହିତ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ପୋକ୍ସୋ କୋର୍ଟ
ପାଟଣାଗଡ଼( ଯତୀନ୍ଦ୍ର ନନ୍ଦ ) - ରାଜ୍ୟର ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଗତ ୨୦୧୫ ମସିହାରେ ଘଟିଯାଇଥିବା ଦଳିତ ନାବାଳିକା ସ୍ନେହଲତା ଛତ୍ରୀଆ ଅପହରଣ,ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ଆଜିକୁ ୭ବର୍ଷ ବିତିଯିବା ପରେ ମଧ୍ୟ କୋର୍ଟରେ ଚାର୍ଜସିଟ ଷ୍ଟାଟସ ରିପୋର୍ଟ ଦାଖଲ ହୋଇନାହିଁ । ଫଳରେ ତଦନ୍ତ ବାଟବଣା ହେବା ସହ ଅଭିଯୁକ୍ତମାନଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଆସୁଛି ।ଦୀର୍ଘ ୭ବର୍ଷ ପରେବି ଚାର୍ଜସିଟ ଦାଖଲ ହୋଇନଥିବା କାରଣରୁ ମୃତ ସ୍ନେହଲତାର ବାପା ଆର୍ତ୍ତ ଛତ୍ରୀଆ ଆଇନଜୀବୀ ଦୀନେଶ ନାଗଙ୍କ ମାଧ୍ୟମରେ ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ତଦନ୍ତକାରୀ ସଂସ୍ଥା ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ ପୂର୍ବକ ଆବେଦନ କରିଥିଲେ ! ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜିଆର କେସ ନଂ -୨୧/୨୦୧୫ର ମାମଲାରେ ଗତ ଜାନୁୟାରୀ ମାସରେ ହୋଇଥିବା ଉକ୍ତ ଆବେଦନକୁ ଗ୍ରହଣ କରି ମାମଲାର ତଦନ୍ତକରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ କରି ଆସନ୍ତା ଫେବୃୟାରୀ ୨୮ତାରିଖ ଭିତରେ ଏହି ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟ ସହିତ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ କରିଛନ୍ତି । ପ୍ରକାଶଯୋଗ୍ୟ କି, ଗତ ଜାନୁୟାରୀ ୩୧ ତାରିଖରେ ହୋଇଥିବା ଉକ୍ତ କୋର୍ଟଙ୍କ ନିର୍ଦ୍ଦେଶ ପରେ ଚାପିହୋଇ ପଡିରହିଥିବା ଏହି ହୃଦୟ ବିଦାରକ ସମ୍ବଦନଶୀଳ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛି । ପ୍ରକାଶ ଥାଉକି, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ସର୍ଗିପାଲି ଗ୍ରାମର ଆର୍ତ୍ତ ଛତ୍ରିଆ ଓ ମା ଡାଲିମ ଛତ୍ରିଆଙ୍କ ଝିଅ ସ୍ନେହଲତା ଛତ୍ରିଆ(୧୫)ଙ୍କୁ ଗତ ୨୦୧୫ ମସିହା ମେ ୨୨ ତାରିଖରେ ଅପହରଣ କରାଯାଇ ଗଣଧର୍ଷଣ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ସମ୍ବେଦନଶୀଳ ଘଟଣାରେ ଖପ୍ରାଖୋଲ ପୋଲିସର ନୀସ୍କ୍ରିୟତା ବିରୁଦ୍ଧରେ ୨୦୧୫ ମସିହା ଜୁନ ୨୧ ତାରିଖରେ ଏକ ବିଶାଳ ଜନ ଆନ୍ଦୋଳନ ହୋଇଥିଲା । ଏଥିରେ ରାଜ୍ୟର ଅନେକ ବୁଦ୍ଧିଜୀବି ଓ ସାମାଜିକ ସଂଗଠନ ବଲାଙ୍ଗୀରରେ ମିଳିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସପି କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଫଳରେ ପୋଲିସ ସେହି ସର୍ଗିପାଲି ଗାଁର ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାର ମାତ୍ର ୪ ଦିନ ପରେ ଘଟଣାର ତଦନ୍ତ ଦାୟୀତ୍ୱ ପୋଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ମାତ୍ର ୩ ରୁ ୪ ଥର ଆସିଛି ତଦନ୍ତ ପାଇଁ । କିନ୍ତୁ ଘଟଣାର କିଛିବି ଅଗ୍ରଗତି ହୋଇନାହିଁ । ଘଟଣାର ୪ବର୍ଷ ପରେ ରାଜ୍ୟସରକାର ଏହି ମାମଲାକୁ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ସୁପାରିଶ କରିଥିଲେ । କିନ୍ତୁ ଏହି ମାମଲାକୁ ସିବିଆଇ ତଦନ୍ତ କରିବାକୁ ମନାକରିଦେଇ ରାଜ୍ୟ ପୋଲିସ ଏହାର ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାର ତଦନ୍ତରେ ଆଗ୍ରହ ତଥା ତତ୍ପରତା ପ୍ରକାଶ କରୁନଥିବା କାରଣରୁ ଠିକ ସମୟରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଅଦାଲତରେ ଚାର୍ଜସିଟ ଦାଖଲ ହୋଇ ନପାରିବା କାରଣରୁ ସେମାନେ କୋର୍ଟରୁ ଜାମିନ ପାଇଛନ୍ତି ବୋଲି ଅଭଯୋଗ ହେଉଛି । ଏପରିକି, ଦୀର୍ଘ ୭ବର୍ଷ ପରେ ମଧ୍ୟ ଚାର୍ଜସିଟ କୋର୍ଟରେ ଦାଖଲ ହୋଇ ନଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତରେ ମଧ୍ୟ ମୃତକଙ୍କର ପରିବାର ଓ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।ଆଶ୍ଚର୍ଯ୍ୟ ;ଏମିତି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତରେ ଅହେତୁକ ବିଳମ୍ବର କାରଣ କଣ ହୋଇପାରେ ବୋଲି ପ୍ରଶ୍ନ ହେଉଛି!ମୃତ ସ୍ନହଲତାକୁ ନ୍ୟାୟ ମିଳିବ ଆଉ କେବେ ନା ଆର ଜନ୍ମରେ ? ୨୦୧୫ରେ ଉକ୍ତ ଘଟଣା ପରେ ପରେ ତତକାଳିନ ବିରୋଧିଦଳନେତା ନରସିଂହ ମିଶ୍ର ସର୍ଗିର୍ପାଲି ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ଓ ଏକ ନୀରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ । ଆଲୋଚନା କାଳରେ ସର୍ଗିପାଲି ଗାଁରେ ଜାତିଆଣ ଭେଦଭାବ ଓ ବେଆଇନ କୁଚିଆ ମଦ କାରାବାରକୁ ନେଇ ଦଳିତ ବସ୍ତି ଓ ଗାଁ ଲୋକଙ୍କ ସହ ବିଭେଦ ରହିଆସିଥିବା ଜଣାପଡିଥିଲା । ଗାଁରେ ଦୀର୍ଘବର୍ଷ ହେଲା ଉଭୟ ଗୋଷ୍ଠି ମଧ୍ୟରେ ବିଭେଦ ଲାଗି ରହିଥିଲା । ମୃତ ନାବାଳିକାର ମା ଡାଲିମ ଛତ୍ରିଆ ଏସଏସଜି ଗ୍ରୁପର ସଭାପତି ଭାବରେ ବଲାଙ୍ଗୀର ଏସପିଙ୍କୁ ମଦ କୁଚିଆ ବନ୍ଦ ପାଇଁ ପିଟିସନ କରିଥିଲେ ! ଏହି ପିଟିସନ କୁ ସ୍ନେହଲତା ଲେଖିଥିଲା!ଯାହାର ଫଳ ସ୍ୱରୂପ ସ୍ନେହଲତାକୁ ଗଣଧର୍ଷଣ କରାଯିବା ସହ ବର୍ବରୋଚିତ ଭାବରେ ହତ୍ୟା କରାଯାଇଥିବାର ପରିବାର ବର୍ଗ ବିରୋଧି ଦଳ ନେତାଙ୍କ ପାଖରେ ଅଭିଯୋଗ କରିଥିଲେ । ସର୍ଗିପାଲି ଗାଁରେ କିଛି ଅସାମାଜିକ ଲୋକ ସ୍ଥାନୀୟ ଧଣ୍ଡାମୁଣ୍ଡା ମଦ ଭାଟିରୁ ମଦ ଆଣି ଗାଁରେ କୁଚିଆ ମଦ ଦୋକାନ ଖୋଲି ବିକ୍ରି କରୁଥିଲେ । ଗାଁରେ ମଦୁଆଙ୍କ ପ୍ରାଦୁର୍ଭାବ ଦେଖା ଦେବାରୁ ସ୍ଥାନୀୟ ଏସଏସଜି ମହିଳାମାନେ ମଦ କୁଚିଆକୁ ବିରୋଧ କରିଥିଲେ । ଯାହା ଫଳରେ ଗାଁରେ ବିଭେଦ ଦେଖାଦେଇଥିଲା ଓ ପରେ ପରେ ଏହି କାଣ୍ଡ ହୋଇଥିବାର ଅଭିଯୋଗ ହୋଇଥିଲା । ଏବେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଉପଯୁକ୍ତ ତଦନ୍ତକରି ଚାର୍ଜସିଟ ଦାଖଲ କରିବ ବୋଲି ଆମେ ଆଶା କରୁଛୁ ବୋଲି ମାମଲାକୁ ପରିଚାଳନା କରୁଥିବା ବଲାଙ୍ଗୀର ଆଇନଜୀବୀ ଦୀନେଶ ନାଗ କହିଛନ୍ତି !