ମୁଖ୍ୟମନ୍ତ୍ରୀଙ୍କୁ ଅର୍ପଣ କଲା ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ
ଭୁବନେଶ୍ୱର (ଶାସକ ପ୍ରଶାସକ) ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କୋଭିଡ଼୍ ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ଯେଉଁ ଆହ୍ୱାନ ଦେଇଥିଲେ ଏହାକୁ ପାଳନ କରିବା ଅବସରରେ ଉତ୍ସାହିତ ଏବଂ ଅନୁପ୍ରାଣିତ ହୋଇ ରାଜ୍ୟର ହଜାର ହଜାର କଳାକାର ଏହି ସଚେତନତା ବାର୍ତ୍ତା ପ୍ରଚାର ନିମନ୍ତେ ଆଗେଇ ଆସିଥିଲେ । ଏଥିନିମନ୍ତେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ C.A.C.A. (Covid Awareness Clip Album) ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରସ୍ତୁତ ପ·ଶ ହଜାରରୁ ଉର୍ଧ୍ଵ କଳାକାରଙ୍କର ସାଂସ୍କୃତିକ ସ୍ୱାକ୍ଷର ବହନ କରିଥିବା ଭିଡିଓ ଗୁଡ଼ିକର ଆଲବମ୍ ସାଂସଦ ଡ. ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ଅର୍ପଣ କରିଥିଲେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ଶ୍ରୀ ରବିନାରାୟଣ ନନ୍ଦ ଓ ରାଜ୍ୟ ସଂଯୋଜକ ଶ୍ରୀ ପ୍ରବୀର ମହାନ୍ତି ।
ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏଇ ଅଭିଯାନରେ ଗ୍ରାମପଞ୍ଚାୟତ ସ୍ତରରେ କଳାକାରମାନେ ସାମିଲ ହୋଇଥିଲେ ଏବଂ ନିଜ କଳା ପ୍ରଦର୍ଶନ ମାଧ୍ୟମରେ ତଥା ନିଜ ବକ୍ତବ୍ୟ ଜରିଆରେ ଏହି ବାର୍ତ୍ତାକୁ ପ୍ରଦାନ କରିବାର ଏକ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିଥିଲେ । ରାଜ୍ୟର ତିରିଶଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ଆବାହକ ରବିନାରାୟଣ ନନ୍ଦ, ସଂଯୋଜକ ପ୍ରବୀର ମହାନ୍ତି ଓ ସେମାନଙ୍କୁ ଏଥିରେ ସହାୟତା କରିଥିଲେ ରାଜ୍ୟ କମିଟି ସଦସ୍ୟ ଦେବରାଜ ସେନାପତି, ଡ. ଜୀବନ ଦୀକ୍ଷିତ, ଜ୍ୟୋସ୍ନାମୟୀ ପରିଡ଼ା, ଅଜୟ ରାଉତରାୟ, ଡ. ଗୌରୀ ବେହେରା ଏବଂ ସମସ୍ତ ଜିଲ୍ଲା ସାମ୍ମୁଖ୍ୟର ସଂଯୋଜକ ବୃନ୍ଦ । ଏହିଭଳି ପ୍ରାୟ ଚଉଦହଜାର ରୁ ଅଧିକ ଭିଡିଓ କ୍ଲିପ୍ ୩୩୧୪ ପଞ୍ଚାୟତରୁ କଳାକାରମାନେ ପଠାଇଥିଲେ ଯେଉଁଥିରେ ଅଂଶଗ୍ରହଣ କରିଛନ୍ତି ପଚାଶ ହଜାରରୁ ଉର୍ଧ୍ଵ କଳାକାର । ବିଭିନ୍ନ ଲୋକଗୀତ, ନୃତ୍ୟ ଓ ସାହିତ୍ୟିକ ଅଭିବ୍ୟକ୍ତି ଜରିଆରେ ଏହିଭଳି ବାର୍ତ୍ତାଗୁଡ଼ିକ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଜନଜାତି ଓ ଆଞ୍ଚଳିକ ଭାଷାରେ କବି ଓ କଳାକାରମାନେ ନିଜର ଅଭିବ୍ୟକ୍ତି ଏବଂ ହଜିଯାଉଥିବା ଲୋକକଳା ମାଧ୍ୟମରେ ଏହି ସଚେତନତା ପ୍ରଚାର କରିଛନ୍ତି । ଏହି କଳାକୃତୀ ବହନ କରିଥିବା ଭିଡିଓଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ କରାଯିବାର ଯୋଜନା ରହିଛି ।
ଏଇ ଅବକାଶରେ ଗତ ମାର୍ଚ୍ଚମାସରେ ସାମ୍ମୁଖ୍ୟର କଳାକାରମାନଙ୍କ ଦ୍ୱାରା ସାରା ରାଜ୍ୟରେ ଆୟୋଜିତ ପଞ୍ଚାୟତସ୍ତରୀୟ ବିଜୁ ଜୟନ୍ତୀ ପାଳନର ଏକ ସ୍ମାରକୀ ଚିତ୍ର ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅର୍ପଣ କରାଯାଇଥିଲା