ହେଡଲାଇନସ୍:

ଭଦ୍ରାସାହିରେ ଟ୍ରକ ଡ୍ରାଇଭରକୁ ଲୁଟ ଓ ହତ୍ୟା ଘଟଣାରେ ୪ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) ଗତ ୫ ତାରିଖ ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭରଙ୍କୁ ଲୁଟ ଓ ହତ୍ୟା ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥି ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ଏକ ସ୍କୋର୍ପିଓକୁ ମଧ୍ୟ ପୋଲିସ ଜବତ କରିଛି। ଆଜି ଏକ ପ୍ରେସମିଟରେ ବଡ଼ବିଲ ଏସଡିପିଓ ହିମାଂଶୁ ଶେଖର ବେହେରା ଏହି ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଗତ ୫ ତାରିଖରେ ଓଡ଼ି୦୪ଏଲ ୩୭୧୯ ନମ୍ବର ବିଶିଷ୍ଟ ଟ୍ରକ ଲୁହାପଥର ବୋଝେଇ କରି ନିଜ ଗନ୍ତବ୍ୟ ସ୍ଥାନକୁ ଯିବାବେଳେ କୌଣସି କାରଣରୁ ଭଦ୍ରାସାହିଠାରେ ଅଟକିଥିଲା। ଏହି ସମୟରେ ୪ ଜଣ ଲୁଟେରା ଟ୍ରକର ଡ୍ରାଇଭର ଜୟନନ୍ଦ ମାଝୀଙ୍କୁ (୪୫) ଅତର୍କିତ ଆକ୍ରମଣ କରି ତାଙ୍କଠାରୁ ଏକ ମୋବାଇଲ ଓ ନଗଦ ୧୦୦୦ ଟଙ୍କା ଲୁଟ କରି ଏକ ସ୍କୋର୍ପିଓ ଗାଡ଼ିରେ ପଳାଇ ଯାଇଥିଲେ। ତେବେ ଗୁରୁତର ଆହତ ଡ୍ରାଇଭରଙ୍କର ଟ୍ରକ ଭିତରେ ମୃତ୍ୟୁ ଘଟିଥିଲା। ବଡ଼ବିଲ ପୋଲିସ କେଶ ନଂ ୩୮/୨୧ ରୁଜୁ କରି ତଦନ୍ତ ଚଳାଇଥିଲା ବେଳେ ତଦନ୍ତକାରୀ ଅଫିସର ମହେନ୍ଦ୍ର ସାହୁ କୌଣସି ସୂତ୍ରରୁ ଖବର ପାଇ ଦୁର୍ବୁତ୍ତ ମାନେ ଅନ୍ୟ ଏକ ଲୁଟ ଯୋଜନା କରୁଥିବା ବେଳେ ଏକ ସ୍କୋର୍ପିଓରୁ ୪ଜଣଙ୍କୁ ଧରିଥିଲେ। ୪ ଜଣ ଅଭିଯୁକ୍ତ ହେଲେ ଯୋଡ଼ା ଉଲି ହଟିଂ ଅଞ୍ଚଳର ଅବିନାଶ ଓରଫ କନ୍ଦା ନାଗ (୨୪), ଯୋଡ଼ା ଅମବାଗାନର ଶଙ୍କର ଓରଫ ଗିଡୁ ତିରିଆ (୨୪) ଓ ମୁକୁନ୍ଦ ସାଣ୍ଡିଲ (୨୨), ମୟୁରଭଞ୍ଜ ବିଶୋଇ ଅଞ୍ଚଳର ଟୁନା ଓରଫ କୁନାଲ ପିଙ୍ଗୁଆ (୩୦)। ପୋଲିସ ହତ୍ୟାରେ ବ୍ୟବହୃତ ସ୍କୋର୍ପିଓ ସହ ଦୁଇଟି ମାରଣାସ୍ତ୍ର, ନଗଦ ୧୦୦୦ ଟଙ୍କା ଓ ଲୁଟ ହୋଇଥିବା ମୋବାଇଲ ଜବତ କରିଥିବା ଜଣାପଡ଼ିଛି।

0
0
0
s2sdefault