ଜଣେ ଗିରଫ, ନଗଦ ଟଙ୍କା ଓ ମୋବାଇଲ ଜବତ।
ଝାରସୁଗୁଡ଼ା: (ସୁଭାଷ ସହାରେ)-ସେପଟେ ଦୁବାଇରେ ଆଇପିଏଲ, ଏପଟେ ଆଇପିଏଲକୁ ନେଇ ଝାରସୁଗୁଡ଼ାରେ ବେଟିଂ। ନିଜ ନିଜର ପ୍ରିୟ ଟିମକୁ ସମର୍ଥନ କରି କୋଟି କୋଟି ପ୍ରଶଂସକ ରୋମାଞ୍ଚିତ ହେଉଥିବା ବେଳେ, ଏପଟେ ସଟ୍ଟା ବଜାର ମାତିଥିଲା କୋଟି କୋଟି ଟଙ୍କାର କଳା କାରବାରରେ। କିଏ ଜିତିବ, କିଏ ହାରିବ ଏହା ନେଇ ଅଙ୍କ କଷାକଷି ଚାଲୁଥିଲା ଏବଂ କୋଟି କୋଟି ଟଙ୍କାର ଜୁଆ ଖେଳ ଚାଲିଥିଲା। ସାରା ଦେଶରେ ଏଥର ଆଇପିଏଲକୁ ନେଇ ହଜାର ହଜାର କୋଟି ଟଙ୍କାର ଜୁଆ ଖେଳ ହୋଇଛି। କୋରୋନାର ପ୍ରଭାବ ସଟ୍ଟା ବଜାର ଉପରେ ପ୍ରତ୍ୟକ୍ଷ ଭାବରେ କୌଣସି ଭାବରେ ପଡ଼ି ନଥିବା ଜଣା ପଡ଼ିଛି। ମାତ୍ର ଝାରସୁଗୁଡ଼ା ପୋଲିସକୁ ଏହିପରି ଏକ ବେଟିଂ ରାକେଟକୁ ଧରିବାରେ ସଫଳତା ମିଳିଛି।
ସୂଚନାନୁସାରେ, ଆଇପିଏଲ ମ୍ୟାଚ ପାଇଁ ବେଟିଂ କରୁଥିବା ବୁକିକୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ। ଗତ ରବିବାର ଫାଇନାଲ ଖେଳ ବେଳେ ଅନଲାଇନରେ ବେଟିଂ ଚାଲୁଥିବା ବେଳେ ଝାରସୁଗୁଡ଼ା ପୋଲିସ ସହରର ତେଲିଭଟା ଅଞ୍ଚଳରୁ ମହମ୍ମଦ ଜାହାଙ୍ଗୀର ହୁସେନ୍ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ହୁସେନ ପାଖରୁ ନଗଦ ୨୭,୨୫୦ ଟଙ୍କା, ୨ଟି ମୋବାଇଲ, ଗୋଟିଏ ଏଟିଏମ କାର୍ଡ,ପାସବୁକ,ନୋଟବୁକ ସମେତ ପଏଣ୍ଟ ଚାର୍ଟ ଜବତ କରିଛି। ଏହାପୂର୍ବରୁ ବେଲପାହାଡ଼ ପୋଲିସ ମଧ୍ୟ ଆଇପିଏଲ ବେଟିଂକୁ ନେଇ ଗତ ୬ ତାରିଖରେ ଛତିଶଗଡ଼ର ଏକ ଦଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।