ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମର (ସୋନପୁରର ପ୍ରଥମ ବିଧାୟକ ସ୍ଵର୍ଗତ ଅଚ୍ୟୁତ ମହାକୁର) ସ୍ତ୍ରୀ ମାଳତୀ ମହାକୁରଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅଚ୍ୟୁତ ମହାକୁର ଭାରତ ସ୍ୱାଧୀନତା ହାସଲ କଲାପରେ ପ୍ରଥମ କରି ବିଧାନସଭା ନିର୍ବାଚନ ହେଉଥିବା ସମୟରେ ସୋନପୁର ଆସନରୁ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସ୍ଵର୍ଗତ ମହାକୁର ପତ୍ନୀ ମାଳତୀ ମହାକୁର କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ସମ୍ବଲପୁର ଏକ ଘରୋଇ ଡାକ୍ତରଖାନା ଚିକିତ୍ସିତ ହେଉଥିଲେ । ଗତ ରାତିରେ ୯ ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ମର ଶରୀରକୁ ସ୍ଵତନ୍ତ୍ର ଗାଡିରେ ତାଙ୍କର ନିଜର ଗାଁ ଉଲୁଣ୍ଡା ବ୍ଲକ ଅର୍ନ୍ତଗତ ସଂଗ୍ରାମୀ ପୀଠ କଳାପଥର କୁ ଅଣାଯାଇଥିଲା । ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଇନଜୀବୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନୂଆପାଲି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଜେଷ୍ଟ ପୁତ୍ର ବିପିନ ବିହାରୀ ମହାକୁର ମୁଖାଗ୍ନି ଦେଇଥିବାବେଳେ ମୃତ୍ୟୁଶଯ୍ୟା ନିକଟରେ ତିନି ପୁଅ ବିପିନ, ସୁରେଶ, ଦିଲ୍ଲୀପ, ତିନି ଝିଅ ଶର୍ମିଷ୍ଠା, ଦେବଯାନୀ, ରଜନୀ ଓ ସପରିବାର ଉପସ୍ଥିତ ଥିଲେ ।