ଝାରସୁଗୁଡ଼ାରୁ ନାବାଳକ ଠାବ, ବ୍ରେସ୍ ଫକ୍ସ୍ କମ୍ପାନୀ ନାମରେ ଠକେଇ
ବାରିପଦା(ଦିଲ୍ଲୀପ ମହାନ୍ତି): ଟଙ୍କା ନିବେଶ କଲେ ଅଧିକ ଲାଭ ଆଶା ଦେଖାଇ ବାରିପଦା ଏବଂ ବାଲେଶ୍ବରର ଦୁଇ ବ୍ୟକ୍ତିଙ୍କ ନିକଟରୁ ହୋଇଥିବା ୮ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାସ୍ କରିଛି ବାରିପଦା ଟାଉନ୍ ଥାନା ପୁଲିସ୍। ଏହି ଘଟଣାର ମାଷ୍ଟରମାଇଣ୍ଡ୍ ଥିବା ଜଣେ ନାବାଳକଙ୍କୁ ଝାରସୁଗୁଡ଼ାରୁ ଠାକ କରାଯାଇଛି। ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୧୬ ପ୍ୟାରେଡ୍ପଡ଼ିଆ ଅଞ୍ଚଳର ସେକ୍ ମୁସ୍ତାକଙ୍କ ଅଭିଯୋଗ ଆଧାରରେ ଏସ୍ପି ସ୍ମିତ୍ ପି ପରମାରଙ୍କ ନିର୍ଦ୍ଦେଶ ମୁତାବକ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଝାରସୁଗୁଡ଼ା ଯାଇ ମାଷ୍ଟରମାଇଣ୍ଡ୍ ନାବାଳକଙ୍କୁ ଠାବ କରି ବାରିପଦା ଆଣିଛି। ସୂଚନାଅନୁସାରେ ବାରିପଦାର ସେକ୍ ମୁସ୍ତାକ ଏବଂ ବାଲେଶ୍ବରର ସେକ ଅବତାର ଏହମଦଙ୍କୁ ଅଧିକ ଲାଭ ଆଶା ଦେଖାଇ ନିର୍ଦ୍ଦିଷ୍ଟ ଏକ କମ୍ପାନୀରେ ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଯାଇଥିଲା। ଅଧିକ ଲାଭ ଆଶାରେ ବ୍ରେସ୍ ଫକ୍ସ୍ ନାମକ ଏକ କମ୍ପାନୀ ଆକାଉଣ୍ଟରେ ଉପରୋକ୍ତ ଦୁଇ ବ୍ୟକ୍ତି ଗତବର୍ଷ ମାର୍ଚ୍ଚ ୧୦ରୁ ୪ ଲକ୍ଷ କରି ୮ ଲକ୍ଷ ଜମା କରିଥିଲେ। ମାତ୍ର ପ୍ରାୟ ୧୮ ମାସ ବିତିଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନେଇ ଦୁଇ ବ୍ୟକ୍ତିଙ୍କ ଚେଷ୍ଟା ବିଫଳ ହେବାରୁ ପୁଲିସର ଦ୍ବାରସ୍ଥ ହୋଇଥିଲେ ସେକ୍ ମୁସ୍ତାକ। ଏନେଇ ବାରିପଦା ଟାଉନ୍ ଥାନାରେ କେସ୍ ନଂ-୭୨୦, ୨୧/୧୦ ମୂଳେ ଦଫା ୪୨୦, ୪୬୮ ଆଇପିସି ଆଧାରରେ ଏକ ମାମଲା ରୁଜୁ କରାଯାଇଛି।