ଉଦ୍ଧାର ହେଲେ ଅପହୃତ ସ୍ୱାମୀ ସ୍ତ୍ରୀ , ଛଅ ଅଭିଯୁକ୍ତ ଗିରଫ
ବରଗଡ :- ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକ ଗତ କିଛିଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ରେ ରହି ଆସୁଛି । କେତେବେଳେ ତହସିଲଦାର ଙ୍କର ଲାଞ୍ଚ କାରବାର ତ କେତେବେଳେ ବ୍ଲକରେ ହେଉଥିବା ବିଭିନ୍ନ ଘଟଣା । ଆଜି କିନ୍ତୁ ଝାରବନ୍ଧ ପୋଲିସର ପ୍ରରିଶ୍ରମ ଓ ଇଛାଶକ୍ତି ବଳରେ ଗତ ଏଗାର ତାରିଖରୁ ଅପହରଣ କରାଯାଇଥିବା ଦୁଇ ଅପହୃତ ଙ୍କୁ ଉଦ୍ଧାର କରିବା ସହିତ ଛଅ ଜଣ ଅପହରଣ କାରୀ ଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ପ୍ରଶଂସନୀୟ । ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଅନୀଲ କୁମାର ପ୍ରଧାନ ଙ୍କର ନିକଟରୁ ମିଳିଥିବା ସୂଚନା ଅନୁସାରେ, ଏକ ଗୁଜବର ପ୍ରଭାବରେ ପୀଡ଼ିତ ଧରମ ସିଂ ନାଏକ ପାଖରେ ଏକ ଚାଉଳ ଟାଣୁଥିବା ହନୁମାନ ମୁଦ୍ରା ଥିବା ଅନୁମାନ କରୁଥିଲେ ଆରୋପୀମାନେ । ମୁଦ୍ରାକୁ ହାତେଇବା ପାଇଁ ସେମାନେ ପୀଡ଼ିତକୁ ଅପହରଣ କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ତା: 11/07/2021,ଦିନ 11.00 ବେଳେ, ଯେତେବେଳେ ଧରମ ସିଂ ନାଏକ ନିଜ ଘର ସମ୍ମୁଖରେ କାଠ ହାଣୁଥିଲେ, ସେତେବେଳେ ଆରୋପୀମାନେ ଏକ ଟାଟା ସୁମୋ CG 04 HA 1784ରେ ହଠାତ ପହଞ୍ଚି ଧରମ ସିଂ ନାଏକଙ୍କୁ ଜୋର ଜବରଦସ୍ତ କରି ଗାଡ଼ି ଭିତରକୁ ଘୋଷାଡ଼ି ନେଲେ। ଏହା ଦେଖି ତାଙ୍କ ପତ୍ନୀ ବିନିତା ନାଏକ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆରୋପୀମାନେ ଜବରଦସ୍ତି ଗାଡ଼ି ଭିତରକୁ ଟାଣି ନେଇ ବନ୍ଦ କରିଦେଇଥିଲେ। ଏହାପରେ ସେମାନେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ନେଇ ବିଲାସପୁର, ପଲ୍ଲାରି ଓ ରାୟପୁର ପଟକୁ ନେଇଥିଲେ ଏବଂ ଶେଷରେ ଡୁଡୁକିଦାଦର ନିକଟସ୍ଥ ସୁରୁକୁଲା ଜଙ୍ଗଲକୁ ନେଇ ଯାଇଥିଲେ। ଶେଷରେ ସେଠାରେ ସେମାନଙ୍କୁ ଟ ୬୦,୦୦୦/- ଓ ହନୁମାନ ମୁଦ୍ରା ଦେବାକୁ ଦାବୀ କରିଥିଲେ, ନହେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଯଦିବା ତାଙ୍କ ପାଖରେ ହନୁମାନ ମୁଦ୍ରା ଥିବା ଏକ ଗୁଜବ ମାତ୍ର ଥିଲା। ଏହାପରେ ସେମାନେ ଅଭିଯୋଗକାରୀ ହୀରାଲାଲ ନାୟକଙ୍କୁ ମଧ୍ୟ ଟ ୬୦,୦୦୦/- ଓ ହନୁମାନ ମୁଦ୍ରା ଆଣିବାକୁ କହିଥିଲେ ଏବଂ ଏହାପରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଛାଡ଼ିବେ ବୋଲି ଧମକ ଦେଇଥିଲେ। ଏହା ମଧ୍ୟରେ ଉଭୟଙ୍କୁ ଟାଟା ସୁମୋରୁ ଅନ୍ୟ ଏକ ଗାଡ଼ି ରେଜିଷ୍ଟ୍ରେସନ ନମ୍ବର CG 04 MR 6933 ମାରୁତି ଇକୋ ଭ୍ୟାନରେ ଜବରଦସ୍ତି ସ୍ଥାନାନ୍ତରିତ କରି ଦୁଇ ଦିନ ପର୍ଯ୍ୟନ୍ତ ଗାଡ଼ି ମଧ୍ୟରେ ରଖିଥିଲେ। ଆଜି ସକାଳେ ଝାରବନ୍ଧ ପୋଲିସ ସେହି ସ୍ଥାନରେ ପହଞ୍ଚି ଧରମ ସିଂ ନାୟକ ଓ ତାଙ୍କ ସ୍ତ୍ରୀଙ୍କୁ ସୁରକ୍ଷିତ ଭାବରେ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିଥିଲେ। ଝାରବନ୍ଧ ପୋଲିସ ଅପରାଧରେ ବ୍ୟବହୃତ ଦୁଇଟି ଗାଡ଼ି ଓ ଅପରାଧରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ନୂଆପଡା ଜିଲ୍ଲା ଅମୋଦି ଗ୍ରାମର ନେହେରୁ ଲାଲ ନାୟକ (53) , ଟିକେଶ୍ୱର ସତନାମୀ (28)ଟାଙ୍କିଦାଦର ନୂଆପଡା , ସୁରେଶ ନାୟକ 24 ଝାରବନ୍ଧ ଥାନା ଅନ୍ତର୍ଗତ ଦୁଡୁକିଦାଦର ଗ୍ରାମର ,କିଶୋର ବାଗ 30 ଦୁଡୁକିଦାଦର ଝାରବନ୍ଧ , ରାମପ୍ରସାଦ ନାୟକ 35 ଦୁଡୁକିଦାଦର ଝାରବନ୍ଧ , ଓ କିଶନଲାଲ ନାୟକ ଅମୋଦି ନୂଆପଡ଼ା ଜିଲ୍ଲାର ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।