ପୋଲିସ ଉପରେ ଭରଷା କରିପାରୁନାହାନ୍ତି ସୁଜାତା
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହର ରଘୁନାଥପୁର ଅଂଚଳର ବରିଷ୍ଠ ନାଗରିକ ସୁଜାତା ଦାସ ତାଙ୍କର ରଘୁନାଥପୁର ସ୍ଥିତ ପୈତୃକ ବାସଗୃହ ରେ ୨୦୦୦ ମସିହା ଠାରୁ ରହିଆସୁଥିବା ବେଳେ ଗତ ମାର୍ଚ୍ଚ ମାସରେ ଡେରାଡ଼ୁନରେ ରହୁଥିବା ପୁଅର ଦେହ ଖରାପ ବିଷୟରେ ଖବର ପାଇ ସେଠାକୁ ଚାଲିଯାଇଥିଲେ । ମାତ୍ର କରୋନା କଟକଣାକୁ ନେଇ ଲକଡାଉନ, ସଟ୍ ଡାଉନ ହୋଇଯାଇଥିବାରୁ ସେ ବାରିପଦା ଫେରି ପାରିନଥିଲେ । ଗତ ଅଗଷ୍ଟ ୧୭ରେ ସେ ଡେରାଡୁନରେ ଥାଇ ଖବର ପାଇଲେଯେ, ସ୍ଥାନୀୟ ରଣଜିତ ମହାନ୍ତି, ସୁଜିତ ମହାନ୍ତି କିଛି ଲୋକଙ୍କୁ ନେଇ ରହୁଥିବା ଘରର ତାଲା ଭାଙ୍ଗି ଘରେ ଥିବା ସୁଜାତାଙ୍କର କାର, ମଟର ସାଇକେଲ, ସ୍କୁଟି, ଲୁନା, ତଥା ସମସ୍ତ ଆସବାବପତ୍ର ନେଇ ଯାଇଛନ୍ତି । ସୁଜାତା ଏହା ଜାଣିବା ପରେ ଡେରାଡୁନରେ ଥାଇ ଗତ ୨୨/୮/୨୦୨୦ରେ ଏକ ଏତାଲା ଅନଲାଇନରେ ଦାଖଲ କରିଥିଲେ । ଉକ୍ତ ଏତଲା ମୂଳେ ବାରିପଦା ଟାଉନ ପୁଲିସ ପକ୍ଷରୁ ଥାନାରେ କେଶ ନମ୍ବର ୫୫୩ ଅନୁସାରେ ଏକ ମାମଲା ରୁଜୁ କରାଯାଇଥିଲା । ମାତ୍ର ପୋଲିସର ତଦନ୍ତ ପ୍ରକ୍ରିୟାରେ ଶିଥିଳତା ପଡିଯାଇଥିବାରୁ ଏବଂ ପୋଲିସ ତାଙ୍କର ଲୁଟ ହୋଇଥିବା କାର, ଗାଡି ଆଦି ଜିନିଷ ପତ୍ର ଠାବ କରିଥିଲେ ମଧ୍ୟ ଏବେ ସୁଦ୍ଧା ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଏଥି ସହିତ ଉକ୍ତ ସମ୍ପତ୍ତିକୁ ନେଇ ସିଭିଲ କୋର୍ଟର ଷ୍ଟାଟସ କୋ ଅର୍ଡର ଥାଇମଧ୍ୟ ତାଙ୍କର ପୈତୃକ ବାସଗୃହକୁ ଭାଙ୍ଗି ଦିଆଗଲା । ନ୍ୟାୟ ପାଇବା ନିମନ୍ତେ ବାରମ୍ବାର ବାରିପଦା ଟାଉନଥାନା ଓ ମୟୂରଭଞ୍ଜ ଏସ.ପି.ଙ୍କ ପାଖରେ ଗୁହାରୀ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ପୋଲିସ ଏବେ ଉଦ୍ଧାର କରିଥିବା କିଛି ଜିନିଷ ସୁଜାତାଙ୍କୁ ଫେରାଇବାକୁ ଚାହୁଁ ଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଦୋଷୀମାନଙ୍କ ପ୍ରତି କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଏବଂ ପୋଲିସର ପ୍ରଚ୍ଛଦ ସହାୟତାରେ ଦୋଷୀ ମାନେ ହିଁ ତାଙ୍କର ପୈତୃକ ବାସଗୃହ ରାତାରାତି ଭାଙ୍ଗିଦେଇଛନ୍ତି ବୋଲି ସୁଜାତା ଦାସ ସ୍ଥାନୀୟ ସ୍ୱାଗତିକା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ତାଙ୍କ ସପକ୍ଷରେ ଥିବା ସମସ୍ତ କୋର୍ଟ ଅର୍ଡର ଓ ଫୋଟଗ୍ରାଫ ଆଦି ଉପସ୍ଥାପନ କରାଇଥିଲେ । ଘଟଣାରୁ ପ୍ରକାଶ ଯେ, ଉକ୍ତ ଜମିର ଖାତା ରୟତ ସୁଜାତାଙ୍କର ବଡଭାଇ ଅନୀଲ କୁମାର ଷଡଙ୍ଗୀଙ୍କ ନାମରେ ରହିଥିବା ବେଳେ ସମ୍ପତ୍ତି ସୁଜାତାଙ୍କ ଦଖଲରେ ରହିଥିଲା । ଉକ୍ତ ଜମି ଓ ଘରକୁ ଳିଳାବତୀ ମହାନ୍ତି ନାମକ ଜନୈକ ମହିଳାଙ୍କୁ ବିନା ଦଖଲରେ ବିକ୍ରୟ କରିଦେଇଥିଲେ ସୁଜାତାଙ୍କ ବଡଭାଇ ଅନୀଲ । ତେବେ ଜମିର ପଟ୍ଟା ପାଇଁ ଦାଖଲଖାରଜ କେସ ବେଳକୁ ଉକ୍ତ ଜମି ବିବାଦ ନେଇ ସିଭିଲ କୋର୍ଟରେ କେସ ଚାଲିଥିବାରୁ ଲିଳାବତୀ ତହସିଲରେ ଜମିର ପଟ୍ଟା ପାଇବା ନିମନ୍ତେ ରୁଜୁ କରିଥିବା ଦାଖଲ ଖାରଜ ମାମଲାରେ ସୁଜାତା ଦାସଙ୍କ ପକ୍ଷରୁ ଆପତ୍ତି ଅଭିଯୋଗ ଜଣାଇବାରୁ ଦାଖଲକାରଜ କେସ ଡ୍ରପ ହୋଇଯାଇଥିଲା । ସିଭିଲ କୋର୍ଟ ଉକ୍ତ ବିବାଦୀୟ ସମ୍ପତ୍ତି ଉପରେ ଷ୍ଟାଟାସକୋ ମେଣ୍ଡେନ କରିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ହଠାତ କିଛିବର୍ଷ ପରେ ସେହି ବିବାଦୀୟ ଜମି ଷ୍ଟାଟସକୋ ଅର୍ଡର ଥାଉ ଥାଉ ଲିଳାବତୀଙ୍କ ନାମରେ ରେକର୍ଡ ହୋଇଥିଲା । ଦାଖଲଖାରଜ ଅର୍ଡରକୁ ଉପରିସ୍ଥ ରେଭିନ୍ୟୁ କୋର୍ଟ ସବକଲେକଟର ବାରିପଦାଙ୍କ ଅଦାଲତରେ ସୁଜାତା ଅପିଲ କରିବା ପରେ ଲିଳାବତୀଙ୍କ ନାମରେ ରେକର୍ଡକୁ ଖାରଜ କରିବାକୁ ସବକଲେକଟର ଅର୍ଡର ମଧ୍ୟ ଦେଇଛନ୍ତି । ଆଇନ ବାଟରେ ଳିଳାବତୀ ଜମି ଓ ଘର ହାତେଇ ନପାରିବାରୁ ତାଙ୍କର ସ୍ୱାମୀ ଓ ସ୍ୱାମୀଙ୍କ ଭାଇ ରଣଜିତ ଓ ସୁଜିତ ବଳପୂର୍ବକ ତାଙ୍କର ଅନୁପସ୍ଥିତିର ସୁଯୋଗନେଇ ଏଭଳି କାଣ୍ଡ ଘଟାଇଥିବା ଏବଂ ପୋଲିସ ତାଙ୍କୁ ପ୍ରଚ୍ଛଦରେ ସହଯୋଗ କରୁଥିବାର ଗୁରୁତର ଅଭିଯୋଗ କରିଛନ୍ତି ସୁଜାତା ଦାସ । ତେବେ ଏବାବଦରେ ବାରିପଦା ଟାଉନଥାନା ଅଧିକାରିଙ୍କୁ ପଚାରିବାରୁ ଉକ୍ତ ଜମି ବା ଘରର ମାଲିକାନା ସୁଜାତାଙ୍କର ବଡଭାଇଙ୍କ ନାମରେ ରହିଥିଲା ସେ ଲୀଳାବତୀ ଙ୍କୁ ଉକ୍ତ ଜମି ଓ ଘର ବିକ୍ରୟ କରିଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ପୋଲିସ ବିଶେଷ ହସ୍ତକ୍ଷେପ କରିପାରିବ ନାହିଁ । ଏତେଲା ପାଇବା ପରେ ଆମେ ତୁରନ୍ତ ମାମଲାରୁଜୁ କରି ଘଟଣାର ତଦନ୍ତ କରୁଛୁ ଏବଂ ଉଭୟ ପକ୍ଷଙ୍କୁ ଡାକି ଉକ୍ତ ଜମି ଉପରେ ହସ୍ତକ୍ଷେପ ନ କରିବାକୁ କହିଛୁ ବୋଲି କହିଛନ୍ତି । ଅଭିଯୋଗ ବାବଦରେ ସୁଜିତ ମହାନ୍ତି ନିଜ ପ୍ରତିକ୍ରିୟାରେ ଜମିର ମାଲିଙ୍କଠାରୁ ଜମି ଆମେ କିଣିଛୁ । ଉକ୍ତ ଘରେ ଯାହା ଜିନିଷ ଥିଲା ତାହା ଘରମାଲିକଙ୍କର ଜିନିଷ ତାଙ୍କର ନୁହେଁ । ସେ ଯାହା ଅଭିଯୋଗ କରୁଛନ୍ତି ତାହା ଭିତ୍ତିହୀନ ବୋଲି କହିଛନ୍ତି । ତେବେ ପୋଲିସର କହିବା ମୁତାବକ ଉଭୟ ପକ୍ଷଙ୍କୁ ଉକ୍ତ ଜମି ଓ ଘର ଉପରେ ହସ୍ତକ୍ଷେପ ନ କରିବାକୁ ପରାମର୍ଶର୍ ଦେଇଥିବା ବେଳେ କିଭଳି ଏବଂ କିଏ ସିଭିଲ କୋର୍ଟର ଷ୍ଟାଟସକୋ ଅର୍ଡର ଥିବା ଘର ଭାଙ୍ଗିଲା ଏବଂ ପୋଲିସ ପାଖରେ ସୁଜାତା ବାରମ୍ବାର ଜଣାଇବା ପରେ ମଧ୍ୟ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ମାନଙ୍କ ମନରେ ପ୍ରଶ୍ନ୍ନବାଚୀ ସୃଷ୍ଟି ହୋଇଛି ।