ଝାରସୁଗୁଡ଼ା :(ସୁଭାଷ ସହାରେ)- "ତମ ପୁଅ ମରି ନାହିଁ। ବଞ୍ଚିଛି।" ଗୁଣିଆର ଏତିକି କଥା ମାଆ ପାଇଁ ଆଶ୍ବାସନା ଆଣି ଦେଲା। ଚାରି ଦିନ ପୂର୍ବରୁ ପୋତି ପକାଇଥିବା ପୁଅକୁ ପୁଣି ବାହାର କରି ଆଣିଲେ ବାପା ମା'। ମୃତ ପୁଅକୁ କ୍ଷୀର ପିଆଇବାକୁ ଛାତିରେ ଜାବୁଡ଼ି ରଖିଲେ। ଏହିପରି ଏକ ଦାରୁଣ ଦୃଶ୍ୟ ଦେଖିବାକୁ ଜମି ଯାଇଥିଲା ଭିଡ଼।
ଝାରସୁଗୁଡ଼ା ସହରାଞ୍ଚଳର ଚାନ୍ଦମାରୀ ଅଞ୍ଚଳରେ ଘଟି ଯାଇଛି ଏହିପରି ଏକ ଘଟଣା। ଚାନ୍ଦମାରୀ ଅଞ୍ଚଳର ଏକ ଦମ୍ପତ୍ତିଙ୍କ ୪ ମାସର ଶିଶୁପୁତ୍ର ଜ୍ବରରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ଆଖି ବୁଜିଥିଲା । ମୃତ ଦେହକୁ ଶ୍ମଶାନରେ ପୋତି ଦିଆ ଯାଇଥିଲା । ଶିଶୁପୁତ୍ରକୁ ହରାଇ ଦୁଃଖୀ ବାପା-ମା ବୁଲିବୁଲି ଶେଷରେ ଗୁଣିଆ ନିକଟରେ ପହଞ୍ଚିଥିଲେ | ଗୁଣିଆ କହିଥିଲା ଶିଶୁଟି ବଞ୍ଚିଛି, ତାକୁ ଖୋଳି ବାହାର କର। ବ୍ୟଗ୍ର ବାପାମାଆ ବି ବିଶ୍ବାସ କରି ଯାଇଥିଲେ । ସାହି ପଡ଼ିଶାଙ୍କ ସହ ଆସି ମୃତ ଦେହକୁ ଖୋଳି କାଢ଼ି ଆଣିଥିଲେ । ମୃତ ଶିଶୁକୁ ମା କୋଳକୁ ନେଇ କ୍ଷୀର ଖୁଆଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଅ ଆଉ ଫେରି ନ ଥିଲା। ଘଟଣା ବିଷୟରେ ଶୁଣି ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଯିଏ ଯାହା କହି ବୁଝାଇଲେ ମଧ୍ୟ ମା' ମନ ବୁଝି ନ ଥିଲା।
ଶେଷରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ପହଞ୍ଚି ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଶିଶୁକୁ ପୁଣି ମୃତ ଘୋଷଣା କରିଥିଲେ ଡାକ୍ତର । ୪ଦିନ ତଳୁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । କିନ୍ତୁ ଗୁଣିଆ ଉପରେ ବିଶ୍ବାସ କରି ମା' ମାନିବାକୁ ପ୍ରସ୍ତୁତ ନଥିଲେ । ବୁଝାସୁଝା କରିବାକୁ ୪ଘଣ୍ଟା ପର୍ଯ୍ୟନ୍ତ ନାକେଦମ ହୋଇଥିଲା ପ୍ରଶାସନ। ୪ଦିନ ପୋତା ହେବା ପରେ ବି ଶିଶୁଟି ବଞ୍ଚିଛି, ଏକଥା ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଥିଲେ ଗୁଣିଆ । ଆଧୁନିକ ଯୁଗରେ ମଧ୍ୟ ଗୁଣି ଗାରେଡ଼ି କିପରି ଲୋକଙ୍କ ଉପରେ ପ୍ରଭାବ ବିସ୍ତାର କରିପାରେ, ଏହା ଏକ ବଡ଼ ଉଦାହରଣ।