ନୟାଗଡ (ବିଶ୍ୱଜିତ ନାୟକ) : ନୟାଗଡ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଆଖି ବୁଜିଦେଲେ | ଗୋଟାଏ ମିଠା ସ୍ୱର ହଜିଗଲା | ମୃତ୍ୟୁ ସହିତ ଲଢେଇ କରି କରି ଶେଷରେ ଆଖି ବୁଜିଦେଲେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଓଡ଼ିଶାର ଅନ୍ୟତମ ସାଲବେଗ ଭିକାରି ମହମ୍ମଦ l କଟକ ବଡ଼ ମେଡିକାଲରେ କିଛି ଦିନ ଧରି କୋମାରେ ଥାଇ ଚିକିତ୍ସାଧିନ ଥିଲେ l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କୋଭିଡ ପଜିଟିଭ ବାହାରିଥିଲା l ତେବେ ଆଜି ପାହାନ୍ତା ପ୍ରହରରେ ତାଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି l
ମୁସଲିମ ସମ୍ପ୍ରଦାୟର ହେଲେ ମଧ୍ୟ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଲା ତାଙ୍କର ପ୍ରଗାଢ ଭକ୍ତି । ଜୀବନ ସାରା ଜଗନ୍ନାଥଙ୍କ ଭଜନ ଜଣାଣ ପରିବେଷଣ କରି ଅପାର ଆତ୍ମସନ୍ତୋଷ ଲାଭ କରୁଥିଲେ। ବିଭିନ୍ନ ମଞ୍ଚରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନେକ ଭଜନ ଜଣାଣ ସହିତ ଚମ୍ପୁ, ଛାନ୍ଦ, ଢୁମ୍ପା,ଚଉପଦୀ ଗାଇ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିଲେ l ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ମହମ୍ମଦ ସିକନ୍ଦର ଆଲାମ, ପ୍ରଣବ ପଟନାୟକ, ଚିତ୍ତ ଜେନା ପ୍ରମୁଖଙ୍କ ସହିତ ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ । ସେହିପରି ତାଙ୍କର ଅନେକ ଭଜନ କ୍ୟାସେଟ ମୁକ୍ତିଲାଭ କରି ସମଗ୍ର ରାଜ୍ୟରେ ବେଶ ଲୋକପ୍ରିୟ ହୋଇପାରିଥିଲା।ତାଙ୍କର ଏହି ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି |
ଏହି ମହାନ କଣ୍ଠଶିଳ୍ପୀଙ୍କ ଦେହାନ୍ତରେ ଶୋକାଵ୍ୟକ୍ତ କରିଛନ୍ତି କୃଷି କୃଷକ ସଶକ୍ତିକରଣ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ | ଓଡ଼ିଶାର ଲବ୍ଧପ୍ରତିଷ୍ଠ କଣ୍ଠଶିଳ୍ପୀ ତଥା ନୟାଗଡ଼ ମାଟିର ଗୌରବ ମହମ୍ମଦ ଭିକାରୀଙ୍କ ଦେହାନ୍ତ ଓଡିଶା ସଙ୍ଗୀତ ଜଗତ ତଥା ନୟାଗଡ଼ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି |