ଝାରସୁଗୁଡ଼ା :(ସୁଭାଷ ସହାରେ) : ମଦ ନିଶାରେ ଉନ୍ମତ୍ତ କାଣ୍ଡ ଘଟାଇଲା ନିଜର ଜନ୍ମକଲା ପୁଅ। ମାତାଲ ଅବସ୍ଥାରେ ନିଜ ସ୍ତ୍ରୀ କୁ ଗାଲିଗୁଲଜ ଓ ମାଡ଼ପିଟ କରୁଥିବା ବେଳେ ବାପର ହସ୍ତକ୍ଷେପ ଯୋଗୁଁ ମଦ୍ୟପ ପୁଅ ସମସ୍ତ ହିତାହିତ ଜ୍ଞାନ ଭୁଲି ନିଜ ବାପକୁ କୋଦାଳରେ ହାଣି ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ଝାରସୁଗୁଡ଼ା ଜିଲ୍ଲାର ବଞ୍ଜାରୀ ହରିଜନପଡ଼ାରେ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ାର ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ହରିଜନପଡ଼ାର ମାନିକ ଚନ୍ଦ୍ର ବେହେରା ଗତ ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ମାତାଲ ଅବସ୍ଥାରେ ଫେରିଥିଲା। ଏହାପରେ ନିଜର ସ୍ତ୍ରୀକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାରୁ ତାର ବାପା ୫୨ ବର୍ଷୀୟ ଲକ୍ଷ୍ମଣ ବେହେରା ଶେଷରେ ସହି ନ ପାରି ତାକୁ ବୁଝାଇବାକୁ ଆସିଥିଲେ। ମଦ ନିଶାରେ ନିଜର ହିତାହିତ ଜ୍ଞାନ ହରାଇ ମାନିକ ରାଗରେ ନିକଟରେ ଥିବା ଏକ କୋଦାଳ ଦ୍ବାରା ବୃଦ୍ଧଙ୍କୁ ନୃଶଂସ ଭାବରେ ଆକ୍ରମଣ କରି ବାରମ୍ବାର ଆଘାତ କରିଥିଲା। କୋଦାଳ ଦ୍ବାରା ବେକ, ପେଟ ଓ ହାତରେ ବାରମ୍ବାର ଆକ୍ରମଣ କରିବାରୁ ପିତା ସେହି ସ୍ଥାନରେ ଟଳି ପଡ଼ିଥିଲେ। ପରିବାରର ଲୋକେ ତୁରନ୍ତ ଲକ୍ଷ୍ମଣଙ୍କୁ ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏ ନେଇ ମୃତକଙ୍କ ବଡ଼ଭାଇ ବୀରେନ୍ଦ୍ର ବେହେରା ବଡ଼ମାଲ ଥାନାରେ ମାନିକ ବେହେରା ନାମରେ ଏକ ମାମଲା ରୁଜୁ କରାଇବାରୁ ବଡ଼ମାଲ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତର ଜାମିନକୁ ନାମଞ୍ଜୁର କରି ଦିଆଯାଇ ନ୍ୟାୟିକ ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ମୃତଶରୀରର ବ୍ୟବଚ୍ଛେଦ ପରେ ଶରୀରକୁ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।