ସେ ଥିଲେ ବିଡ଼ିଓ କମ, ସାମାଜିକ କର୍ମୀ ବେଶୀ : ବିଧାୟକ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉପାନ୍ତ ଅଂଚଳ ଭାବରେ ବେଶ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଏକ ସହ ତିରିଶ କିଲୋମିଟର ଦୂରରେ ଝାରବନ୍ଧ ବ୍ଲକ ଅଫିସ । ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଛି ଏହି ବ୍ଲକର ଅନେକ ଗ୍ରାମ । ଏହି ବ୍ଲକ କୁ କୋଣସି ଅଫିସର ଆସିବାକୁ ନାରାଜ । ଶ୍ରୀ ରୁନୁ ଲାକ୍ରା , ଝାରବନ୍ଧ କୁ ବିଡ଼ିଓ ହୋଇ ଆସିବା ପରେ ଅଂଚଳର ବିକାଶ ଅନେକ ପରିମାଣରେ ବୃଦ୍ଧି ପାଇଥିଲା । ଅନବରତ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରିଥିବା ଶ୍ରୀ ଲାକ୍ରା ଙ୍କର ବିୟୋଗରେ ଝାରବନ୍ଧ ଅଂଚଳ ସହିତ ତାଙ୍କୁ ଚିହ୍ନିଥିବା ବା ଜାଣିଥିବା ବା ତାଙ୍କର ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ମର୍ମାହତ । ତାଙ୍କରି ନେତୃତ୍ୱରେ ତଥା ପ୍ରତକ୍ଷ ତତ୍ୱବାଧାନ ରେ ଝାରବନ୍ଧ ବ୍ଲକ ରାଜ୍ୟ ସ୍ତରରେ ଗ୍ରାମୀଣ ଆବାସ ଯୋଜନା ଓ ଏମଜିଏନଏରଜିଏସ ଯୋଜନାର ଅନେକ କାର୍ଯ୍ୟରେ ବାରମ୍ବାର ପ୍ରଶଂସିତ ହୋଇ ଆସିଛି । ଅଧିକାରୀ ଓ ହିତାଧିକାରୀଙ୍କ ସହିତ ସଠିକ ବ୍ୟବହାର କରି ସଠିକ ସମୟରେ ବା ସମୟ ପିର୍ବରୁ କାମ ସମ୍ପାଦନ କରିବାରେ ସିଦ୍ଧହସ୍ତ ଥିଲେ ଶ୍ରୀ ଲାକ୍ରା ।
ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କର ଶବ୍ଦରେ "ଶ୍ରୀ ଲାକ୍ରା କେବଳ ଜଣେ ବିଡ଼ିଓ ନ ଥିଲେ ସେଥିଲେ ଜଣେ ସାମାଜିକ କର୍ମୀ । ଯେଉଁମାନେ ବି ତାଙ୍କ ପାଖକୁ କୋଣସି ସମସ୍ୟା ନେଇ ଯାଇଛନ୍ତି ସେ ତାର ସମାଧାନ ତୁରନ୍ତ କରିବାର ପ୍ରୟାସ କରିଥାନ୍ତି । ଲୋକଙ୍କ ସେବା ମନୋଭାବ ରଖିଥିବା ଶ୍ରୀ ଲାକ୍ରା ଙ୍କର କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ ଓ ସ୍ମରଣୀୟ ରହିବ । କୋଭିଡ଼ କଟକଣା ସମୟରେ ତାଙ୍କର କାର୍ଯ୍ୟକୁ ଅଂଚଳ ବାସୀ ସବୁଦିନ ମନେ ରଖିବେ । ଶ୍ରୀ ଲାକ୍ରାଙ୍କର ଭଳି ଜଣେ ଲୋକପ୍ରିୟ ଅଧିକାରୀ ଙ୍କର ବିୟୋଗରେ ମୁଁ ଅତି ମର୍ମାହତ । ମହାପ୍ରଭୁ ତାଙ୍କର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ।ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁଁ ପରିବାର ବର୍ଗ ଙ୍କୁ ମୋର ସମବେଦନା ଜଣାଉଛି ।"
ବାସ୍ତବରେ ଶ୍ରୀ ଲାକ୍ରା ଥିଲେ ଜଣେ ଲୋକଙ୍କ ସେବା ପାଇଁ ସମର୍ପିତ ପ୍ରଶାସନିକ ଅଧିକାରୀ । ଆମର ମନେଅଛି, ଗତବର୍ଷ କୋବିଡ଼ ସମୟରେ ଲକଡାଉନ ପରେ ଯେତେବେଳେ ଶ୍ରମିକ ମାନେ ପ୍ରତ୍ୟାବର୍ତ୍ତନ କରୁଥିଲେ । ଶ୍ରମିକ ମାନଙ୍କୁ ଆଣିବା , ସେମାନଙ୍କ ରହିବାର , ଖାଇବାର ବ୍ୟବସ୍ଥା କରିବା ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବାର , ନିୟମିତ ଭାବରେ ପ୍ରାୟେକ ଦିନ ନିଜେ ସଂଗରୋଧ କେନ୍ଦ୍ର ସବୁର ପରିଦର୍ଶନ ଏହିଭଳି ଅନେକ କାମ । ମନରେଗା , ଓ ଗ୍ରାମୀଣ ଆବାସ ଯୋଜନା ହେଉ କି ଅସହାୟ ଲୋକଙ୍କ ଭତ୍ତା ବା ରାସନ , ସବୁ ଉପରେ ତାଙ୍କର ତୀକ୍ଷ୍ଣ ନଜର ରହୁଥିଲା ଓ ବାରମ୍ବାର ନିଜର ଅଧିନସ୍ଥ ଅଧିକାରୀ ମାନଙ୍କୁ ଠିକ ଭାବରେ କାମକୁ ଠିକ ସମୟରେ ସମ୍ପାଦନ କରିବା ପାଇଁ ଉତ୍ସାହତ ମଧ୍ୟ କରୁଥିଲେ ।
ଶ୍ରୀ ଲାକ୍ରା ଙ୍କର ଭଳି ଜଣେ ପ୍ରଶାସକ ଙ୍କୁ ହରାଇ ଝାରବନ୍ଧ ଓ ମୁଁ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର । ଆମେ ଯେତେବେଳେ ତାଙ୍କ ପାଖରେ କୋଣସି ସମସ୍ୟା ରଖୁଥିଲୁ ସେ ତାର ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରିବା ସହିତ ବହୁତ ଭଲ ବ୍ୟବହାର ପ୍ରଦର୍ଶନ କରୁଥିଲେ । ତାଙ୍କର ମୃତ୍ୟୁ ଖବର ମତେ ବହୁତ ଦୁଃଖିତ କରିଛି ବୋଲି ଶ୍ରୀ ଲାକ୍ରାଙ୍କ ବିୟୋଗରେ ଦୁଖାପ୍ରକାଶ କରି ଜଣାଇଛନ୍ତି ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ମୁଜାଫର ହୁସେନ ।
ତାଙ୍କର ମୃତ୍ୟୁ ଖବର ପାଇବା ପରେ , ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ , ଉପଜିଲ୍ଲାପାଳ , ଶ୍ରୀ ତନ୍ମୟ କୁମାର ଦରୱାନ , ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର , ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ପ୍ରମୁଖ ଗଭୀର ଶୋକ ପ୍ରକଟ କରିଥିବା ବେଳେ , ବରଗଡ଼ ପିଡ଼ି ଶ୍ରୀ କୃତିବାସ ରାଉତ , ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର , ଏବିଡ଼ିଓ ତଥା ବ୍ଲକର ଅନ୍ୟାନ୍ୟ କର୍ମଚାରୀ ମାନେ ସମ୍ବଲପୁର ସ୍ଥିତ ଶ୍ରୀ ଲାକ୍ରା ଙ୍କର ବାସ ଭବନରେ ତାଙ୍କର ଶେଷ ଦର୍ଶନ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ପୈତୃକ ଗ୍ରାମ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣା ପଡ଼ିଛି । ଜଣେ ଲୋକାଭିମୁଖୀ ଅଫିସର ଶ୍ରୀ ଲାକ୍ରା ଙ୍କର ମୃତ୍ୟୁରେ ଶାସକ ପ୍ରଶାସକ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।