ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଏକ ଯୌନ ନିର୍ଯାତନା ଘଟଣା ସାମନାକୁ ଆସିବା ପରେ ଅଞ୍ଚଳରେ ଏ ନେଇ ଚାଇଲ୍ଡଲାଇନ ହସ୍ତକ୍ଷେପ କରିଥିଲେ। ଚାଇଲ୍ଡଲାଇନ ସହାୟତା ପରେ ନିର୍ଯ୍ୟାତିତ ନାବାଳିକାର ପିତାମାତା ଆରୋପୀ ବିରୋଧରେ ଥାନାରେ ଏତଲା ଦେଇଥିଲେ।
ସୂଚନା ଅନୁସାରେ, ଚାଇଲ୍ଡଲାଇନ ଆଜି ଦିନ ୧୧ଟାରେ ଖବର ପାଇଥିଲେ ଯେ ବ୍ରଜରାଜନଗରର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏକ ୭ ବର୍ଷର ନାବାଳିକାକୁ ତାର ପଡ଼ୋଶୀ ଯୌନ ନିର୍ଯାତନା ଦେଇଥିଲା। ଗତ ୧ ତାରିଖରେ ନାବାଳିକାକୁ ତାର ପିତା ଟିଉସନରେ ଛାଡ଼ି ଦେବା ପରେ ଶିଶୁଟିର ମାଆ ଜଣେ ପଡ଼ୋଶୀ ଯୁବକଙ୍କୁ ଆଣିବା ପାଇଁ କହିଥିଲେ। ନାବାଳିକାକୁ ନେଇ ଫେରିବା ବାଟରେ ଯୁବକ ଜଣକ ଯୌନ ନିର୍ଯାତନା ଦେଇଥିଲା। ପରେ ତାକୁ ପଚାଶ ଟଙ୍କା ଦେଇ କାହାକୁ କିଛି ନ କହିବାକୁ ଧମକାଇଥିଲା ଏବଂ କାହାକୁ କହିଲେ ଜୀବନରୁ ମାରି ଦେବାର ଭୟ ଦେଖାଇଥିଲା। ଘରକୁ ଫେରିବା ପରେ ଝିଅଟି କେବଳ କାନ୍ଦୁଥିବା ଦେଖି ମା ତାକୁ କାରଣ ପଚାରିଥିଲେ। ମାତ୍ର ଭୟରେ ଝିଅ କିଛି କହି ପାରି ନଥିଲା। ଗତକାଲି ବାରମ୍ବାର ଏ ବିଷୟରେ ପଚାରିବାରୁ ଝିଅଟି ସବୁ କଥା କହିଥିଲେ। ସମସ୍ତ ବିଷୟରେ ଅବଗତ ହେବା ପରେ ଶେଷରେ ପରିବାର ଏ ବିଷୟରେ ଚାଇଲ୍ଡଲାଇନକୁ ଅବଗତ କରାଇଥିଲେ। ଚାଇଲ୍ଡଲାଇନ ତରଫରୁ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ତୁରନ୍ତ ବ୍ରଜରାଜନଗର ଥାନାରେ ଏକ ଏତଲା ଦେବା ପାଇଁ ଶିଶୁଟିର ପିତାମାତାଙ୍କୁ ସହାୟତା କରିଥିଲେ। ବର୍ତ୍ତମାନ ଶିଶୁଟିର ଅବସ୍ଥା ସାମାନ୍ୟ ଥିବା ବେଳେ ତାର କାଉନସେଲିଂ କରୁଛନ୍ତି ଚାଇଲ୍ଡଲାଇନ କର୍ମକର୍ତ୍ତା। ଅନ୍ୟପକ୍ଷରେ ଝାରସୁଗୁଡ଼ା ଥାନାରେ ଅଭିଯୁକ୍ତ ଯୁବକ ନାମରେ ପୋସ୍କୋ ଆକ୍ଟ ବଳରେ ଏକ କେସ ମଧ୍ୟ ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା।