ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରୁ ଜଣେ ମହିଳା ଅସୁସ୍ଥ ହେବା ପରେ ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ । ଏହି ସମୟରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ସେ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ରିପୋର୍ଟ ଆସିଥିଲା । ଏହା ପରେ ହସପିଟାଲରେ ଡ଼ିଉଟିରେ ଥିବା ଜଣେ ମେଡ଼ିକାଲ କର୍ମଚାରୀ ମହିଳାଙ୍କ ପ୍ରତି ଅସୌଜନ୍ୟ ଆଚରଣ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ମହିଳାଙ୍କ ପରିବାରର ସଦସ୍ୟମାନଙ୍କ ପକ୍ଷରୁ ହସପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କୁ ବାଙ୍କିଶୋଳ କୋଭିଡ଼ ହସପିଟାଲକୁ ଚିକିତ୍ସା ନିମନ୍ତେ ନିଆଯିବ । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମହିଳାଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇ ନ ଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।