ବରିଷ୍ଠ ଆଇନଜୀବୀ ବନଲତା ପ୍ରଧାନଙ୍କ ଦେହାନ୍ତ
ପୁରୀ: ପୁରୀ ସହରରେ ମୀନା ଅପା ଭାବେ ପରିଚିତ ତଥା ମହିଳା ଆଇନଜୀବୀ ଶ୍ରୀମତୀ ବନଲତା ପ୍ରଧାନଆଉ ନାହାନ୍ତି | ମସ୍ତିସ୍କ ଆଘାତ (ବ୍ରେନ ଷ୍ଟ୍ରୋକ) ଜନିତ ଅସୁସ୍ଥତା କାରଣରୁ ଆଜି ୫୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । କିଛି ଦିନ ତଳେ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମାତ୍ର ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି । ଆଜି ସକାଳେ ଆଜି ତାଙ୍କର ଦେହାନ୍ତ ଯୋଇଯାଇଛି । ତାଙ୍କ ମୃତ୍ୟୁରେ ପୁରୀ ବାର୍ ଆସୋସିଏନ୍ ତଥା ଆଇନଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ପୁରୀ ବଳଗଣ୍ଡି ରାୟ ବାହାଦୁର ଲେନ୍ ବାସିନ୍ଦା ଶ୍ରୀମତୀ ବନଲତା ପ୍ରଧାନ ଦୀର୍ଘ ୩୦ ବର୍ଷ ଧରି ସ୍ଥାନୀୟ ବାର୍ ଆସୋସିଏସନ୍ ସଦସ୍ୟ ଥିଲେ । ଜଣେ ସଫଳ ଆଇନଜୀବୀ ଭାବରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ଓକିଲାତି ସହ ସମାଜସେବା କାର୍ଯ୍ୟରେ ମଧ୍ୟ ସଦାସର୍ବଦା ନିଜକୁ ନିୟୋଜିତ ରଖୁଥିଲେ ।
ତାଙ୍କ ସ୍ୱାମୀ ତଥା ବରିଷ୍ଠ ଆଇନଜୀବୀ ରଞ୍ଜନ କୁମାର ପ୍ରଧାନ ଓଡ଼ିଶା ହାଇକୋର୍ଟରେ ଓକିଲାତି କରୁଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ, ଏକମାତ୍ର ପୁଅ ଆକାଶ(ପପୁ), ଦିଅର ତଥା ରାଜ୍ୟର ଜଣାଶୁଣା ଫାଇନାନସ୍ ପ୍ଲାନର୍ ରୂପକୁମାର ପ୍ରଧାନ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଆଜି ଅପରାହ୍ନରେ ସ୍ୱର୍ଗତାଃ ପ୍ରଧାନଙ୍କର ମରଶରୀର ଭୁବନେଶ୍ୱରରୁ ପୁରୀ ଅଣାଯିବା ପରେ ତାଙ୍କ ଶବାଧାରରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ବାର୍ ଆସୋସିଏସନ୍ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଛି ।