‘ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ
-
ମୁଖ୍ୟ ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ଆଣିବ ଏସଆଇଟି
-
ପରୀର ଲେଗଇନ୍ସ ଖୋଜିବା ପାଇଁ ଶୁଖାଯାଉଛି ପୋଖରୀ
ଭୁବନେଶ୍ଵର: କିଶୋର ମନ ଏତେ ବିଭତ୍ସ ହୋଇପାରେ ! ଏତେ ନୃସଂଶତା ତା ମନ ଭିତରେ ବାସ ବାନ୍ଧିଥାଏ | ତା ଭିତରେ କାମୁକତା ବି ଏ ସ୍ତର ପର୍ଯ୍ୟନ୍ତ ଯାଇପାରେ !! ରାକ୍ଷସ ପାଲଟି ଜଣେ ନିଷ୍ପାପ ଶିଶୁକୁ ବଳାତ୍କାର ଉଦ୍ୟମ କରି ବିଫଳ ହେଵା ପରେ ତାକୁ ତଂଟି ଚିପି ହତ୍ୟା କରି ତା ଶବକୁ ଦୁଷ୍କର୍ମ କରିପାରେ !!! ଏଭଳି କଥା ଭାବିଲା ବେଳକୁ ଛାତି ବିଦାରି ହୋଇଯାଉଛି | କାନକୁ ସହଜରେ ବିଶ୍ୱାସ କରି ହେଉନି | ମନ ବି ମାନିବାକୁ ନାରାଜ | ହେଲେ ଏଭଳି ଅଘଟଣ ଘଟିଛି | ଆଉ ଏଭଳି ଘଟିଥିବା ଆଜି ଖୁଲାସା କରିଛନ୍ତି ବହୁ ଚର୍ଚିତ ପରି ହତ୍ୟା ରହସ୍ୟର ଖିଆ ଖୋଜିବା ପାଇଁ ଗଠନ ହୋଇଥିବା ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟିର ମୁଖ୍ୟ ତଥା ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା | ଗତକାଲି ପରି ହତ୍ୟାକାରୀକୁ ଗିରଫ କରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ପରୀ ହତ୍ୟା ଘଟଣାର ବିଭତ୍ସ ତଥ୍ୟ ଉପସ୍ଥାପିତ କରିଛନ୍ତି | ‘ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ। ମୋ ୨୨ ବର୍ଷ ଚାକିରି କାଳରେ ଏହି ଘଟଣା ସବୁଠୁ ବୀଭତ୍ସ" ବୋଲି କହିଛନ୍ତି ଶ୍ରୀ ବୋଥ୍ରା |
ନୟାଗଡ ଜିଲ୍ଲା ଯଦୁପୁରର କୁନି ଝିଅ ‘ପରୀ’ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଉକ୍ତ ଗାଁର ସରୋଜ ସେଠୀଙ୍କୁ ଗିରଫ କରିଥିବା ବେଳେ ସରୋଜ କେଉଁଭଳି ଭାବେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ ସେ ନେଇ ବୋଥ୍ରା ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ବୋଥ୍ରାଙ୍କ କହିଛନ୍ତି ଯେ, ପରୀର ଘର ପାଖରେ ସରୋଜର ଘର | ଦୂରତା ପ୍ରାୟ ୨୦୦ ମିଟର । ସରୋଜର ସାନ ଭଉଣୀ ସହିତ ପରୀର ଭଲ ସମ୍ପର୍କ ଥିଲା। ସରୋଜର ବାପା ନାହାନ୍ତି। ମା’ ଆଉ ସାନ ଭଉଣୀ ଚାକିରି କରୁଥିବାବେଳେ ବଡ଼ ଭଉଣୀ ବିବାହ କରିସାରିଛନ୍ତି। ସରୋଜ ଘରେ ଥିବା ଜାମୁକୋଳି ଖାଇବାକୁ ସାହିର ଛୋଟ ପିଲାମାନେ ଯାଆନ୍ତି। ଜୁଲାଇ ୧୩ ତାରିଖ ଦିନ ପରୀ ତା’ ଘରକୁ ଜାମୁକୋଳି ଖାଇବାକୁ ଯାଇଥିଲା। ପରେ ୧୪ ତାରିଖ ଦିନ ପରୀ ଏକା ଜାମୁ କୋଳି ଖାଇବାକୁ ଯାଇଥିଲା। ସେଦିନ କେହି ଘରେ ନ ଥିଲେ। ସରୋଜ ଏକୁଟିଆ ଘରେ ଥିଲା। ନାବାଳିକା କୋଳି ଖାଇବାକୁ ଯାଇଥିବାବେଳେ ସରୋଜ ତାକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ନାବାଳିକା ବିରୋଧ କରିବାରୁ ସରୋଜ ତା’ର ତଣ୍ଟି ଚିପି ମାରିଦେଇଥିଲା | ପରିର ମୃତ୍ୟୁ ପରେ ମୃତଦେହ ସହିତ ସରୋଜ ଦୁଷ୍କର୍ମ କରିଥିଲା। ଏହା ପୂର୍ବ ରାତିରେ ସରୋଜ ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିଥିଲା ସ୍ଵୀକାର କରିଛି । ଦୁଷ୍କର୍ମ ପରେ ମୃତଦେହ ଏବଂ ତା’ର ଫ୍ରକ୍କୁ ଏକ ଝୋଟ ବସ୍ତାରେ ଭର୍ତ୍ତି କରିଥିଲା। ପରେ ତାହାକୁ ନେଇ ଘରଠୁ ପ୍ରାୟ ୩୦ ମିଟର ଦୂରରେ ଥିବା ଏକ ପୋଖରୀରେ ପକାଇ ଦେଇଥିଲା। କିନ୍ତୁ ଘଟଣା ସ୍ଥଳରେ ପଡ଼ିଥିବା ଝିଅର ଲେଗଇନ୍ସକୁ ଫିଙ୍ଗିବାକୁ ଭୁଲି ଯାଇଥିଲା ସରୋଜ । ପରେ ସେ ଲେଗଇନ୍ସକୁ ନେଇ ପୋଖରୀରେ ପିଙ୍ଗିଥିଲା, ଯାହାକୁ କି ଖୋଜିବା ପାଇଁ ସେଇ ପୋଖରୀକୁ ଶୁଖାଯାଉଛି ବୋଲି ବୋଥ୍ରା ସୂଚନା ଦେଇଛନ୍ତି |
ବୋଥ୍ରାଙ୍କ କହିବା ଅନୁଯାୟୀ , ସରୋଜ ସବୁବେଳେ ମୋବାଇଲ୍ ଫୋନରେ ଚାଇଲ୍ଡ ପର୍ନୋଗ୍ରାଫି ଫିଲ୍ମ ଦେଖୁଥିଲା। ପ୍ରମାଣ ନଷ୍ଟ ପାଇଁ ମୋବାଇଲ୍ର ସବୁ ସର୍ଚ୍ଚ ହିଷ୍ଟ୍ରୀ ସେ ଡିଲିଟ୍ କରିଦେଇଥିଲା। ସାଇଣ୍ଟିଫିକ୍ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଧରାଯାଇଛି। ତାକୁ ରିମାଣ୍ଡରେ ନିଆଯିବ। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହାରି ଉପରେ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ବୋଥ୍ରା |