ମଶାଣୀରୁ ଶବ ଜବତ କଲା ପୋଲିସ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଂଚାୟତ ଶିକ୍ଷୟିତ୍ରୀ ଝୁମୁରୀ ସାହୁ(୨୫)ଙ୍କୁ ଅଧିକ ଯୌତୁକ ଦାବୀରେ ଶାଶୁଘର ପରିବାର ଲୋକ ହତ୍ୟା କରିଥିବା ନେଇ ଭାଇ ପବିତ୍ର ସାହୁ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ରୋହିବାଙ୍କ ମୁଖ୍ୟ ରାସ୍ତା ସାହିରେ ରହୁଥିବା ରାଧାକୃଷ୍ଣ ସାହୁଙ୍କ ପୁଅ ଅର୍ଜୁନ ସାହୁ(୩୦) ତା. ୧୭.୨.୨୦୧୪ ରିଖରେ ବୈଦିକ ରିତିମତେ ବିବାହ କରିଥିଲେ । ପିଲାଦିନୁ ମା’ ମରିଯିବା ପରେ ବାପାଙ୍କ ଦାୟିତ୍ୱ ହିନତା କାରଣରୁ ଦାଦା ଖୁଡିଙ୍କ ଲାଳନ ପାଳନରେ ଝୁମୁରୀ ବଢିଥିଲେ । ପରେ ଦାଦା ଖୁଡ଼ି ଦାବି ମୁତାବକ ଜାନୀ ଯୌତୁକ ଦେଇ ଝିଅକୁ ବିବାହ ଦେଇଥିଲେ । ହେଲେ କିଛିଦିନ ଗଲାପରେ ଅଧିକ ଯୌତୁକ ଦାବୀରେ ଝୁମୁରୀକୁ ଶାଶୁଘର ଲୋକ ଶାରିରୀକ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ । ବାପଘର ସୁବିଧା ନଥିବାରୁ ଝୁମୁରୀ ଅଧିକ ଯୌତୁକ ଆଣି ଶାଶୁଘରକୁ ସନ୍ତୁଷ୍ଟ କରିପାରି ନଥିଲେ । ୫ବର୍ଷର ପୁଅ ମୁହଁକୁ ଚାହିଁ ବଂଚି ଯାଉଥିବା ବେଳେ ଏକ ଘରୋଇ ବିଦ୍ୟାଳୟରେ ଝୁମୁରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରି କିଛି ରୋଜଗାର କରୁଥିଲେ । ହେଲେ ଆଜି ସକାଳ ୭ଟା ବେଳେ ହଠାତ୍ ଭଉଣୀ ଝୁମୁରୀ ମରିଯାଇଥିବା ଖବର ଶୁଣି ଭାଇ, ଦାଦା ଖୁଡି ଓ ବାପଘର ଲୋକ ବହ୍ମପୁରରୁ ରୋହିବାଙ୍କରେ ଆସି ପହଁଚିଥିଲେ । ଶଶୁରଘର ଲୋକେ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୁପଦେଇ କାହାରିକୁ ନଜଣାଇ ଝୁମୁରୀର ଶବକୁ ପୋଡିଦେବା ଉଦେଶ୍ୟରେ ମଶାଣୀକୁ ନେଇ ଯାଇଥିଲେ । ଶ୍ୱଶୁର ଘର ଲୋକେ ତରତରରେ ଶବକୁ ପୋଡିଦେବାକୁ ବାହାରି ଥିବାରୁ ବାପଘରଲୋକେ ଓଡ଼ଗାଁ ଥାନାରେ ଏନେଇ ଖବର ଦେଇଥିଲେ । ଓଡ଼ଗାଁ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ଏସଆଇ ସଞ୍ଜୟ କୁମାର ପରିଡା ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଁଚି ମଶାଣୀରୁ ଶବକୁ ଜବତ କରିଥିଲେ । ଓଡ଼ଗାଁ ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଜାଣିବା ପାଇଁ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିବା ଜଣାଯାଇଛି ।