ସୂଚନା ଲୋକସମ୍ପର୍କ ମନ୍ତ୍ରୀ ଓ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ବ୍ୟକ୍ତ କଲେ ଶୋକ
ଭୁବନେଶ୍ବର : ବିଶିଷ୍ଟ ସ୍ତମ୍ଭକାର, ଜଣାଶୁଣା ସାରସ୍ୱତ ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ ଘଟିଛି | ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି | ଶ୍ରୀ ଦାସ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା I
ଶ୍ରୀ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକଵ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ସକ୍ରିୟ ରହିଥିଲେ। । ସାହିତ୍ୟ ଓ ସାମ୍ବାଦିକତା ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।
ବରିଷ୍ଠ ସାମ୍ବାଦିକ ଶ୍ରୀ ଦାସଙ୍କ ବିୟୋଗରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ବର୍ଗତ ଦାସଙ୍କ ବିୟୋଗ ସାହିତ୍ୟ ତଥା ସାମ୍ବାଦିକତା ଜଗତର ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ କହିବା ସହିତ ସ୍ବର୍ଗତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ମଧ୍ୟ ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଶୋକଵ୍ୟକ୍ତ କରିଛନ୍ତି | ଶ୍ରୀ ମଙ୍ଗରାଜ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି " ବିଶିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବସନ୍ତ ଦାସଙ୍କର ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ସେ ଓଡିଶା ସାହିତ୍ୟ ଓ ସାମ୍ବାଦିକ ଜଗତରେ ପାଞ୍ଚ ଦଶନ୍ଧି ଧରି ସକ୍ରିୟ ଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା ଜଣାଉଛି।"