ଝାରସୁଗୁଡ଼ାରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ
ଝାରସୁଗୁଡ଼ା :(ସୁଭାଷ ସହାରେ) - ଦିନକୁ ଦିନ ଅପରାଧୀମାନଙ୍କ ପ୍ରଭାବ ଝାରସୁଗୁଡ଼ା ଜିଲ୍ଲାରେ ବଢ଼ି ଚାଲିଛି। କୌଣସି ସ୍ଥାନରେ ଏକାକୀ ରାତ୍ରିରେ ଯାତ୍ରା କରିବାକୁ ସୁରକ୍ଷିତ ମନେ କରୁନାହାଁନ୍ତି ଲୋକେ। ଏବେ ପୁଣି ଥରେ ସକ୍ରିୟ ହୋଇପଡ଼ିଛନ୍ତି ହାଇୱେ ଲୁଟେରା ଗ୍ୟାଙ୍ଗ। ଗତ ୧୭ ତାରିଖ ଦିନ ଜଣେ ଟ୍ରଲର ଡ୍ରାଇଭରକୁ ମାଡ଼ମାରି ଓ ହାତଗୋଡ଼ ବାନ୍ଧି ଗାଡ଼ି ଚଢ଼ାଇ ମାରି ଦିଆଯାଇଥିବା ଘଟଣାର ପର୍ଦ୍ଦାଫାସ ନ ହେଉଣୁ ଆଉ ଏକ ବଡ଼ ଧରଣର ସମାନ ଘଟଣା ସାମନାକୁ ଆସିଛି।
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ବ୍ରିଜ୍ ନିକଟରେ ଗତ ସୋମବାର ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ଜଣେ ଟ୍ରକ୍ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରୁ ୧୩ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ଆହତ ଚାଳକ ଜଣଙ୍କ ହେଲେ ବନ୍ଧବାହାଲର ୪୫ ବର୍ଷ ବୟସ୍କ ସୀମାଞ୍ଚଳ ବରାଡ଼ । ତାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳବାର ସକାଳେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅପରାଧିମାନେ ତାଙ୍କୁ ଖଣ୍ଡା,ଭୂଜାଲି ଓ ଛୁରୀ ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ଏଥିରେ ତାଙ୍କର ମୁଣ୍ଡ, ହାତ ଓ ପିଠିରେ ଗଭୀର କ୍ଷତ ହୋଇଛି । ଖବର ପାଇ ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ, ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର ପ୍ରମୁଖ ଅଧିକାରୀ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ଆହତ ଚାଳକଙ୍କ ଚିକିତ୍ସାଧିନ ଅବସ୍ଥାରେ ବୟାନ ରେକର୍ଡ କରିଛନ୍ତି । ଏ ନେଇ ଆହତ ଚାଳକଙ୍କ ଶଳା ବିକାଶ ପ୍ରଧାନ ବନହରପାଲି ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ବନହରପାଲି ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଫେରାର ଦୁର୍ବୁର୍ତ୍ତଙ୍କୁ ଧରିବା ପାଇଁ ପୋଲିସ ତାର ତଦନ୍ତ କାର୍ଯ୍ୟ ଖୁବ ଜୋରସୋରରେ ଚଳାଇଛି । ସୂଚନାଯୋଗ୍ୟ ସୀମାଞ୍ଚଳ ହେଉଛନ୍ତି ଟ୍ରକ୍ ମାଲିକ ଓ ନିଜେ ଚାଳକ । ସେ ତାଙ୍କ ଟ୍ରକ୍ ରେ ବନ୍ଧବାହାଲ ଏମ୍ ସିଏଲ୍ ରୁ କୋଇଲା ବୋଝେଇ କରି ପୁରୁଣା କଟକ ଯାଇଥିଲେ । ସେଠାରେ କୋଇଲା ଅନଲୋଡ କରି ରାସ୍ତାରେ ଫେରୁଥିବା ବେଳେ ସୋମବାର ରାତି ସାଢେ ୧୦ଟାରେ ଟ୍ରକଟି ରମ୍ପେଲା ବ୍ରିଜ୍ ନିକଟରେ ଖରାପ ହୋଇଯାଇଥିଲା । ସୀମାଞ୍ଚଳ ନିଜେ ମରାମତି କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏଥିରେ ସେ ସଫଳ ହୋଇନଥିଲେ । ତାପରେ ରାତି ଅଧିକ ହୋଇଯାଇଥିବାରୁ ସୀମାଞ୍ଚଳ ଗାଡି କ୍ଯାବିନ୍ ରେ ଶୋଇପଡିଲେ । ଏଥିମଧ୍ଯରେ ରାତି ପ୍ରାୟ ୧୨ଟା ସମୟରେ ଏକ ବୋଲେରୋରେ ୩ଜଣ ଦୁର୍ବୁତ୍ତ ଆସି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ନିକଟରେ ଥିବା ଭଡ଼ା ବାବଦରେ ୧୩ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ସେମାନେ ଏହି ଘଟଣା ଘଟାଇବା ବେଳେ ଓଡିଆ ଓ ହିନ୍ଦୀ ଭାଷାର କଥାବାର୍ତ୍ତା ହେଉଥିଲେ ବୋଲି ଜଣାପଡିଛି । ଦୁର୍ବୁର୍ତ୍ତଙ୍କ ଆକ୍ରମଣରେ ସୀମାଞ୍ଚଳ ଲଡୁଲୁହାଣ ହୋଇ ଟ୍ରକ୍ କ୍ଯାବିନରେ ସାରା ରାତି ପଡ଼ି ରହିଥିଲେ । ଏହି ରାସ୍ତାରେ ମଙ୍ଗଳବାର ସକାଳେ ଲୋକେ ଚାଲିବା ପାଇଁ ବାହାରିଥିବା ବେଳେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଟ୍ରକ୍ ନିକଟରେ ପ୍ରଥମେ ରକ୍ତ ପଡ଼ିଥିବା ଦେଖିବାକୁ ପାଇ ଟ୍ରକ୍ କ୍ଯାବିନ୍ ଭିତରେ ଚାଳକ ଜଣଙ୍କ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଲୋକେ ସ୍ଥାନୀୟ ପୋଲିସକୁ ଜଣାଇ ଥିଲେ । ତାପରେ ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଆହତ ଚାଳକଙ୍କୁ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପଠାଇଥିଲେ। ଆସନ୍ତାକାଲି ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯିବ।
ସୂଚନାଯୋଗ୍ୟ ଯେ ରମ୍ପେଲା ବ୍ରିଜ ରାତ୍ରିରେ ଯାତାୟତ କରୁଥିବା ଟ୍ରକମାନଙ୍କ ପାଇଁ ଏକ ବିପଦସଙ୍କୁଳ ସ୍ଥାନ ପାଲଟିଛି। ରାତ୍ରିରେ ଏଠାରେ ପୋଲିସର ପାଟ୍ରୋଲିଂ ପ୍ରାୟ ହେଉ ନ ଥିବାରୁ ବା ଆଖପାଖରେ କୌଣସି ପୋଲିସ ଷ୍ଟେସନ ନଥିବାରୁ ତଥା ଏହି ରାସ୍ତା ସଂପୂର୍ଣ୍ଣ ଅନ୍ଧାରରେ ବୁଡ଼ି ରହୁଥିବାରୁ ଏହା ଅପରାଧିଙ୍କ ପାଇଁ ସ୍ବର୍ଗ ପାଲଟିଛି । ଅନ୍ୟପକ୍ଷରେ ଏହି ଅପରାଧଗୁଡ଼ିକରେ ବାହାର ରାଜ୍ୟର ଅପରାଧୀ ଲିପ୍ତ ରହିବା ନେଇ ମଧ୍ୟ ଆଶଙ୍କା ରହିଛି। ତେଣୁ ଏଠାରେ ରାତ୍ରି ସମୟରେ ପୋଲିସ ଗସ୍ତ ବଢ଼ାଇବାକୁ, ବ୍ରିଜର କୌଣସି ଏକ ପାର୍ଶ୍ଵରେ ପୋଲିସ ଫାଣ୍ଡି ନିର୍ମାଣ କରିବାକୁ ତଥା ଏଠାରେ ରାସ୍ତାର ଉଭୟ ପାର୍ଶ୍ବରେ ଆଲୁଅର ବ୍ୟବସ୍ଥା କରିବା ସହ ଦୁଇକୋଣରେ ସିସିଟିଭି କ୍ୟାମେରା ଲଗାଇବାକୁ ଲୋକେ ଦାବି କରିଛନ୍ତି।