ହେଡଲାଇନସ୍:

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଶ୍ୱଶୁର ଘର ଲୋକେ ନିସ୍ତୁକ ମାଡ଼ମାରି ହତ୍ୟା କରିଥିବା ଅଭିଯୋଗ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୃତକଙ୍କ କକାପୁଅ ଭାଇକୁ ମଧ୍ୟ ପ୍ରବଳ ମାଡ଼ ଅଭିଯୋଗ ।

ବଡ଼ବିଲ/ଯୋଡ଼ା (ଶାସକ ପ୍ରଶାସକ)-ଯୋଡ଼ା ଥାନା କୁଦାପି ଗାଁ ନିକଟ ରାସ୍ତାକଡ଼ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ, ବଡ଼ବିଲ ମହାନ୍ତ ବସ୍ତି ଅଂଚଳର ବିଜୟ ମହାନ୍ତ ଓରଫ୍ ୟାକୁ ବୋଲି ପରିଚୟ ମିଳିଛି। ଯୁବକଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିବା ପରେ ଗଛରେ ଟାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ମୃତକର ପରିବାର ଲୋକେ। ପାରିପାଶ୍ୱକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ଯୁବକ ଜଣକ ନିଜ ପିନ୍ଧା ସାର୍ଟରେ ମାତ୍ର ଚାରି/ସାଢ଼େ ଚାରି ଫୁଟ୍ ଉପରୁ ତଳକୁ ଝୁଲୁଥିବା ବେଳେ, ଅଣ୍ଟାଠାରୁ ତଳକୁ ପୁରା ଶରୀର ମାଟିରେ ଲାଗିଥିବାର ଦେଖିବାକୁ ମିଳିଛି। ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇପାରିଥାଏ ବୋଲି ଅନୁମାନ କରାଯାଉଛି। ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ କହହିବା ଅନୁଯାୟୀ, ବିଜୟ ମହାନ୍ତ ଓରଫ୍ ୟାକୁ, ଚମ୍ପୁଆ ଥାନା, କୁଟାରୀପଶି ଗାଁର କୌଶଲ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର ୫ବର୍ଷର ଏକ ଝିଅ ଓ ଦେଢ଼ ବର୍ଷର ଗୋଟିଏ ପୁଅ ରହିଛି। ବିଭିନ୍ନ ସମୟରେ କୌଣସି ନା କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବା ସହ ଝଗଡ଼ା ହେଉଥିଲା। ତେବେ ଗତ ଏକମାସରୁ ଉର୍ଦ୍ଧ୍ୱ ହେବ ସ୍ତ୍ରୀ କୌଶଲ୍ୟା ଦୁଇ ପିଲାଙ୍କୁ ନେଇ ବାପ ଘରକୁ ଚାଲିଯାଇଥିଲେ। ଗତ ସୋମବାର ଦିନ ୟାକୁ ତାଙ୍କ କକାପୁଅ ଭାଇ ଶମ୍ଭୁକୁ ନେଇ କୁଟାରୀପଶି ସ୍ଥିତ ନିଜ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ସେ ନିଜ ଦେଢ଼ ବର୍ଷର ପୁଅକୁ ସାଥିରେ ନେଇ ପଳାଇ ଆସିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ଶ୍ୱଶୁର ଘର ଲୋକେ ଗ୍ରାମବାସୀଙ୍କ ସହ ମିଶି ୟାକୁ ଏବଂ ତାଙ୍କ କକାପୁଅ ଭାଇ ଶମ୍ଭୁକୁ ନିସ୍ତୁକ ମାଡ଼ ମାରିଥିଲେ। ତେବେ ମଙ୍ଗଳବାର ଦିନ ଶମ୍ଭୁ ସେଠାରୁ ଲୁଚି ପଳାଇଆସି ପାଖରେ ଥିବା ଜଣେ ସଂପର୍କୀୟଙ୍କ ଘରେ ରହିବା ପରେ ଆଜି କୌଣସି ମତେ ନିଜ ଘର ବଡ଼ବିଲକୁ ଚାଲିଆସି ସମସ୍ତ ଘଟଣା ପ୍ରକାଶ କରିଛନ୍ତି। ସେପଟେ ଏ ନେଇ ଯୋଡ଼ା ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବବୋଲି ସୂଚନା ଦେଇଛି। ଏହି ଘଟଣା ପରେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

0
0
0
s2sdefault